fbpx

ମା କାଳୀଙ୍କ ପୋଷ୍ଟର ବିବାଦ: ଟିଏମସି ଟୁଇଟରକୁ ଅନଫୋଲ କଲେ ମହୁଆ ମୋଇତ୍ରା, ପାର୍ଟିଠୁ ଦୂରେଇଲେ

କୋଲକାତା: ଦେବୀ କାଳୀଙ୍କ ପ୍ରତି ଦେଇଥିବା ବୟାନକୁ ନେଇ ଜାରି ବିବାଦ ମଧ୍ୟରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଦଳଠୁ ଦୂରେଇବାରେ ଲାଗିଛନ୍ତି। ବୁଧବାର ସେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଟିଏମସିକୁ ଅନଫୋଲ କରିଛନ୍ତି। ନିକଟରେ ମା କାଳୀଙ୍କ ପ୍ରତି ମୋଇତ୍ରା ଦେଇଥିବା ବିବାଦୀୟ ବୟାନରୁ ଟିଏମସି ଦୂରେଇ ରହିବା ସହ ସାଂସଦଙ୍କ ଏମିତି ଟିପ୍ପଣୀକୁ ନାପସନ୍ଦ କରିଥିଲା।

ସର୍ବଦା ମୁଖରତାର ସହ ନିଜ ବୟାନ ରଖୁଥିବା ମୋଇତ୍ରା ଟୁଇଟରରେ ଟିଏମସକୁ ଅନଫୋଲ କରିଛନ୍ତି। ହେଲେ ଏହାକୁ ନେଇ ପାର୍ଟି କିମ୍ବା ସାଂସଦ ଆନୁଷ୍ଠାନିକ ଭାବେ କିଛି କହି ନାହାନ୍ତି। ଦେବୀଙ୍କ ଉପରେ ଆଶାଳୀନ ଟିପ୍ପଣୀକୁ ନେଇ ଟିଏମସି ମହୁଆ ମୋଇତ୍ରାଙ୍କୁ ତାଗିଦ୍ କରିଥିଲା। ଦଳ କହିଥିଲା ଯେ, ମୋଇତ୍ରା ମା କାଳୀଙ୍କ ଅପମାନ କରିଛନ୍ତି। ଏ ମାମଲାରେ ଟିଏମସି ପକ୍ଷରୁ ଆନୁଷ୍ଠାନିକ ବୟାନ ମଧ୍ୟ ଜାରି କରାଯାଇଥିଲା। ପାର୍ଟି କହିଥିଲା  ଏହା ମୋଇତ୍ରାଙ୍କ ବ୍ୟକ୍ତିଗତ ବୟାନ ଏବଂ ପାର୍ଟି ଏହାକୁ ଆଦୌ ସମର୍ଥନ କରେ ନାହିଁ।

ମହୁଆ କହିଥିଲେ ଯେ, କାଳୀଙ୍କ ଉପାସକ ହୋଇଥିବାରୁ ମୋତେ ମା କାଳୀଙ୍କ ନିଜ ହିସାବରେ କଳ୍ପନା କରିବାର ଅଧିକାର ରହିଛି। ମୋ ମତରେ କାଳୀ ମାଂସ ଖାଉଥିବା ଏବଂ ମଦ ସ୍ଵୀକାର କରୁଥିବା ଦେବୀ। ଏଥିରେ କାହାରି ଭାବନାକୁ ଆଘାତ ଲାଗିବା ଉଚିତ୍ ନୁହେଁ। କିନ୍ତୁ ଟିଏମସି ସାଂସଦ ମଙ୍ଗଳବାର କହିଥିଲେ ଯେ, ସେ କୌଣସି ପ୍ରକାରର ପୋଷ୍ଟରକୁ ସମର୍ଥନ କରନ୍ତି ନାହିଁ।

ମୋଇତ୍ରା କହିଥିଲେ, ଯଦି ଆପଣ ଭୂଟାନ ଏବଂ ସିକ୍କିମ ଯିବେ ସେଠାରେ ସକାଳ ପୂଜାରେ ଭଗବାନଙ୍କୁ ହ୍ଵିସ୍କି ଚଢା ଯାଉଛି। କିନ୍ତୁ ଉତ୍ତର ପ୍ରଦେଶରେ ଏହାକୁ ଅପବିତ୍ର କୁହାଯାଏ। ଏଥିରେ ସେଠାକାର ଲୋକଙ୍କ ଭାବନାକୁ ଆଘାତ ଲାଗିବ। ଦେବୀ ମାଙ୍କ ଅନେକ ରୂପ ଥିବା ସେ କହିଥିଲେ।

 

Get real time updates directly on you device, subscribe now.