ଗନ୍ପଏଣ୍ଟରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଏନ୍କାଉଣ୍ଟର, ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
ପୋଲିସ ସୂଚନା ଅନୁସାରେ, ଘଟଣା ପରଠାରୁ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରି ଟ୍ରାକ୍ କରୁଥିଲେ। ଶନିବାର ତାକୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ ହୋଇଥିଲା।
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା ଗନ୍ପଏଣ୍ଟରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା। ଶନିବାର ପୋଲିସ ଏନ୍କାଉଣ୍ଟରରେ ଆହତ ହୋଇଛି ଦୁଷ୍କର୍ମ ଅଭିଯୁକ୍ତ। ଗୁଳି ତା’ ଗୋଡ଼ରେ ବାଜିଛି। କଡ଼ା ସୁରକ୍ଷା ମଧ୍ୟରେ ତାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସ ସୂଚନା ଅନୁସାରେ, ଘଟଣା ପରଠାରୁ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରି ଟ୍ରାକ୍ କରୁଥିଲେ। ଶନିବାର ତାକୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ ହୋଇଥିଲା। ତେବେ ଧରାପଡ଼ିବା ଭୟରେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲା। ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା। ପୋଲିସ ତାକୁ କାବୁ କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।
ଏହି ଘଟଣା ଘଟିଥିଲା ସେପ୍ଟେମ୍ବର ୩୦ ତାରିଖରେ। ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ୨୬ ବର୍ଷୀୟା ଯୁବତୀଙ୍କ ଘରେ ଅଭିଯୁକ୍ତ ପଶିଥିଲା। ପୀଡ଼ିତା ଯୁବତୀ ତାଙ୍କ ବଡ଼ ଭଉଣୀ ଘରକୁ ଫେରିଥିବା ଭାବି କବାଟ ଖୋଲିଥିଲେ। ହେଲେ କବାଟ ଖୋଲିବା ପରେ ସାମ୍ନାରେ ଥିଲା ଜଣେ ଅଜଣା ମୁଖାପିନ୍ଧା ବ୍ୟକ୍ତି। ଅଭିଯୁକ୍ତ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ ଦେବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।
ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଯୁବତୀଙ୍କ ସୁରକ୍ଷା ନେଇ ଉଠିଥିଲା ଅନେକ ପ୍ରଶ୍ନ। ଅଭିଯୋଗ ପରେ ପୋଲିସ ତଦନ୍ତ ଜୋରଦାର କରିଥିଲା। ତଦନ୍ତରେ ଫରେନ୍ସିକ୍ ଟିମ୍ ମଧ୍ୟ ସାମିଲ ହୋଇଥିଲା। ଅନ୍ୟପଟେ ଓଡ଼ିଶା ରାଜ୍ୟ ମହିଳା କମିଶନ ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ୱତଃପ୍ରବୃତ୍ତ ଭାବେ ମାମଲାର ବିଚାରକୁ ନେଇଥିଲେ ଏବଂ ପୋଲିସକୁ ବିସ୍ତୃତ ରିପୋର୍ଟ ମାଗିଥିଲେ।
ଏବେ ମୁଖ୍ୟ ଅଭିଯୁକ୍ତ ଏନ୍କାଉଣ୍ଟର ପରେ ଧରାପଡ଼ିଥିବାରୁ ମାମଲାର ତଦନ୍ତ ଆହୁରି ଆଗକୁ ବଢ଼ିବା ନେଇ ଆଶା କରାଯାଉଛି। ତେବେ ଘଟଣାର ସମସ୍ତ ଦିଗ ଏବଂ ଅଭିଯୁକ୍ତଙ୍କ ସମ୍ପୃକ୍ତି ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି। ରାଜଧାନୀରେ ଏଭଳି ଘଟଣା ପୁଣିଥରେ ମହିଳାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳାକୁ ନେଇ ଚିନ୍ତା ବଢ଼ାଇଛି।

