fbpx

ପଶ୍ଚିମବଙ୍ଗରେ ଟିଏମସି ବିଜୟର ପ୍ରମୁଖ କାରଣ କ’ଣ ହୋଇପାରେ? ଜାଣନ୍ତୁ

କୋଲକାତା, ୩ା୫: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳକୁ ଦେଶବାସୀ ଚାହିଁ ରହିଥିଲେ । ସମସ୍ତଙ୍କ ନଜର ରହିଥିଲା ପଶ୍ଚିମବଙ୍ଗ ଉପରେ । ଶେଷରେ ବିଜୟ ମୁକୁଟ ପିନ୍ଧିଲେ ବଙ୍ଗୀୟ ବାଘୁଣୀ ମମତା ବାନାର୍ଜୀ । ପ୍ରତିପକ୍ଷ ବିଜେପିର ସମସ୍ତ ଚାଲକୁ ଅକାମୀ କରିଦେଇଥିଲେ ଏକା ମମତା । ମମତା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ କମ୍ ଭୋଟରେ ପରାଜୟ ବରଣ କରିଥିଲେ ମଧ୍ୟ ତାଙ୍କର ଦଳ ଟିଏମସି ବହୁମତଠାରୁ ଅଧିକ ସିଟରେ ଜିତି ସାରିଛି । ତେବେ ମମତାଙ୍କ ଏହି ବିଜୟ ପଛରେ ବିଭିନ୍ନ କାରଣ ରହିଥିବା ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି ।

ମମତାଙ୍କ ଲଢ଼ୁଆ ପ୍ରତିଛବି, ମହିଳା ଓ ସଂଖ୍ୟାଲଘୁଙ୍କ ସମର୍ଥନ ତାଙ୍କୁ ଅଧିକ ଭୋଟ ପାଇବାରେ ସାହାଯ୍ୟ କରିଥିଲା । ମୁସଲିମ ଭୋଟର ସିଂହଭାଗ ଦିଦିଙ୍କୁ ମିଳିଥିବାରୁ ତାହା ବିଜୟ ରାସ୍ତାକୁ ସୁଗମ କରିଥିଲା । ମମତା ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରି ସ୍ଥାନୀୟ ବନାମ ବାହାରୀ ସ୍ଲୋଗାନ ଦେଇ ବିଜେପିକୁ ଘେରିବାକୁ ଚେଷ୍ଟା କରିଥିଲେ । ବଙ୍ଗୀୟ ସଂସ୍କୃତି ଓ ଗୌରବ ଗାଥାକୁ ମମତା ନିଜ ଭାଷଣରେ ସ୍ଥାନ ଦେଇ ଲୋକଙ୍କ ହୃଦୟକୁ ଜିଣି ପାରିଥିଲେ । ମମତାଙ୍କ ଏହି ପଦକ୍ଷେପ ଶିକ୍ଷିତ ଭୋଟରଙ୍କୁ ଅଧିକ ଆକୃଷ୍ଟ କରିପାରିଥିଲା । ପ୍ରଚାର ସମୟରେ ମମତା ଆହତ ହେବା ପରେ ମଧ୍ୟ ହ୍ୱିଲ୍ ଚେୟାରରେ ବସି ସାରା ରାଜ୍ୟରେ ପ୍ରଚାର କରିଥିଲେ, ଯାହାକି ଟିଏମସି ସପକ୍ଷରେ ରାଜ୍ୟରେ ଏକ ଲହର ସୃଷ୍ଟି କରିଥିଲା । ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ନେତାଙ୍କ ଆକ୍ରମଣାତ୍ମକ ପ୍ରଚାର ମମତାଙ୍କ କୌଣସି କ୍ଷତି କରିପାରିନଥିଲା । ଓଲଟା ମମତାଙ୍କ ପାଇଁ ରାଜ୍ୟବାସୀଙ୍କ ମନରେ ଏହା ଏକପ୍ରକାର ସହାନୁଭୂତି ସୃଷ୍ଟି କରିଥିଲା । ନିର୍ବାଚନ ପ୍ରଚାର ସମୟରେ ବିଜେପି ବଙ୍ଗରେ ଅରାଜକତା ସୃଷ୍ଟି କରୁଛି ବୋଲି ମମତା ଅଭିଯୋଗ କରିଥିଲେ । ଭୋଟ ପାଇବା ପାଇଁ ବିଜେପିର ହିଂସାତ୍ମକ ଆଚରଣକୁ ରାଜ୍ୟବାସୀ ଠିକଭାବେ ଠଉରାଇ ପାରିଥିଲେ । ଏହିପରି ବିଭିନ୍ନ କାରଣ ଯୋଗୁଁ ମମତା ପୁଣି ଥରେ ପଶ୍ଚିମବଙ୍ଗରେ ବିଜୟର ଟିକା ପିନ୍ଧିବାକୁ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.