CBSE ରି-ଇଭାଲୁଏସନ ନେଇ ବଡ଼ ଅପଡେଟ୍, ଜୁନ୍ ୧ରୁ ଆକ୍ଟିଭ୍ ହେବ ପୋର୍ଟାଲ

CBSE ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାର ପୁନଃ ଯାଞ୍ଚ ଏବଂ ରି-ଇଭାଲୁଏସନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ବୈଷୟିକ ଭାବେ ଉନ୍ନତ କରିବା ପାଇଁ ଜୁନ୍ ୧, ୨୦୨୬ରୁ 'ପୋଷ୍ଟ ରିଜଲ୍ଟ ପୋର୍ଟାଲ୍' ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

CBSE Re-Evaluation : CBSE ବୋର୍ଡର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ରେଜଲ୍ଟ ଆସିବା ପରେ ନିଜ ଖାତାର ପୁନଃ ଯାଞ୍ଚ ଏବଂ ନମ୍ବର ସମୀକ୍ଷା ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କୁ ଆଉ ଅଳ୍ପ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସ୍ପଷ୍ଟ କରିଛି ଯେ, ରେଜଲ୍ଟ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ଅନଲାଇନ ପୋର୍ଟାଲ ଏବେ ଜୁନ୍ ୧, ୨୦୨୬ରୁ କାର୍ଯ୍ୟକ୍ଷମ ହେବ।

ବୋର୍ଡ କହିଛି ଯେ, ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାର ଯାଞ୍ଚ ଏବଂ ରି-ଇଭାଲୁଏସନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ କୌଣସି ବୈଷୟିକ ତ୍ରୁଟି ବିନା ସମ୍ପନ୍ନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। CBSE କହିଛି ଯେ, ମୂଲ୍ୟାୟନ ପ୍ରକ୍ରିୟାରେ କୌଣସି ପ୍ରକାର ଭୁଲ କିମ୍ବା ତରବରିଆ ପଦକ୍ଷେପ ନେବାକୁ ବୋର୍ଡ ଚାହୁଁନାହିଁ, ତେଣୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଏବଂ ବୈଷୟିକ ବ୍ୟବସ୍ଥାକୁ ମଜବୁତ କରାଯାଉଛି।

ଛାତ୍ରଛାତ୍ରୀ ପାଇବେ ସ୍ପଷ୍ଟ ଏବଂ ସଠିକ୍ ମୂଲ୍ୟାୟନ

ପ୍ରତିବର୍ଷ ରେଜଲ୍ଟ ଆସିବା ପରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ନିଜ ନମ୍ବରକୁ ନେଇ ପ୍ରଶ୍ନ ଉଠାଇଥାନ୍ତି। ଅନେକ ଛାତ୍ର ଭାବନ୍ତି ଯେ ସେମାନଙ୍କ ଖାତା ସଠିକ ଭାବରେ ଯାଞ୍ଚ ହୋଇନାହିଁ କିମ୍ବା ସେମାନଙ୍କ ପରିଶ୍ରମ ଅନୁଯାୟୀ ନମ୍ବର ମିଳିନାହିଁ। ଏପରି ସ୍ଥିତିରେ ରି-ଚେକିଂ ଏବଂ ରି-ଇଭାଲୁଏସନ ପ୍ରକ୍ରିୟା ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

CBSE କହିଛି ଯେ, ଏଥର ପୂରା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ ଏବଂ ସହଜ କରାଯାଉଛି, ଯାହାଫଳରେ ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ବୋର୍ଡ ଚାହେଁ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସଠିକ୍ ଏବଂ ନିରପେକ୍ଷ ମୂଲ୍ୟାୟନ ମିଳୁ।

ଜୁନ୍ ୧ରୁ ଖୋଲିବ ପୋର୍ଟାଲ୍

CBSE ଅନୁଯାୟୀ, ରେଜଲ୍ଟ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ପୋର୍ଟାଲ୍ ଜୁନ୍ ୧, ୨୦୨୬ରୁ କାର୍ଯ୍ୟକ୍ଷମ ହେବ। ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ଉତ୍ତର ଖାତାର କପି ଦେଖିବା, ନମ୍ବର ପୁନଃ ଯାଞ୍ଚ କରାଇବା ଏବଂ ରି-ଇଭାଲୁଏସନ ପାଇଁ ଆବେଦନ କରିପାରିବେ।

ଏହି ନିଷ୍ପତ୍ତି କାହିଁକି ନିଆଗଲା?

ଗତ କିଛି ବର୍ଷ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବା ପରେ ୱେବସାଇଟ ଧୀମା ହୋଇଯିବା, ଆବେଦନ ଫେଲ ହେବା ଏବଂ ବୈଷୟିକ ତ୍ରୁଟି ପରି ଅଭିଯୋଗମାନ ସାମ୍ନାକୁ ଆସୁଥିଲା। ଅନେକ ଛାତ୍ରଛାତ୍ରୀଙ୍କୁ ସମୟରେ ଆବେଦନ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି CBSE ଏଥର ଅଧିକ ପ୍ରସ୍ତୁତି ସହିତ ପ୍ରକ୍ରିୟା ଆରମ୍ଭ କରିବାକୁ ଚାହୁଁଛି।

ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବା ପାଇଁ ହେଲ୍ପଲାଇନ୍ ଜାରି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସୁବିଧା ପାଇଁ CBSE ହେଲ୍ପଲାଇନ ନମ୍ବର ଏବଂ ଇମେଲ ଆଇଡି ମଧ୍ୟ ଜାରି କରିଛି। ଯଦି କୌଣସି ଛାତ୍ରଙ୍କର ରେଜଲ୍ଟ, ରି-ଚେକିଂ କିମ୍ବା ଆବେଦନ ପ୍ରକ୍ରିୟାକୁ ନେଇ କିଛି ପ୍ରଶ୍ନ ଥାଏ, ତେବେ ସେମାନେ ସିଧାସଳଖ ବୋର୍ଡ ସହ ଯୋଗାଯୋଗ କରିପାରିବେ। ଛାତ୍ରଛାତ୍ରୀମାନେ CBSE ଟେଲି-କାଉନସେଲିଂ ହେଲ୍ପଲାଇନ ନମ୍ବର 1800 11 8004 ରେ ସମ୍ପର୍କ କରିପାରିବେ। ଏହା ବ୍ୟତୀତ ବୋର୍ଡ ଇମେଲ୍ ସୁବିଧା ମଧ୍ୟ ଆରମ୍ଭ କରିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ସମସ୍ୟା [email protected] କୁ ପଠାଇ ପାରିବେ।