fbpx

ଭାରତର ଏମିତି ଏକ ଗାଁ ଯାହାକୁ ଛୁଇଁ ପାରିନି କରୋନା!

ଆଧୁନିକତାର ଯୁଗରେବି ବିଶ୍ୱର ସର୍ବ ପୁରାତନ ଗଣତନ୍ତ୍ର ଥିବା ମାଲାନା ଗାଁରେ  ଆଜି ବି ଏହାର ନିଜସ୍ୱ ନିୟମ ଅଛି ।  ହିମାଚଳ ପ୍ରଦେଶ ସମେତ ସମଗ୍ର ଭାରତ ତଥା ବିଦେଶରେ କରୋନା ମହାମାରୀ ବ୍ୟାପିଥିବାବେଳେ କୁଲୁ ଜିଲ୍ଲାର ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ କରୋନା ମହାମାରୀ ସ୍ପର୍ଶ କରିପାରିନାହିଁ। କରୋନା ଆରମ୍ଭ ହେବାଠାରୁ ପାଖାପାଖି ୧୫ ମାସ ହେବ ଏହି ଗାଁରେ ଗୋଟିଏ ବି କରୋନା ମାମଲା ସାମ୍ନାକୁ ଆସିନାହିଁ ।  ଏହା କେବଳ ଏଥିପାଇଁ  ସମ୍ଭବ ହୋଇଛି କାରଣ ଏଠାରେ ଥିବା ଅଧିବାସୀମାନେ କରୋନା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ବାହାର ଲୋକ ତଥା ପର୍ୟ୍ୟଟକଙ୍କୁ ଏହି ଗାଁ ପରିଦର୍ଶନ କରିବାକୁ ବାରଣ କରିଛନ୍ତି । ୨୩୫୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଦେବତା ଜାମଲୁ (ଜମଦଗ୍ନି ଋଷି) ଙ୍କ ନିୟମ ରହିଛି । ଗୁର ମାଧ୍ୟମରେ ଦେବତା ଜାମଲୁ ଯେଉଁ ଆଦେଶ ଦେଇଥାନ୍ତି ତାହାକୁ ପାଳନ କରାଯାଇଥାଏ । ଏଠାରେ ରହୁଥିବା ବାସିନ୍ଦାମାନେ ନିଜକୁ ସିକନ୍ଦରଙ୍କର ବଂଶଜ ବୋଲି ଭାବନ୍ତି । ମାଲାନା ଗାଁକୁ ଏଚଆରଟିସି ର କେବଳ ଏକମାତ୍ର ବସ୍ ସେବା ରହିଛି । କରୋନା ହେତୁ ପ୍ରାୟଏକ ବର୍ଷ ଧରି ବନ୍ଦ ଥିବା ଏହି ବସ ସେବାକୁ ଏପ୍ରିଲରେ  ଚାଲୁ କରାଯାଇଥିଲା, ମାତ୍ର ଏବେ ଏହା ପୁଣି ବନ୍ଦ କରାଯାଇଛି ।

ନିକଟସ୍ଥ ଗାଁର ଲୋକମାନେ ମଧ୍ୟ ଗାଁର ମୁଖ୍ୟ ଫାଟକ ବାହାରେ ଲୋକଙ୍କୁ ଭେଟନ୍ତି । ଗତ ଏପ୍ରିଲରୁ ବାହାର ଲୋକ ଗାଁରେ ପ୍ରବେଶ କରିନାହାଁନ୍ତି। ମଲାନା ପଞ୍ଚାୟତର ପୂର୍ବତନ ମୁଖିଆ ଭାଗୀ ରାମ ଏବଂ ଉପମୁଖିଆ ରାମ ଜୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଗାଁରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ । ଲୋକମାନେ ସେମାନଙ୍କ ସ୍ତରରେ କରୋନା ଠାରୁ ବର୍ତ୍ତିବା ପାଇଁ ପଦକ୍ଷେପ ନେଉଛନ୍ତି ଏବଂ ସେମାନଙ୍କ ଉପରେ ଦେବତା ଜମଲୁଙ୍କର ଆଶୀର୍ବାଦ ରହିଛି । ପଞ୍ଚାୟତ ମୁଖ୍ୟ ରାଜୁ ରାମ କହିଛନ୍ତି ଯେ କରୋନା ସମୟରେ ଗାଁର ଲୋକମାନେ ଜରୁରୀ ପରିସ୍ଥିତିରେ ଗାଁରୁ ବାହାରକୁ ଯାଇଥାନ୍ତି , ଏହାଛଡା  ବାହାରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି ।

ଗାଁକୁ ସିକନ୍ଦରଙ୍କ ସୈନିକମାନେ ସ୍ଥାପନ କରିଥିଲେ- କୁହାଯାଏ ଯେ ମହାନ ଶାସକ ସିକନ୍ଦର ତାଙ୍କ ସୈନ୍ୟବାହିନୀ ସହିତ ମାଲାନା ଅଞ୍ଚଳକୁ ଆସିଥିଲେ। ଭାରତର ଅନେକ କ୍ଷେତ୍ର ଏବଂ ରାଜା ପୁରୁଙ୍କ ସହ ଯୁଦ୍ଧପରେ ସିକନ୍ଦରଙ୍କର ଅନେକ ବିଶ୍ୱସ୍ତ ସୈନିକ ଆହତ ହୋଇଥିଲେ । ସିକନ୍ଦର ନିଜେ ମଧ୍ୟ ଥକି ଯାଇଥିଲେ ଏବଂ ଘରକୁ ଫେରିବାକୁ ଚାହୁଁଥିଲେ, କିନ୍ତୁ ଯେତେବେଳେ ସିକନ୍ଦର ବିସ୍ ଉପକୂଳ ଅତିକ୍ରମ କରିବା ପରେ ଏଠାରେ ପହଞ୍ଚିଥିଲେ, ସେତେବେଳେ ସେ ଏହି ଅଞ୍ଚଳର ଶାନ୍ତ ପରିବେଶକୁ ପସନ୍ଦ କରିଥିଲେ। ସେ ଏଠାରେ ଅନେକ ଦିନ ରହିଲେ। ଯେତେବେଳେ ସେ ଫେରିଗଲେ, ତାଙ୍କର କିଛି ସୈନିକ ଏଠାରେ ରହିଲେ ଏବଂ ପରେ ସେମାନେ ଜନବସତି ସ୍ଥାପନ କଲେ ।

ଅପରାଧ କଲେ ଦଣ୍ଡ ଦିଅନ୍ତି ଏଠାର ଭଗବାନ- ଯଦି ଏହି ଗାଁରେ କେହି ଅପରାଧ କରନ୍ତି, ତେବେ ତାକୁ  ଆଇନ ଦଣ୍ଡ ଦେଇନଥାଏ ତାକୁ ଜମଲୁ ଦଣ୍ଡ ଦେଇଥାନ୍ତି । ଦେବତା ଗୁରଙ୍କ ମାଧ୍ୟମରେ ଆଦେଶ ଦେଇଥାନ୍ତି ।  ଭାରତର କୌଣସି ଆଇନ କିମ୍ବା ପୋଲିସର ନିୟମ ଏଠାରେ କାର୍ଯ୍ୟ କରୁନାହିଁ। ଏହାର ବିଶେଷ ପରମ୍ପରା, ରୀତିନୀତି ଏବଂ ଆଇନ ହେତୁ ଏହି ଗାଁକୁ ବିଶ୍ୱର ସର୍ବ ପୁରାତନ ଗଣତନ୍ତ୍ର କୁହାଯାଏ ।

Get real time updates directly on you device, subscribe now.