ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଓଲଟପାଲଟ: ୬୫ ଦିନରେ ବଦଳିଗଲା ମମତାଙ୍କ ସାମ୍ରାଜ୍ୟ, ପାର୍ଟି, ପଦ ଓ ପାଣ୍ଠି ସବୁ ବିପଦରେ
ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଓଲଟପାଲଟ: ୬୫ ଦିନରେ ବଦଳିଗଲା ମମତାଙ୍କ ସାମ୍ରାଜ୍ୟ
TMC Politics: ଗତ ମେ ୪ ତାରିଖରେ ପ୍ରକାଶ ପାଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ମମତା ବାନାର୍ଜୀଙ୍କ ପାଇଁ ସତେ ଯେମିତି ଦୁଃଖର କଳା ବାଦଳ ନେଇ ଆସିଥିଲା । ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ରହିବା ପରେ ତାଙ୍କ ଦଳ ଗତ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲା ।
ଯଦିଓ ଦଳର ୮୦ ଜଣ ବିଧାୟକ ଜିତିବାରେ ସଫଳ ହୋଇଥିଲେ, ତଥାପି ମମତା ବାନାର୍ଜୀ ନୂତନ ଭାବେ ରାଜନୀତିରେ ପାଦ ଥାପିବା ପାଇଁ ହୁଙ୍କାର ଦେଇଥିଲେ । ମାତ୍ର ଗତ ୬୫ ଦିନ ମଧ୍ୟରେ ଘଟିଥିବା ୫ଟି ବଡ଼ ଘଟଣା ମମତା ବାନାର୍ଜୀଙ୍କ ସମ୍ପୂର୍ଣ୍ଣ ରାଜନୈତିକ ଦୁନିଆକୁ ଛାରଖାର୍ କରିଦେଇଛି ।
ବର୍ତ୍ତମାନ ତାଙ୍କ ସାମ୍ନାରେ ଦଳ, ଫଣ୍ଡ ଏବଂ ନିଜର ପଦବୀ ବଞ୍ଚାଇବା ଏକ ବଡ଼ ଆହ୍ୱାନ ପାଲଟିଛି ଏବଂ ଏହି ତିନୋଟି ଯାକ ଏବେ ଗଭୀର ସଂକଟରେ ରହିଛି ।
କେମିତି ବଦଳିଗଲା ମମତାଙ୍କ ରାଜନୈତିକ ସାମ୍ରାଜ୍ୟ?
ପ୍ରଥମେ ୧୯ ଜଣ ସାଂସଦ ଦଳ ଛାଡ଼ିଲେ
୨୦୨୪ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ୨୯ଟି ସିଟ୍ ଜିତିଥିଲା, ମାତ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳର ୧୯ ଜଣ ସାଂସଦ ବିଦ୍ରୋହୀ ସାଜିଛନ୍ତି । କାକୋଲି ଘୋଷ ଦସ୍ତିଦାରଙ୍କ ନେତୃତ୍ୱରେ ମେ ୧୮ ତାରିଖରେ ୧୯ ଜଣ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ପତ୍ର ଲେଖିଥିଲେ, ଯାହାର ଖୁଲାସା ଜୁନ୍ ମାସରେ ଆନୁଷ୍ଠାନିକ ଭାବେ ହୋଇଛି ।
ଏହି ଗୋଷ୍ଠୀରେ ସୁଦୀପ ବନ୍ଦୋପାଧ୍ୟାୟ, ସାୟୋନୀ ଘୋଷ ଏବଂ ୟୁସୁଫ୍ ପଠାନଙ୍କ ଭଳି ବଡ଼ ନେତା ସାମିଲ ଅଛନ୍ତି । ବର୍ତ୍ତମାନ ମମତାଙ୍କ ପାଖରେ ମାତ୍ର ୮ ଜଣ ଲୋକସଭା ସାଂସଦ (ଯେପରିକି ଅଭିଷେକ ବାନାର୍ଜୀ, ମହୁଆ ମୋଇତ୍ରା ଓ କୀର୍ତ୍ତି ଆଜାଦ) ରହିଛନ୍ତି ।
୭୦ ବିଧାୟକ ଛାଡ଼ିଲେ ହାତ
ଜୁନ୍ ୩ ତାରିଖରେ ବାଗୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସରେ ଏକ ବଡ଼ ଧରଣର ବିଭାଜନ ଘଟିଥିଲା । ପ୍ରାୟ ୭୦ ଜଣ ବିଧାୟକ ଏକ ଅଲଗା ଗୋଷ୍ଠୀ ଗଠନ କରିଥିଲେ ଏବଂ ବିଧାନସଭାରେ ଏହାକୁ ମାନ୍ୟତା ମଧ୍ୟ ମିଳିସାରିଛି ।
ଏହା ପରେ ମମତାଙ୍କ ଅତି ପ୍ରିୟ ଶୋଭନଦେବ ଭଟ୍ଟାଚାର୍ଯ୍ୟଙ୍କ ହାତରୁ ବିରୋଧୀ ଦଳ ନେତା ପଦ ଛିନେଇ ନିଆଯାଇଛି । ଋତବ୍ରତଙ୍କ ଅଭିଯୋଗ ଅନୁଯାୟୀ, ଅଭିଷେକ ବାନାର୍ଜୀ ଦଳରେ ଏକଛତ୍ରବାଦ ଚଲାଉଛନ୍ତି, ତେଣୁ ତାଙ୍କୁ ହଟାଯାଉ ।
ପାର୍ଟିର ମାଲିକାନାକୁ ନେଇ ବିବାଦ
ଜୁନ୍ ୨୨ ତାରିଖରେ ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ପୂରା ତୃଣମୂଳ କଂଗ୍ରେସ ଉପରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏନସିପି ଏବଂ ଶିବସେନା ମାମଲାକୁ ଉଦାହରଣ ଦେଇ ସେମାନେ କହିଛନ୍ତି ଯେ ୭୦ ଜଣ ବିଧାୟକ ହିଁ ପ୍ରକୃତ ଟିଏମସିର ଉତ୍ତରାଧିକାରୀ । ଏହି ଗୋଷ୍ଠୀ ଅରୂପ ରାୟଙ୍କୁ ଦଳର ନୂଆ ସଭାପତି ଘୋଷଣା କରି ମମତା ବାନାର୍ଜୀଙ୍କୁ ସଭାପତି ପଦରୁ ହଟାଇ ଦେଇଛନ୍ତି । ଏହି ମାମଲା ଏବେ ନିର୍ବାଚନ କମିଶନଙ୍କ ପାଖରେ ବିଚାରଧୀନ ଅଛି ।
୪୪୦ କୋଟିର ପାଣ୍ଠିକୁ ଫ୍ରିଜ୍ କଲା ED
ଦଳ ଭିତରେ ଚାଲିଥିବା ଏହି ଗଣ୍ଡଗୋଳକୁ ଦେଖି ପ୍ରଥମେ ନିର୍ବାଚନ କମିଶନ ଏବଂ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତୃଣମୂଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଏବଂ ୪୪୦ କୋଟି ଟଙ୍କାର ପାଣ୍ଠିକୁ ଫ୍ରିଜ୍ କରିଦେଇଛନ୍ତି । ମମତା ବାନାର୍ଜୀ ଏହାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ମାତ୍ର ଦଳର ମାଲିକାନା ମାମଲା ସମାଧାନ ନହେବା ପର୍ଯ୍ୟନ୍ତ ଏହି ଟଙ୍କା ଫେରିପାଇବା ମମତାଙ୍କ ପାଇଁ ସହଜ ହେବନାହିଁ ।
ସୁରକ୍ଷା ବ୍ୟବସ୍ଥାରେ କାଟ୍
ମମତା ବାନାର୍ଜୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ହ୍ରାସ କରାଯାଇଛି । ପୂର୍ବରୁ ତାଙ୍କ ବାସଭବନ ବାହାରେ ଥିବା ପୋଲିସ ବାରିକେଡିଂକୁ କମାଇ ଦିଆଯାଇଛି । ସୁରକ୍ଷା କାହିଁକି କମାଗଲା, ସେ ନେଇ ରାଜ୍ୟ ସରକାର କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ଅନ୍ୟପଟେ ଦୁଇ ଦିନ ପୂର୍ବରୁ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ନିଜ ଘର ଭିତରେ ‘ହାଉସ୍ ଆରେଷ୍ଟ’ କରାଯାଇଛି ଏବଂ ଘର ବାହାରେ CRPF ମୁତୟନ କରାଯାଇଛି ।
ଏବେ ମମତାଙ୍କ ପାଖରେ କଣ ବାକି ଅଛି?
ଏତେ ବଡ଼ ବିପର୍ଯ୍ୟୟ ପରେ ମଧ୍ୟ ମମତା ବାନାର୍ଜୀଙ୍କ ପାଖରେ ଏବେ ସୁଦ୍ଧା ୯ ଜଣ ରାଜ୍ୟସଭା ସାଂସଦ, ୮ ଜଣ ଲୋକସଭା ସାଂସଦ ଏବଂ ୧୦ ଜଣ ବିଧାୟକ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦଳର ମୂଳ ସଂଗଠନ କିମ୍ବା ତୃଣମୂଳ ସ୍ତରର କର୍ମୀଙ୍କ ମଧ୍ୟରେ କୌଣସି ବଡ଼ ଧରଣର ବିଭାଜନ ହୋଇନାହିଁ । ସେମାନେ ଆଜି ବି ମମତାଙ୍କ ସହ ଅଛନ୍ତି । ଉତ୍ତର ବଙ୍ଗଳା ଏବଂ ମେଦିନୀପୁରକୁ ଛାଡ଼ିଦେଲେ, ପଶ୍ଚିମବଙ୍ଗର ଅନ୍ୟ ସମସ୍ତ ଅଞ୍ଚଳରେ ମମତା ବାନାର୍ଜୀଙ୍କର ଜନାଧାର ଏବେ ମଧ୍ୟ ବେଶ୍ ଶକ୍ତ ରହିଛି ।


