fbpx

ମହାରାଷ୍ଟ୍ରରେ ସରକାର ଗଠନ କରିଦେଲ, କିନ୍ତୁ ଲୋକଙ୍କର ହୃଦୟ କେବେ ବି ଜିତି ପାରିବନି: ମମତା

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଶେଷରେ ମହାରାଷ୍ଟ୍ରରେ ଗଠନ ହୋଇଛି ନୂଆ ସରକାର । ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡ଼ନବୀସ । ତେବେ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା କ୍ଷମତା ନାଟକ ପଛରେ ବିଜେପି ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ତେବେ ଏକ ସାକ୍ଷାତକାର ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି-ଶିନ୍ଦେ ସରକାର ଉପରେ ବର୍ଷିଛନ୍ତି । ମହାରାଷ୍ଟ୍ରରେ ବିଜେପି-ଶିନ୍ଦେ ସରକାର ବେଶିଦିନ ତିଷ୍ଠି ପାରିବ ନାହିଁ । ଖୁବଶୀଘ୍ର ଏହି ଦୁର୍ଗ ଭୁଶୁଡ଼ିବ । ବିଜେପି ନିଜର କ୍ଷମତାର ଦୁରୂପଯୋଗ କରୁଛି । ପୂର୍ବରୁ ଅନେକ ସରକାର ଆସିଛନ୍ତି ଆଉ ଯାଇଛନ୍ତି । ମାତ୍ର ଏପରି ହିଂସାକୁ ପ୍ରଶ୍ରୟ ଦେଉଥିବା ସରକାର ମୁଁ କେବେ ଦେଖିନାହିଁ ।

ମୋ ମତରେ, ମହାରାଷ୍ଟ୍ରରେ ସରକାର ଅଧିକ ଦିନ ଧରି ତିଷ୍ଠି ପାରିବ ନାହିଁ । କାରଣ ସେଠାରେ ଅଗଣତାନ୍ତ୍ରିକ ସରକାର ଚାଲିଛି । ସେମାନେ ସରକାର ଗଠନ କରିଦେଲେ, ମାତ୍ର ଲୋକଙ୍କର ହୃଦୟକୁ କେବେ ବି ଜିତି ପାରିବେ ନାହିଁ । ଆସାମର ଗୁଆହାଟୀର ହୋଟେଲରେ ଅବସ୍ଥାନ କରୁଥିବା ସମୟରେ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ବିଜେପି ପକ୍ଷରୁ ଟଙ୍କା ଲୋଭ ଦେଇ ନିଜ ପକ୍ଷକୁ ନିଆଯାଇଥିଲା । ସୂଚନାଯୋଗ୍ୟ ଯେ, ବିଜେପି-ଦିଦିଙ୍କ ଅହି-ନକୁଳ ସମ୍ପର୍କ କାହାକୁ ଅଛପା ନାହିଁ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ଦିଦି ଜାତୀୟ ସ୍ତରରେ ନିଜର ସଂଘର୍ଷ ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.