fbpx

ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଏକାଠି ହେଲେ କଂଗ୍ରେସ ଓ ଟିଏମସି, ଏବେ ଜମିବ ଖେଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ମଧ୍ୟରେ ଥିବା ଅହି ନକୁଳ ସମ୍ପର୍କ ବିଷୟରେ କାହାକୁ ବା ଅଜଣା । ତେବେ ମମତା ଦିଲ୍ଲୀ ରାଜନୀତିରେ ପ୍ରବେଶ ନେଇ ପୂର୍ବରୁ ବହୁବାର ଚର୍ଚ୍ଚା ହେଉଥିଲା । ଏବେ ତାହା ବାସ୍ତବ ରୂପ ନେବାକୁ ଯାଉଛି । ଜଣାପଡ଼ିଛି ଯେ, ଆଜି ମମତା ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଦି ବିରୋଧୀ କଂଗ୍ରେସ ଦଳର ନେତାଙ୍କ ସହ ଆଲୋଚନା କରିବେ । ୨୦୨୪ ମେଗା ଫାଇଟ୍ ପାଇଁ ମମତା କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି ।

କଂଗ୍ରେସ ଭିତିରିଆ ଭାବେ ମମତାଙ୍କୁ ନିଜ ପକ୍ଷକୁ ଆଣିବାକୁ ଉଦ୍ୟମ କରୁଛି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଓ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ ହେଁ ଦୁହେଁ ଏବେ ମୋଦିଙ୍କୁ ହଟାଇବା ପାଇଁ ଏକାଠି ହେବେ ବୋଲି ସୂତ୍ରରୁ ଜଣାପଡ଼ିଛି । ସୂଚନା ମୁତାବକ ମମତାଙ୍କ ସହିତ ବିରୋଧୀଙ୍କ ବୈଠକ ଆସନ୍ତା ୨୮ ତାରିଖରେ ହୋଇପାରେ । ତେବେ ଏହି ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ବହୁ ବରିଷ୍ଠ ନେତା ଯୋଗଦେବେ ବୋଲି କୁହାଯାଉଛି । ୨୦୧୪ରେ ବିଜେପି କେନ୍ଦ୍ରରେ କ୍ଷମତାସୀନ ହେବା ପରେ ବିରୋଧୀ ଦଳ ଭାବେ କୌଣସି ଦଳ ସେତେଟା ଦମ୍ ଦେଖାଇ ପାରିନଥିବାରୁ ଆଞ୍ଚଳିକ ଦଳମାନେ ଏକଜୁଟ ହୋଇପାରିଲେ ମୋଦିଙ୍କୁ ରୋକିବାକୁ ସହଜ ହେବ ବୋଲି ବିରୋଧୀ ଗୋଷ୍ଠୀ ବିଚାରୁଛନ୍ତି । ଫାଇନାଲ ମ୍ୟାଚର ସମୟ ସରି ସରି ଆସୁଥିବା ବେଳେ ଦିଦିଙ୍କ ଜାତୀୟ ସ୍ତରର ଏହି ମେଗା ଫାଇଟ୍ କେତେଦୂର ସଫଳ ହେଉଛି, ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.