ଟଙ୍କା କେଇଟାକୁ ନେଇ ଝଗଡ଼ା; ସାଙ୍ଗ କାଟିଦେଲା ସାଙ୍ଗର ବେକ!
ମଦ ନିଶାରେ ଉତ୍କ୍ଷିପ୍ତ ହୋଇ ବିଟୁ ଏକ ଛୁରୀରେ ଟୁନାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ବେକ କାଟିଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ଟୁନା ଗୁରୁତର ଆହତ ହୋଇଥିଲେ
ବ୍ରହ୍ମପୁର: ବନ୍ଧୁତାରୁ ଆରମ୍ଭ ହୋଇଥିଲା ସମ୍ପର୍କ। ହେଲେ ଟଙ୍କାକୁ ନେଇ ହୋଇଥିବା ଗଣ୍ଡଗୋଳ ନେଇଛି ଭୟଙ୍କର ରୂପ। ସାଙ୍ଗ କାଟିଦେଇଛି ସାଙ୍ଗର ବେକ୍! ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ନିମଖଣ୍ଡି ଥାନା ଅଞ୍ଚଳରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ। ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
ବ୍ରହ୍ମପୁର ନିମଖଣ୍ଡି ଅଞ୍ଚଳର ବିଟୁ ସାହୁ ଏକ ଫାଷ୍ଟଫୁଡ୍ ଦୋକାନରେ କାମ କରନ୍ତି। ଶନିବାର ରାତିରେ ଦୋକାନରେ କାମ ସାରିବା ପରେ ସେ ଟୁନା ନାୟକଙ୍କ ପାଖକୁ ଯାଇଥିଲେ। ଅଭିଯୋଗ ଅନୁସାରେ ଉଭୟ ମିଶି ମଦ ପିଇଥିଲେ। ତା’ପରେ ଟଙ୍କା ଧାରକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା।
ମଦ ନିଶାରେ ଉତ୍କ୍ଷିପ୍ତ ହୋଇ ବିଟୁ ଏକ ଛୁରୀରେ ଟୁନାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ବେକ କାଟିଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ଟୁନା ଗୁରୁତର ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ନିମଖଣ୍ଡି ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଏହି ମାମଲାରେ ଅଭିଯୁକ୍ତ ବିଟୁ ନାୟକଙ୍କୁ ଗିରଫ କରିଛି। ଆକ୍ରମଣରେ ବ୍ୟବହୃତ ଛୁରୀ ପୋଲିସ ଜବତ କରିଛି।
ସୂଚନାରୁ ପ୍ରକାଶ; ମୃତ ଟୁନା ହେଉଛନ୍ତି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ତାଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧୀକ ମାମଲା ରହିିଛି। ପାର୍ବଣ ପୂର୍ବରୁ ଟୁନାଙ୍କ ହତ୍ୟାକୁ ନାନା କଥା ଚର୍ଚ୍ଚା ହେଉଛି। ଏହା ଗ୍ୟାଙ୍ଗୱାର ପ୍ରାରମ୍ଭିକ ପର୍ଯ୍ୟାୟ ବୋଲି ଆଲୋଚନା ହେଉଛି। ଏହି ମାମଲାରେ କେବଳ ବିଟୁ ଅଭିଯୁକ୍ତ ଅଛି ନା, ଏହା ପରେ ଆଉ କାହାର ହାତ ରହିଛି। ତାହା ଉପରେ ପୋଲିସ ତଦନ୍ତ କରିବା ଦରକାର ବୋଲି ଆଲୋଚନା ହେଉଛି।

