ମାଲିକ ଝିଅକୁ ପ୍ରେମ କରିବା ପଡିଲା ମହଙ୍ଗା, ଅକାଳରେ ଗଲା ଜୀବନ

ଗୁରୁତର ଆହାତ କିରଣଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବେଙ୍ଗାଲୁରୁ: ନିଜ ଝିଅ ସହ ପ୍ରେମ ସମ୍ପର୍କ ରଖିଥିବା ଜାଣିବା ପରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗ ହୋଇଛି। ବେଙ୍ଗାଲୁରୁରେ ଏହି ଘଟଣା ଘଟିଛି। ମୃତ ଯୁବକଙ୍କ ବୟସ ୨୨ ବର୍ଷ। ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମୃତ ଯୁବକ ହେଉଛନ୍ତି କିରଣ। ତାଙ୍କ ଘର କେରଳର ପାଲକ୍କାଡ ଜିଲ୍ଲାର ତିରୁଭେଗପୁରା ଅଞ୍ଚଳରେ।

ସୂଚନା ଅନୁସାରେ, କିରଣ ଗତ କିଛି ବର୍ଷ ହେଲା ଆନନ୍ଦରାଜଙ୍କ କାରଖାନାରେ ନିଜ ଭାଇଙ୍କ ସହ କାମ କରୁଥିଲେ କିରଣ। ତେବେ କିରଣଙ୍କ ସହ ଆନନ୍ଦରାଜଙ୍କ ୧୯ ବର୍ଷୀୟ ଝିଅର ପ୍ରେମ ସମ୍ପର୍କ ଥିବା କଥା ନିକଟରେ ଜାଣିବାକୁ ପାଇଥିଲେ ଆନନ୍ଦରାଜ। ତାଙ୍କ ଝିଅ ଏକ ନିକଟସ୍ଥ ସହରରେ ପାଠ ପଢ଼ୁଥିବା ବେଳେ ଛୁଟିରେ ଘରକୁ ଆସିଥିଲେ।

ପୋଲିସ କହିବା ଅନୁସାରେ, ଗତ ମଙ୍ଗଳବାର ସକାଳେ ଆନନ୍ଦରାଜ ଓ ତାଙ୍କ ପତ୍ନୀ ଘରୁ ବାହାରିଥିଲେ। ଦିନସାରା ଘରକୁ ଫେରିବେ ନାହିଁ ବୋଲି ସେମାନେ ଝିଅକୁ କହିଥିଲେ।

କିନ୍ତୁ କିଛି ଘଣ୍ଟା ପରେ ଉଭୟ ଘରକୁ ଫେରିବାରୁ ନିଜ ଘରର ଏକ କୋଠରୀରେ କିରଣଙ୍କୁ ଦେଖିଥିଲେ। ଏହି ଘଟଣା ପରେ ଆନନ୍ଦରାଜଙ୍କ ଝିଅକୁ ଚିକ୍କବଲ୍ଲାପୁରରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇ ଦିଆଯାଇଥିଲା। ହେଲେ କିରଣ ସେଠାରେ ହିଁ ରହିଥିଲେ।

ଏହାପରେ ଆନନ୍ଦରାଜ କିରଣଙ୍କୁ ମାଡ଼ ମାରିଥିବା ପୋଲିସ କହିଛି। ମାଡ଼ରେ କିରଣଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା ଏବଂ ସେ ଅଚେତ ହୋଇଯାଇଥିଲେ।

ପରିବାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର କିରଣଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ହସ୍ପିଟାଲ ପକ୍ଷରୁ ୟେଲାହାଙ୍କା ଥାନାକୁ ଖବର ଦିଆଯାଇଥିଲା।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ଆନନ୍ଦରାଜଙ୍କୁ ଗିରଫ କରିଛି। ଘଟଣା କିପରି ଘଟିଲା, ସେନେଇ ପୋଲିସ ଅଧିକ ତଦନ୍ତ କରୁଛି।