ସରକାରୀ ବ୍ୟବସ୍ଥାକୁ ପ୍ରଶ୍ନ କରୁଛନ୍ତି ପବନ କୁମାର; ସାର, ମୁଁ ବଞ୍ଚିଛି…
ସରକାରୀ ତ୍ରୁଟି ସୁଧାରିବା ପାଇଁ ପବନ କୁମାର ସ୍ଥାନୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ କୌଣସି ସମାଧାନର ରାସ୍ତା ବାହାରିଲା ନାହିଁ। ତେଣୁ ସେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅଭିଯୋଗ କରିଥିଲେ
ନୋଏଡ଼ା: ଫରିଦାବାଦର ପବନ କୁମାର। ସେ ବଞ୍ଚିଛନ୍ତି। ଚାଲୁଛନ୍ତି ଓ କାମଦାମ କରୁଛନ୍ତି। ହେଲେ ସରକାରୀ ନଥିରେ ତାଙ୍କୁ ମାରି ଦିଆଯାଇଛି। ଯେଉଁଥିପାଇଁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ନିଜକୁ ଜୀବିତ ବୋଲି ଦର୍ଶାଇବା ପାଇଁ ଗତ ଦୁଇ ବର୍ଷରେ ସରକାରୀ କାର୍ଯ୍ୟାଳୟର ଚକ୍କର କାଟୁଛନ୍ତି। ଆଉ ହାତ ଯୋଡ଼ି ଗୁହାରୀ କରୁଛନ୍ତି। କହୁଛନ୍ତି ସାର, ମୁଁ ବଞ୍ଚିଛି…। ମାରିଦେଲା।
ବଲ୍ଲଭଗଡ଼ ମିର୍ଜାପୁର ଗାଁର ବାସିନ୍ଦା ହେଉଛନ୍ତି ୪୯ ବର୍ଷୀୟ ପବନ କୁମାର। ସେ ବଞ୍ଚିଛନ୍ତି। କିନ୍ତୁ ୨୦୨୪ ମସିହାରେ ସରକାରୀ ରେକର୍ଡ଼ରେ ତାଙ୍କୁ ମୃତ ବୋଲି ଦର୍ଶା ଯାଇଛି। ସେହି ସରକାରୀ ଭୁଲ ଯୋଗୁଁ ତାଙ୍କ ଜୀବନ ପ୍ରଭାବିତ ହୋଇଛି। ସେ ଅନେକ ଜରୁରୀ ସରକାରୀ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉଛନ୍ତି।
ସରକାରୀ ତ୍ରୁଟି ସୁଧାରିବା ପାଇଁ ପବନ କୁମାର ସ୍ଥାନୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ କୌଣସି ସମାଧାନର ରାସ୍ତା ବାହାରିଲା ନାହିଁ। ତେଣୁ ସେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅଭିଯୋଗ କରିଥିଲେ। ଏପରିକି ଜନ ଅଭିଯୋଗ ଶୁଣାଣୀ ଶିବିରରେ ଗୁହାରୀ କରିଥିଲେ। କିନ୍ତୁ ପ୍ରତିଥର ତାଙ୍କୁ କେବଳ ପ୍ରତିଶ୍ରୁତି ମିଳୁଥିଲା। ହେଲେ ସମାଧାନର ରାସ୍ତା ମିଳୁନଥିଲା। ସେହି ଭୁଲ୍ ଯୋଗୁଁ କେବଳ ତାଙ୍କ ପରିଚୟ ଉପରେ ପ୍ରଶ୍ନ ଉଠୁନାହିଁ, ବରଂ ତାଙ୍କୁ ସାମାଜିକ ଓ ଆର୍ଥିକ ସ୍ତରରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଅନେକ ଯୋଜନାର ଲାଭ ବନ୍ଦ ହୋଇଯିବା ଯୋଗୁଁ ଚଳିବାରେ ଅସୁବିଧା ହେଉଛି।
ପବନ କୁମାର କହିଛନ୍ତି, ଗତ ଦୁଇ ବର୍ଷ ହେଲା କ୍ରମାଗତ ଭାବେ ସରକାରୀ କାର୍ୟ୍ୟାଳୟ ଗୁଡ଼ିକୁ ଦୌଡ଼ୁଛନ୍ତି। ପ୍ରତିଥର ନୂଆ ନୂଆ କାଗଜପତ୍ର ଦେଉଛି। ବାରମ୍ବାର ଅଧିକାରୀମାନଙ୍କୁ ଗୁହାରି କରୁଛି। କିନ୍ତୁ ଏପର୍ୟ୍ୟନ୍ତ ସମାଧାନ ହେଉନାହିଁ। ଯେଉଁଥିପାଇଁ ମାନସିକ ଓ ଆର୍ଥିକ ରୂପେ ପ୍ରଭାବିତ ହେଉଛି।
ପବନ କୁମାର ଏବେ ଆଶା ବାନ୍ଧି ବସିଛନ୍ତି ପ୍ରଶାସନ ତାଙ୍କ ପରିଚୟକୁ ଶୀଘ୍ର ସଠିକ୍ କରିବ। ତାଙ୍କୁ ତାଙ୍କର ଅଧିକାର ଓ ସୁବିଧା ଫେରସ୍ତ ମିଳିବ।

