ମହାବଳ ଆକ୍ରମଣରେ ଗଲା ମଣିଷର ଜୀବନ!

ଲଣ୍ଡନର ୱାଇଲ୍ଡଲାଇଫ୍ ପାର୍କରେ ଏହି ଦୁଃଖଦ ଘଟଣା ଘଟିଥିଲା। ଘଟଣା ପରେ ପାର୍କକୁ ଖାଲି କରାଯାଇଥିଲା। ପୁଲିସ ସ୍ପଷ୍ଟ କରିଛି ଯେ, ଏହି ଘଟଣାରେ ବାଘଟିର କୌଣସି କ୍ଷତି ହୋଇନାହିଁ।

ଲଣ୍ଡନ: ଉତ୍ତର ଇଂଲଣ୍ଡର ୟର୍କଶାୟର ୱାଇଲ୍ଡଲାଇଫ୍ ପାର୍କରେ ଶନିବାର ଅକ୍ଟୋବର ୧୦ ତାରିଖରେ ଏକ ଅଘଟଣ ଘଟିଛି। ବାଘ ରହୁଥିବା ଖୁଆଡ଼ ଭିତରକୁ ପଶି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବାଘଟି ତାଙ୍କୁ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ବିଷୟରେ ସୂଚନା ମିଳିବା ପରେ ଜରୁରୀକାଳୀନ ସେବା ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଥିଲା। ଦକ୍ଷିଣ ୟର୍କଶାୟର ପୁଲିସ କହିଛି ଯେ, ସ୍ଥାନୀୟ ସମୟ ଅନୁସାରେ ଅପରାହ୍ଣ ପ୍ରାୟ ୧ଟା ୩୫ ମିନିଟ୍‌ରେ ଜଣେ ବ୍ୟକ୍ତି ବାଘ ଖୁଆଡ଼ ଭିତରକୁ ପଶିଥିବା ନେଇ ଖବର ମିଳିଥିଲା।

ମୃତ ବ୍ୟକ୍ତିଙ୍କ ନାମ ଓ ପରିଚୟ ଏଯାଏଁ ପ୍ରକାଶ କରାଯାଇନାହିଁ। ତାଙ୍କ ମୃତ୍ୟୁ ବିଷୟରେ ପରିବାରକୁ ଜଣାଇ ଦିଆଯାଇଛି। ଏହି ଦୁଃଖଦ ସମୟରେ ପରିବାରକୁ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ଅଧିକାରୀମାନେ ନିୟୋଜିତ ହୋଇଛନ୍ତି।

ଏହି ଘଟଣା ପରେ ପାର୍କରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ବ୍ୟକ୍ତି ଜଣକ କିପରି ବାଘ ଖୁଆଡ଼ ଭିତରକୁ ପଶିଲେ ଏବଂ ଘଟଣା କେଉଁ ପରିସ୍ଥିତିରେ ଘଟିଲା, ସେନେଇ ପୁଲିସ ତଦନ୍ତ କରୁଛି।

ପୁଲିସ ସ୍ପଷ୍ଟ କରିଛି ଯେ, ଏହି ଆକ୍ରମଣରେ ବାଘଟିର କୌଣସି କ୍ଷତି ହୋଇନାହିଁ। ବାଘଟି ନିଜ ଖୁଆଡ଼ ଭିତରେ ରହିଛି ଏବଂ ଏହି ଘଟଣାରୁ ସାଧାରଣ ଲୋକଙ୍କ ପାଇଁ ଆଉ କୌଣସି ବିପଦ ନାହିଁ।

ପାର୍କ କର୍ତ୍ତୃପକ୍ଷ କହିଛନ୍ତି ଯେ, ଘଟଣାର କାରଣ ଜାଣିବା ପାଇଁ ସେମାନେ ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଏଥିସହ ଘଟଣାର ଭୟଙ୍କର ଭିଡିଓକୁ ସୋସିଆଲ ମିଡିଆରେ ସେୟାର ନକରିବାକୁ ପୁଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।