ରାଜଧାନୀରେ ବୀଭତ୍ସ; ଘର ସାମ୍ନାରେ ସଙ୍ଗୀତଜ୍ଞଙ୍କୁ ପିଟିପିଟି ହତ୍ୟା!

ବିକ୍ରମ ସିଂହଙ୍କ ମୃତ୍ୟୁ ପରେ ପୋଲିସ ହତ୍ୟା ଧାରାରେ ଏଫଆଇଆର ରୁଜୁ କରିଛି। ଘଟଣାରେ ସମ୍ପୃକ୍ତ ଥିବା କେତେକ ଯୁବକଙ୍କୁ ପୋଲିସ ଧରିଛି।

ନୂଆଦିଲ୍ଲୀ: ଘର ସାମ୍ନାରେ ହେଉଥିବା ଅତ୍ୟଧିକ ଶବ୍ଦ ଓ ହୋହଲ୍ଲାକୁ ବିରୋଧ କରିବା ଜଣେ ଅବସରପ୍ରାପ୍ତ ସଙ୍ଗୀତଜ୍ଞଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏପରି ବୀଭତ୍ସ ଘଟଣା ଦେଶର ରାଜଧାନୀ ନୂଆଦିଲ୍ଲୀରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ୬ ଜଣଙ୍କୁ ହେପାଜତକୁ ନେଇଛି। ଏଥିରେ କେତେ ନାବାଳକ ଥିବା ଜଣାପଡ଼ିଛି।

ମଣିପୁରର ୫୪ ବର୍ଷୀୟ ଅବସରପ୍ରାପ୍ତ ସଙ୍ଗୀତଜ୍ଞ ତଥା ସଙ୍ଗୀତ ଶିକ୍ଷକ ଚୋଙ୍ଗଥମ ବିକ୍ରମ ସିଂହ ଦିଲ୍ଲୀର କିଲୋକରି ଗାଁରେ ରହୁଥିଲେ। ଆଜି ତାଙ୍କ ଘର ସାମ୍ନାରେ କେତେକ ଡେଲିଭରି ବୟ ଓ ଢାବା କର୍ମଚାରୀ ହୋହଲ୍ଲା କରୁଥିଲେ। ବିକ୍ରମ ସିଂହ ଏହାକୁ ବିରୋଧ କରିଥିଲେ। ଯେଉଁଥିପାଇଁ ଉଭୟ ପକ୍ଷରୁ ଯୁକ୍ତିତର୍କ ହୋଇଥିଲା। ଦେଖୁ ଦେଖୁ ବିବାଦ ମାରପିଟରେ ପରିଣତ ହୋଇଥିଲା।

ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ବିକ୍ରମ ସିଂହଙ୍କୁ ଘେରିଯାଇ ପ୍ରବଳ ପିଟିଥିଲେ।ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସନଲାଇଟ୍ କଲୋନୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଚୋଙ୍ଗଥମ ବିକ୍ରମ ସିଂହଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଲ୍ଲୀର ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିକ୍ରମଙ୍କ ମୃତ୍ୟୁ ହୋଇଥିଲା।

ବିକ୍ରମ ସିଂହଙ୍କ ମୃତ୍ୟୁ ପରେ ପୋଲିସ ହତ୍ୟା ଧାରାରେ ଏଫଆଇଆର ରୁଜୁ କରିଛି। ଘଟଣାରେ ସମ୍ପୃକ୍ତ ଥିବା କେତେକ ଯୁବକଙ୍କୁ ପୋଲିସ ଧରିଛି। ଧରାପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରେ କେତେକ ନାବାଳକ ଅଛନ୍ତି। ନାବାଳକଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

ଘଟଣାର ପ୍ରକୃତ କାରଣ, ବିବାଦ କିପରି ଆରମ୍ଭ ହେଲା, ଆକ୍ରମଣରେ କେତେଜଣ ସାମିଲ ଥିଲେ ଏବଂ କାହାର କଣ ଭୂମିକା ଥିଲା? ସେସବୁ ଦିଗରୁ ପୋଲିସ ତଦନ୍ତ ଜାରି ରଖିଛି। ଆଖପାଖର ଲୋକଙ୍କଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି।