ବିଲ୍ଡିଂର ୪୩ତମ ମହଲାରୁ ଡେଇଁଲେ ଯୁବକ, ଖଣ୍ଡବିଖଣ୍ଡ ହୋଇଗଲା ପୂରା ଶରୀର, ରହସ୍ୟ ଘେରରେ ମୃତ୍ୟୁ

ଗୋଟିଏ ଦିନ ପାଇଁ ଆସିଥିଲେ, ହଠାତ୍ ଘଟିଲା ଏମିତି ଅଘଟଣ! ସମସ୍ତ ଛାନିଆ।

ଉତ୍ତରପ୍ରଦେଶ: ଶୂନ ଶାନ୍ ରାତି ଆଉ ହଠାତ୍ ଘଟିଲା ଏକ ଦୁଃଖଦ ଘଟଣା। ଆକାଶଛୁଆଁ ସୁପରନୋଭା ବିଲ୍ଡିଂର ୪୩ତମ ମହଲାରୁ ଜଣେ ଯୁବକ ତଳକୁ ଡେଇଁ ପଡ଼ିବା ଖବର ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି।

କିଛି ସମୟ ପୂର୍ବରୁ ଯେଉଁ ଯୁବକ ଏକା ବିଲ୍ଡିଂର ଏକ ରୁମ୍‌ରେ ରହିବାକୁ ଆସିଥିଲେ, ପରେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଘଟଣା ପଛର ପ୍ରକୃତ କାରଣ କ’ଣ, ତାହା ଏବେ ବି ରହସ୍ୟ ଘେରରେ।

ନୋଏଡାର ସେକ୍ଟର-୯୪ ସ୍ଥିତ ସ୍ପାୟରା ବିଲ୍ଡିଂ, ଯାହା ସୁପରନୋଭା ନାମରେ ପରିଚିତ, ସେଠାରେ ଶନିବାର (୩ ଅକ୍ଟୋବର ୨୦୨୬) ଏହି ଦୁଃଖଦ ଘଟଣା ଘଟିଛି। ୪୩ତମ ମହଲାରୁ ଜଣେ ଯୁବକ ଡେଇଁ ପଡିଥିବା ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ହଠାତ୍ ଭିଡ଼ ଜମିଥିଲା।

ମୃତକଙ୍କ ପରିଚୟ ଗୁରୁଗ୍ରାମ ମାନେସର ଅଞ୍ଚଳର ବାସିନ୍ଦା ସମ୍ଭବ ଜୈନ ବୋଲି ଜଣାପଡ଼ିଛି। ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୂରିବୁଲୁଥିବା ଜଣାପଡିଛି।

ଗୋଟିଏ ଦିନ ପାଇଁ ଆସିଥିଲେ: ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ସମ୍ଭବ ଜୈନ ଏକା ସ୍ପାୟରା ବିଲ୍ଡିଂର ଏକ ରୁମ୍‌ରେ ଗୋଟିଏ ଦିନ ରହିବା ପାଇଁ ଆସିଥିଲେ। ଅର୍ଥାତ୍, ଏହି ଘଟଣାର କିଛି ସମୟ ପୂର୍ବରୁ ସେ ସେଠାରେ ପହଞ୍ଚିଥିଲେ।

କିନ୍ତୁ ହଠାତ୍ ଏଭଳି ଘଟଣା କାହିଁକି ଘଟିଲା? ତାଙ୍କ ମନରେ କ’ଣ ଚାଲିଥିଲା? ଏବଂ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏବେବି ଖୋଜୁଛି ପୋଲିସ।

ପ୍ରାଥମିକ ତଦନ୍ତରୁ ସେ ମାନସିକ ଚାପରେ ଥିବା ନେଇ ଆଖପାଖର ଲୋକଙ୍କଠାରୁ ସୂଚନା ମିଳିଥିବା ପୋଲିସ କହିଛି। ତେବେ ଏହା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ: ଖବର ପାଇ ତୁରନ୍ତ ସେକ୍ଟର-୧୨୬ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ସହିତ ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଟିମ୍‌ ମଧ୍ୟ ସ୍ଥଳରେ ପହଞ୍ଚି ଆବଶ୍ୟକ ପ୍ରମାଣ ସଂଗ୍ରହ କରିଛି।

ପୋଲିସ ବିଲ୍ଡିଂ ଏବଂ ଏହାର ଆଖପାଖରେ ଲାଗିଥିବା CCTV କ୍ୟାମେରାର ଫୁଟେଜ୍‌ ଯାଞ୍ଚ ଆରମ୍ଭ କରିଛି। ଯୁବକଙ୍କ ଗତିବିଧି, ସେ କାହା ସହିତ ଯୋଗାଯୋଗରେ ଥିଲେ କି ନାହିଁ ଏବଂ ଘଟଣା ପୂର୍ବରୁ କ’ଣ ଘଟିଥିଲା, ସେନେଇ ତଦନ୍ତ ଚାଲିଛି।

ପରିବାରକୁ ଦିଆଗଲା ସୂଚନା: ପୋଲିସ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଥିବା ବେଳେ ପରିବାର ଲୋକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଛି। ଘଟଣାର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି।

ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ତଦନ୍ତରୁ ମିଳିବାକୁ ଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।