ହସଖୁସିର ପରିବାରରେ ରକ୍ତର ହୋଲି, ମା’, ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଟ୍ରେନ୍ ଆଗକୁ ଡେଇଁଲା ଯୁବକ
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁକୁ ନେଇ ପୂରା ଅଞ୍ଚଳରେ ଖେଳିଗଲା ଶୋକର ଛାୟା।
ମଧ୍ୟପ୍ରଦେଶ: ଘର ଭିତରେ ନିଜ ପରିବାର ସଦସ୍ୟଙ୍କ ରକ୍ତରେ ଖେଳିଥିଲା ହୋଲି। ଯେଉଁ ଘରେ ଦିନେ ହସଖୁସିରେ ବିତୁଥିଲା ସମୟ, ସେହି ଘର ପାଲଟିଗଲା ମୃତ୍ୟୁର ଗନ୍ତାଘର। ରକ୍ତ ସମ୍ପର୍କକୁ ଭୁଲିଗଲା ଜଣେ ଯୁବକ। ନିଜ ହାତରେ ନିଜ ପରିବାରକୁ ଶେଷ କରିଦେଲା।
ପ୍ରଥମେ ମା’, ସ୍ତ୍ରୀ ଓ ଦୁଇ ନିଷ୍ପାପ ଶିଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା। ଆଉ ତା’ପରେ ନିଜେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଦେଲା। ଗୋଟିଏ ଘଟଣାରେ ଉଜୁଡ଼ିଗଲା ପୂରା ପରିବାର। ଏଭଳି ଛାତିଥରା ସାମୂହିକ ହତ୍ୟାକାଣ୍ଡକୁ ନେଇ ମଧ୍ୟପ୍ରଦେଶର ଭୋପାଳରେ ଖେଳିଯାଇଛି ତୀବ୍ର ଆତଙ୍କ।
ଘର ଭିତରେ ୪ ଜଣଙ୍କୁ ହତ୍ୟା: ସୂଚନା ଅନୁସାରେ, ଘଟଣାଟି ଭୋପାଳର ମାଲିଖେଡ଼ି ଅଞ୍ଚଳରେ ଘଟିଛି। ଛୋଲା ମନ୍ଦିର ଥାନା ଅଧୀନରେ ଥିବା ଏହି ଅଞ୍ଚଳରେ ଜଣେ ଯୁବକ ନିଜ ପରିବାରର ୪ ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।
ଅଭିଯୁକ୍ତ ଯୁବକ ନିଜ ମା’, ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ଗଳା କାଟି ହତ୍ୟା କରିଥିଲା। ଘର ଭିତରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇବା ପରେ ସେ ସେଠାରୁ ଫେରାର ହୋଇଯାଇଥିଲା।
ପରିବାରକୁ ଶେଷ କରି ନିଜେ ଜୀବନ ହାରିଲା: ପରିବାରର ୪ ଜଣଙ୍କୁ ହତ୍ୟା କରିବା ପରେ ଯୁବକ ଜଣକ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲା। ଟ୍ରେନ୍ରେ କଟି ତା’ର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଏହିପରି ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲିଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଶୋକ ଓ ଆତଙ୍କର ବାତାବରଣ ଖେଳିଯାଇଛି।
ତେବେ ଯୁବକ ଜଣକ କାହିଁକି ଏଭଳି ଭୟଙ୍କର ପଦକ୍ଷେପ ନେଲା? ଏହି ହତ୍ୟାକାଣ୍ଡ ପଛରେ କ’ଣ ରହିଛି କାରଣ? ଏଯାଏଁ ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ଏହି ଲୋମଟାଙ୍କୁରା ଘଟଣା ପଛର ପ୍ରକୃତ କାରଣ ସାମ୍ନାକୁ ଆସିବ।


