fbpx

ନିଜର ଉପସ୍ଥିତ ବୁଦ୍ଧି ପାଇଁ ଯୁବକଙ୍କ ଜୀବନ ବଞ୍ଚିଲା, ଗିରଫ ହେଲେ ହାଇୱେ ଲୁଟେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ହାଇୱେ ଲୁଟେରାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଲୁଟୋରଙ୍କ ପ୍ରାଦୃର୍ଭାବ ଯୋଗୁଁ ଜନସାଧାରଣ ଘରୁ ବାହାରିବାକୁ ଡରୁଛନ୍ତି । ମାତ୍ର ବାଲିଚନ୍ଦ୍ରପୁରର ଜଣେ ଯୁବକ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଲୁଟେରାଙ୍କୁ ପାନେ ଦେବାରେ ସକ୍ଷମ ହୋଇଛନ୍ତି । ପୋଲିସ ଏହି ୩ ହାଇୱେ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଉକ୍ତ ଯୁବକଙ୍କ ସାହସିକତାକୁ ସମସ୍ତେ ପ୍ରଶଂସା କରୁଥିବାର ଦେଖାଯାଇଛି ।

ସୂଚନା ଅନୁଯାୟୀ, ରାତି ୮ଟା ସମୟରେ ପାରାଦୀପ-ଚଣ୍ଡିଖୋଲ ୫୩ନଂ ଜାତୀୟ ରାଜପଥରେ ମାହାଙ୍ଗାର ସନ୍ତୋଷ କୁମାର ସିଂ ବାଇକରେ ଆସୁଥିଲେ । ଏହି ସମୟରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ ଫୋନ୍ ଲୁଟିନେଇଥିଲେ । ଏହି ସମୟରେ ସନ୍ତୋଷ ଦୁର୍ବୃତ୍ତଙ୍କୁ ଅଟକାଇବା ସହ ଚିତ୍କାର କରିଥିଲେ । ତାଙ୍କର ଡାକ ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହ ଲୁଟେରାଙ୍କୁ କାବୁ କରିନେଇଥିଲେ । ଏହାପରେ ପୋଲିସ ପହଞ୍ଚି ସେମାନଙ୍କଠାରୁ ୪ଟି ମୋବାଇଲ ଫୋନ, ଧାରୁଆ ଛୁରୀ ଓ ନକଲି ବନ୍ଧୁକ, ବାଇକ୍ ଜବତ କରିଥିଲା । ପୂର୍ବରୁ ଦୁଇ ଦୁଇ ଥର ଲୁଟ କରି ଏମାନେ ଫେରାର ହୋଇଯାଇଥିବା ବାଲିଚନ୍ଦ୍ରପୁର ଥାନାଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ତିନି ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ନିଜର ସାହସିକତା ପାଇଁ ସନ୍ତୋଷ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

Get real time updates directly on you device, subscribe now.