ପ୍ରପୋଜ ମାରିବା ବାହାନାରେ ବାନ୍ଧି ନିଆଁ ଲଗାଇଲା, ଭିଡିଓ ଶୁଟ୍ କଲା

ପ୍ରେମରୁ ସନ୍ଦେହ; ତାପରେ ଏପରି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି

ପ୍ରପୋଜ ମାରିବା ବାହାନାରେ ପ୍ରେମିକକୁ ଚେୟାରରେ ବାନ୍ଧି ନିଆଁ ଲଗାଇ ଦେଲା। ଆଉ ସେହି ଘରେ ରହି ଭିଡିଓ ଶୁଟ୍ କଲା। ଏପରି ବୀଭତ୍ସ ଘଟଣା ଆଇଟି ସିଟି ବେଙ୍ଗାଲୁରୁରେ ଘଟିଛି। ପୋଲିସ ଏହି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପ୍ରେମରୁ ସନ୍ଦେହ; ତାପରେ ଏପରି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି।

ଦକ୍ଷିଣ ବେଙ୍ଗାଲୁରୁ ଅଞ୍ଜନାପୁର ଗାଁର ରୀମା(ଛଦ୍ମନାମ) ଏକ ଟେଲିଫୋନ୍ ଷ୍ଟୋରରେ କାମ କରୁଥିଲେ। ସେ ମାଆ ଓ ଭାଇଙ୍କ ସହିତ ରହୁଥିଲେ। ସେଠାରେ କାମ କରୁଥିବା କିରଣଙ୍କୁ ସେ ପ୍ରେମ କରୁଥିଲେ। ମାସେ ତଳେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିରଣଙ୍କୁ ରୀମା ବହୁତ ଭଲ ପାଉଥିଲେ। ସେ ଚାହୁଁଥିଲେ କିରଣ ତାଙ୍କ ପାଖେପାଖେ ରହୁ ଓ କଥା ହେଉ। ହେଲେ କିରଣ ନିଜ କାମରେ ବ୍ୟସ୍ତ ରହୁଥିବାରୁ ଆବଶ୍ୟତାଠାରୁ ବେଶୀ ସମୟ ଦେଇପାରୁନଥିଲେ। ଯେଉଁଥିପାଇଁ କିରଣଙ୍କୁ ସନ୍ଦେହ କରୁଥିଲେ ରୀମା।

ପୋଲିସର କହିବା ଅନୁସାରେ; ଗତ ମଙ୍ଗଳବାର ଘରେ କେହି ନଥିଲେ। କୌଣସି ବାହାନା କରି କିରଣଙ୍କୁ ରୀମା ନିଜ ଘରକୁ ଡାକିଥିଲେ। ଆଉ ଡାକରା ପାଇ ଧାଇଁ ଆସିଥିଲେ କିରଣ। ଉଭୟଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ହୋଇଥିଲା। ତାପରେ ନିଆରା ଢ଼ଙ୍ଗରେ ପ୍ରପୋଜ ମାରିବାର ବାହାନା କରି କିରଣଙ୍କ ଆଖିରେ ପଟି ବାନ୍ଧିଦେଲା।

ଚେୟାରରେ ବସାଇ ବାନ୍ଧି ଦେଇଥିଲା। ତାପରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲା। ନିଆଁ ଲାଗିବା ପରେ କିରଣ ଚିତ୍କାର କରୁଥିଲେ। ବଞ୍ଚାଅ ବଞ୍ଚାଅ ଆକୁଳ ନିବେଦନ କରୁଥିଲେ। ହେଲେ ପ୍ରତିଶୋଧ ନିଆଁରେ ଜଳୁଥିବା ରୀମାଙ୍କ କାନରେ ଏସବୁ କଥା ପଶୁନଥିଲା। ଚୁପ୍‌ଚାପ୍ ଠିଆ ହୋଇ ସବୁ ଘଟଣାର ଭିଡିଓ ଶୁଟ୍ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।