ଆଖିବୁଜା ଗୁଳି ଚଳାଇଲେ, ଘରେ ନିଆଁ ଲଗାଇଦେଲେ
ଆକ୍ରମଣ ସମୟରେ ୩ରୁ ଅଧିକ ଘରେ ପୋଡ଼ି ପାଉଁଶ ହୋଇଯାଇଛି। ଆକ୍ରମଣ ପରେ ଗାଁରେ ଆତଙ୍କ ଖେଳି ଯାଇଛି। ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି
ଇମ୍ଫାଲ: ପୁଣି ଥରେ ହିଂସାରେ ଜଳିଛି ମଣିପୁର। ସୋମବାର ସକାଳେ ହୋଇଛି ଆକ୍ରମଣ। ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସଶସ୍ତ୍ର ଆକ୍ରମଣକାରୀମାନେ ଗାଁରେ ପହଞ୍ଚି ଆଖି ବୁଜା ଗୁଳି ଚଳାଇଛନ୍ତି। ପରେ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗାଁରେ ୩ରୁ ଅଧିକ ଲୋକଙ୍କ ଘର ପୋଲିସ ପାଉଁଶ ହୋଇଯାଇଛି।
କାଙ୍ଗପୋକପି ଜିଲ୍ଲାର ତେଖାଙ୍ଗ କୁକି ଗାଁରେ ଘଟିଛି ଏହି ଘଟଣା। ଏହି ଗାଁଟି ତାମେଙ୍ଗଲଙ୍ଗ ଜିଲ୍ଲା ସୀମାକୁ ଲାଗି ରହିଛି। ପୋଲିସର କହିବା ଅନୁସାରେ, ସୋମବାର ସକାଳ ପ୍ରାୟ ୭ଟା ୪୦ ମିନିଟ୍ରେ କେତେକ ଅଜ୍ଞାତ ବ୍ୟକ୍ତି ଗାଁ ଉପରେ ଆକ୍ରମଣ କରିଥିଲେ। ସେମାନେ ଭୀଷଣ ଗୁଳି ଚଳାଇଥିଲେ।
ଆକ୍ରମଣରେ ହୋଇଖୋନେଙ୍ଗ (୨୦), ନେମନେଇଚୋଙ୍ଗ ଲ୍ହୁଜେମ (୫୨) ଓ ଲାମତିନଥାଙ୍ଗ (୩୫)ଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ହୋଇଖୋନେଙ୍ଗ ଓ ନେମନେଇଚୋଙ୍ଗ ମହିଳା ଥିଲେ। ଲାମତିନଥାଙ୍ଗଙ୍କ ପିତା ସେଇଲୁନ ଆହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆହତଙ୍କ ସମ୍ପୂର୍ଣ୍ଣ ସଂଖ୍ୟା ସ୍ପଷ୍ଟ ହୋଇନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି।
୩ଟି ଘର ଜାଳି ଦେଲେ: ଆକ୍ରମଣ ସମୟରେ ୩ରୁ ଅଧିକ ଘରେ ପୋଡ଼ି ପାଉଁଶ ହୋଇଯାଇଛି। ଆକ୍ରମଣ ପରେ ଗାଁରେ ଆତଙ୍କ ଖେଳି ଯାଇଛି। ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ଏହି ଆକ୍ରମଣ ପଛରେ କିଏ ରହିଛି, ତାହା ଜଣାପଡ଼ି ନାହିଁ। ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଛି।
କାଙ୍ଗପୋକପିରେ ଏହି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ କିଛି ଦିନ ପୂର୍ବରୁ ଏହି ରାସ୍ତାରେ ୪ ଜଣ ନାଗା ନାଗରିକଙ୍କୁ ହତ୍ୟା କରାଯାଇଥିଲା। ଗୁରୁବାର ଇମ୍ଫାଲ-ତାମେଇ ରୋଡ୍ରେ ସଶସ୍ତ୍ର ବ୍ୟକ୍ତିମାନେ କଥିତ ଭାବେ ଆମ୍ବୁସ କରି ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଆହୁରି ବଢ଼ିଯାଇଛି।
ଇମ୍ଫାଲ-ତାମେଇ ରୋଡ ପ୍ରାୟ ୧୨୦ କିଲୋମିଟର ଲମ୍ବା। ଏହି ରାସ୍ତା ଇମ୍ଫାଲ ଓ କାଙ୍ଗପୋକପିକୁ ତାମେଇ ଏବଂ ତାମେଙ୍ଗଲଙ୍ଗ ସହ ଯୋଡ଼ିଥାଏ। କାଙ୍ଗପୋକପି କୁକି-ଜୋ ସମୁଦାୟ ବହୁଳ ଜିଲ୍ଲା ହୋଇଥିବାବେଳେ ତାମେଙ୍ଗଲଙ୍ଗରେ ନାଗା ସମୁଦାୟର ଜନସଂଖ୍ୟା ଅଧିକ।
୧୩ ମେ ପରେ ବଢ଼ିଥିଲା ଉତ୍ତେଜନା: ମଣିପୁରରେ ନାଗା ଓ କୁକି ସମୁଦାୟ ମଧ୍ୟରେ ଉତ୍ତେଜନାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ୧୩ ମେ’ ଘଟଣା ସହ ଜଡ଼ିତ। ସେହି ଦିନ ନୋନି ଓ କାଙ୍ଗପୋକପିର ଦୁଇଟି ଭିନ୍ନ ସ୍ଥାନରେ ଆମ୍ବୁସ କରି ଆକ୍ରମଣ କରାଯାଇଥିଲା। ଏଥିରେ ୩ ଜଣ ଚର୍ଚ୍ଚ ନେତାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଉଭୟ ସମୁଦାୟ ମଧ୍ୟରେ ପ୍ରତିଶୋଧମୂଳକ କାର୍ୟ୍ୟକଳାପ ଆରମ୍ଭ ହୋଇଥିଲା। ସେହି ଦିନ ନାଗା ଏବଂ କୁକି-ଜୋ ସମୁଦାୟର ୪୮ ଜଣଙ୍କୁ ବନ୍ଧକ ରଖାଯାଇଥିବା ଖବର ସାମ୍ନାକୁ ଆସିଥିଲା। ପ୍ରାୟ ଏକ ମାସ ପରେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା।


