ଭାଙ୍ଗୁଛି ଭଦ୍ରକ ବିଜେଡି! ଦଳରୁ ସସ୍‌ପେଣ୍ଡ ହେଲେ ମଣ୍ଡଳ ଦମ୍ପତି; ଏବେ ଧରିବେ ପଦ୍ମ!

ଭାଙ୍ଗୁଛି ବିଜେଡିର ଭଦ୍ରକ ଗଡ଼...

ଭୁବନେଶ୍ୱର: ଭାଙ୍ଗୁଛି ବିଜେଡିର ଭଦ୍ରକ ଗଡ଼। ବିଜେଡ଼ିର ବରିଷ୍ଠ ନେତା, ଦକ୍ଷ ସଂଗଠକ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି ।

ତେବେ ଏହା ଭିତରେ ମୁକ୍ତିକାନ୍ତ ମଣ୍ଡଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଁ କୌଣସି ଦଳବିରୋଧୀ କାର୍ଯ୍ୟ କରିନି । ତେଣୁ କେଉଁ କାରଣରୁ ମୋତେ ବହିଷ୍କାର କରାଯାଇଛି ମତେ ତାହା ଜଣା ନାହିଁ । ତେବେ ଏହା ପୂର୍ବରୁ ଏହି ହେଭିୱେଟ୍ ନେତା ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା।

ନିର୍ବାଚନ ପର ଠାରୁ ମଣ୍ଡଳ ଦମ୍ପତି ଦଳ ଭିତରେ ଏକପ୍ରକାର କୋଣଠେସା ହୋଇଛନ୍ତି । ଏପରିକି ବହୁ ଦଳୀୟ କାର୍ଯ୍ୟକ୍ରମରେ ମଣ୍ଡଳ ଦମ୍ପତିଙ୍କୁ ଦେଖବାକୁ ମିଳୁନଥିଲା। ଏହା ସହ ଏହି ବିଜେଡି ନେତା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଆଲୋଚନା କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା। ଆଉ ବିଜେଡିରୁ ବିଦା ହେବା ଦ୍ବାରା ତାଙ୍କ ପାଇଁ ରାସ୍ତା ଫିଟିବାଦ ଏକ ପ୍ରକାରର ସବୁଜ ସଙ୍କେତ।

ଅପରପକ୍ଷେ ଜଣେ ଦୃଢ ସଂଗଠକ ଭାବେ ଜଣାଶୁଣା ମୁକ୍ତିକାନ୍ତ ମଣ୍ଡଳ ବିଜେପିରେ ମିଶିଲେ ଜିଲ୍ଲାରେ ବିଜେପି ଆହୁରି ମଜବୁତ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଭଦ୍ରକ ଜିଲ୍ଲାରେ ଏକ ବଡ଼ ରାଜନୈତିକ ହଲଚଲ ହେବାକୁଯାଉଛି ଯାହା ସମୟକୁ ଅପେକ୍ଷା ।

ସୁଚନାମୁତାବକ ଗତ ଡିସେମ୍ବର ମାସରେ ଭଦ୍ରକ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟକ ନେତା କର୍ମୀ ବିଜେଡି ଛାଡି ବିଜେପିରେ ମିଶିଥିଲେ । ସମିତି ସଭ୍ୟ, ସରପଞ୍ଚ, କାଉନସିଲର ମଧ୍ୟ ମିଶିଥିଲେ ବିଜେପିରେ । ତା ପୂର୍ବରୁ ଭଣ୍ଡାରିପୋଖରୀରୁ ଅନେକ ନେତା କର୍ମୀ ବିଜେପିରେ ମିଶିଥିଲେ। ତେବେ ଏହି ସମୟରେ ମଣ୍ଡଳ ଦମ୍ପତ୍ତିଙ୍କୁ ଦଳରୁ ବିଦା କରିବା ହୁଏତ ବିଜେଡି ପାଇଁ ବଡ ସମସ୍ୟା ସବ୍ୟସ୍ତ ହୋଇପାରେ ।