fbpx

ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତୁତ ନଥିଲେ ମନମୋହନ ସିଂହ, ସୋନିଆ-ରାହୁଲଙ୍କ ସାମ୍ନାରେ ରଖିଥିଲେ ଏହି ସର୍ତ୍ତ 

ଭୁବନେଶ୍ଵର : ବର୍ଷ ୨୦୦୪ରେ ଲୋକସଭା ନିର୍ବାଚନ ଜିତି ସମସ୍ତଙ୍କୁ ଚକିତ କରି ଦେଇଥିଲା ୟୁପିଏ। ଏହି ବିଜୟ ପରେ ଲାଗୁଥିଲା ସୋନିଆ ଗାନ୍ଧୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ହେଲେ ଅଚାନକ ସୋନିଆ ଗାନ୍ଧୀ ଡ. ମନମୋହନ ସିଂହଙ୍କ ନାମକୁ ଆଗକୁ ଆଣିଥିଲେ। ଏହା ପରେ ଦେଶକୁ ମନମୋହନ ସିଂହଙ୍କ ରୂପେ ନୂତନ ପ୍ରଧାନମନ୍ତ୍ରୀ ମିଳିଥିଲା। ସେହି ସମୟରେ ରାଜନୈତିକ ମହଲରେ ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପଦ ଏଡାଇ ଦେବା ପଛରେ ଅନେକ କାରଣ ଦର୍ଶାଗଲା ଏବଂ ଏହାର ଭିନ୍ନ ଭିନ୍ନ ଅର୍ଥ ମଧ୍ୟ ବାହାର କରାଗଲା। ଏଥିରୁ ପ୍ରମୁଖ କାରଣ ଥିଲା, ସେ ବିଦେଶୀ ମୂଳ ନିବାସୀ। ଲୋକେ କହିଥିଲେ ଜଣେ ଇଟାଲୀ ନାଗରିକ କେମିତି ଦେଶର ପ୍ରଧାନମନ୍ତ୍ରୀ ହେବେ ?

ହେଲେ ତତ୍କାଳୀନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ କହିଥିଲେ, ଯଦି ସୋନିଆ ଚାହିଁଥାନ୍ତେ ତେବେ ସେ ପ୍ରଧାନମନ୍ତ୍ରୀ ହୋଇ ପାରିଥାନ୍ତେ। ତାଙ୍କ ନିକଟକୁ ସବୁ ରାଜନୈତିକ ଦଳ ତରଫରୁ ଇ-ମେଲ ଓ ଚିଠି ଆସିଥିଲା। ଏଥିରେ ସୋନିଆଙ୍କୁ ପ୍ରଧାନମନ୍ତ୍ରୀ କରାଯିବାକୁ ବିରୋଧ କରାଯାଇଥିଲା। କିନ୍ତୁ ଏପରି ଦାବି ସାମ୍ବିଧାନିକ ଭାବେ ଉଚିତ୍ ନଥିଲା।

କଲାମ ନିଜ ପୁସ୍ତକରେ ଟର୍ଣ୍ଣିଂ ପଏଣ୍ଟରେ ଲେଖିଛନ୍ତି ଯେ, ୟୁପିଏ ଜିତିବା ପରେ ରାଷ୍ଟ୍ରପତି ଭବନ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ଦିଆଯିବା ସମ୍ବନ୍ଧିତ ଚିଠି ମଧ୍ୟ ପ୍ରସ୍ତୁତ କରି ସାରିଥିଲେ।  କିନ୍ତୁ ଯେବେ ସୋନିଆ ଗାନ୍ଧୀ ତାଙ୍କୁ ଭେଟିଲେ ଏବଂ ଡ. ମନମୋହନ ସିଂହଙ୍କ ନାମ ସାମ୍ନାରେ ରଖିଲେ, ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପରେ ପୁନର୍ବାର ଚିଠି ପ୍ରସ୍ତୁତ  କରିବାକୁ ପଡିଥିଲା ବୋଲି କଲାମ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ପରେ ସୋନିଆ ଗାନ୍ଧୀ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ମୋତେ ନିଜ ସୀମା ବିଷୟରେ ଜଣା ଥିଲା ଏବଂ ଏହା ମଧ୍ୟ ଜଣା ଥିଲା ଯେ, ଡ. ମନମୋହନ ସିଂହ ମୋଠୁ ଭଲ ପ୍ରଧାନମନ୍ତ୍ରୀ ସାବ୍ୟସ୍ତ ହେବେ। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଭାବେ ମନମୋହଙ୍କ ନାମ ଆଗରେ ରଖିଥିଲି।

ସୋନିଆ-ରାହୁଲଙ୍କ ସାମ୍ନାରେ ରଖିଥିଲେ ଏହି ସର୍ତ୍ତ

୨୦୦୯ ଲୋକସଭା ନିର୍ବାଚନରେ ପୁଣି ଥରେ ୟୁପିଏ ବିଜୟ ହାସଲ କରି ପୁନର୍ବାର ସରକାର ଗଠନ କରିଥିଲା। ସେହି ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ପଦକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ରାଜନୈତିକ ମହଲରେ ରାହୁଲ ଗାନ୍ଧୀଙ୍କ ନାମକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଥିଲା। ବରିଷ୍ଠ ସାମ୍ବାଦିକ ବୀର ସାଙ୍ଘଭି ନିଜ ପୁସ୍ତକ ‘ଅ ରୁଡ ଲାଇଫ: ଦ  ମେମୋଏର’ ରେ ଲେଖିଛନ୍ତି ଯେ, ଡ. ସିଂହ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ   ହେବାକୁ ପ୍ରସ୍ତୁତ ନଥିଲେ ଏବଂ ସୋନିଆ ଓ ରାହୁଲଙ୍କ ସାମ୍ନାରେ ସର୍ତ୍ତ ରଖିଥିଲେ। ସର୍ତ୍ତ ଏହା ଥିଲା ଯେ, ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ କାର‌୍ୟ୍ୟକାଳ ପୂରା କରିବାର ସୁଯୋଗ ମିଳିବ ତେବେ ଯାଇ ସେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ।

ଗୁଜବ ନେଇ ଚିନ୍ତିତ ଥିଲେ ମନମୋହନ ସିଂହ

ଉକ୍ତ ସମୟରେ ରାଜନୈତିକ ମହଲରେ ଏହି ଚର୍ଚ୍ଚା ଲାଗି ରହିଥିଲା ଯେ, କିଛି ବର୍ଷ ପରେ ମନମୋହନଙ୍କୁ ହଟାଇ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରାଯାଇପାରେ। ଏମିତି ଗୁଜବକୁ ନେଇ ମନମୋହ ସିଂହ ନିଜକୁ ଅଣନିଃଶ୍ଵାସୀ ମନେ କରୁଥିଲେ।  ସାଙ୍ଘଭି ଲେଖିଛନ୍ତି, ସେହି ସମୟରେ ରାହୁଲ ଗାନ୍ଧୀ ତାଙ୍କୁ ଆଶ୍ଵାସନ ଦେଇଥିଲେ ଯେ, ତାଙ୍କର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ। ଏହା ପରେ ଯାଇ ମନମୋହନ ସିଂହ ପୁନର୍ବାର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ।

 

 

Get real time updates directly on you device, subscribe now.