ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ଗଭୀର ଖାଇକୁ ଖସିପଡ଼ିଲା ତୀର୍ଥଯାତ୍ରୀ ବସ୍; 9 ମୃତ, ଅନେକ ଗୁରୁତର

ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ଗଭୀର ଖାଇକୁ ଖସିପଡ଼ିଲା ତୀର୍ଥଯାତ୍ରୀ ବସ୍ । ଅନେକ ମୃତ

ଅମରାବତୀ: ସକାଳୁ ସକାଳୁ ଭୟଙ୍କର ବସ ଦୁର୍ଘଟଣା । ଆନ୍ଧ୍ର ପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି । ଘଟି ରାସ୍ତା ଦେଇ ଯାଉଥିବା ଏକ ତୀର୍ଥଯାତ୍ରୀ ବସ ଖାଇକୁ ଖସି ପଡ଼ିଛି । ବସ୍ ନିୟନ୍ତ୍ରଣ ହରାଇ ଘାଟିରେ ଓଲଟି ପଡ଼ିଥିବା ଜଣା ପଡ଼ିଛି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଚଳମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ, କାରଣ ଅନେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର। ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲ୍ଲାର ଏହି ବସଟି ଭଦ୍ରାଚଲମରୁ ଅନ୍ନଭରମ୍ ଯାଉଥିବା ଜଣା ପଡ଼ିଛି ।

ବସ୍ ଟି ୩୦ ରୁ ଅଧିକ ଲୋକଙ୍କୁ ନେଇଯାଉଥିଲା

ଜିଲ୍ଲା ମାଜିଷ୍ଟ୍ରେଟ୍ ଦିନେଶ କୁମାର କହିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ ଆଲୁରି ସୀତାରାମ ରାଜୁ ଜିଲ୍ଲାର ଚିନ୍ତୁର-ମାରେଡୁମିଲ୍ଲୀ ଘାଟି ରାସ୍ତାରେ ଏକ ଘରୋଇ ଟ୍ରାଭେଲ୍ ବସ୍ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳେ ନଅ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ବସ୍ ଟି 30 ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା। ବସ୍ ଟି ତେଲେଙ୍ଗାନାର ଭଦ୍ରାଚଳମ୍ ରୁ ଅନ୍ନଭରମ୍ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଭଦ୍ରାଚଳମ୍ କ୍ଷେତ୍ର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ, କାରଣ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି

ଆଲୁରି ଜିଲ୍ଲାର ଚିନ୍ତୁର ମଣ୍ଡଳର ତୁଳସୀପାକାଲୁ ଘାଟି ରାସ୍ତାରେ ବସ୍ ଦୁର୍ଘଟଣା ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ବସ୍ ଦୁର୍ଘଟଣା ଏବଂ ଆହତମାନଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା ବିଷୟରେ ଅଧିକାରୀଙ୍କ ସହ କଥା ହୋଇଛନ୍ତି।