fbpx

ବିରାଟ କୋହଲିଙ୍କୁ ଅନେକ ଲୋକ ଇର୍ଷା କରୁଥିଲେ, ଆହୁରି ୨ ବର୍ଷ ଟେଷ୍ଟ ଅଧିନାୟକ ରହି ପାରିଥାନ୍ତେ’

ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ବଡ ବୟାନ ଦେଲେ ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ। ସେ କହିଛନ୍ତି, କୋହଲିଙ୍କୁ ଆଉ ଦୁଇ ବର୍ଷ ଟେଷ୍ଟ ଦଳର ଅଧିନାୟକ ପଦରେ ରହିବାର ଥିଲା। ତଥାପି ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରିବା ଉଚିତ୍। ଶାସ୍ତ୍ରୀ କହିଛନ୍ତି, ବହୁତ ଲୋକ ଏହି ତଥ୍ୟକୁ ହଜମ କରି ପାରିନଥାନ୍ତେ ଯେ, କୋହଲି କ୍ରିକେଟ୍ର ସବୁଠୁ ଲମ୍ବା ଫର୍ମାଟ୍ରେ ଅଧିନାୟକ ଭାବେ ୫୦-୬୦ ମ୍ୟାଚ୍ ଜିତି ପାରିଥାନ୍ତେ।
ସ୍ପୋର୍ଟ୍ସ ତକ ସହ ଆଲୋଚନା ବେଳେ ଶାସ୍ତ୍ରୀ କହିଛନ୍ତି, କ୍ରିକେଟ୍ ଜଗତକୁ ବିରାଟ କୋହଲିଙ୍କ ଟେଷ୍ଟ ଅଧିନାୟକ ଛାଡିବା ନିଷ୍ପତ୍ତିକୁ ସମ୍ମାନ କରିବା ଉଚିତ୍। ସେ ଭାରତର ସବୁଠୁ ସଫଳ ଟେଷ୍ଟ ଅଧିନାୟକ। ସେ ୪୦ ଟେଷ୍ଟ ମ୍ୟାଚ୍ରେ ଭାରତକୁ ବିଜୟୀ କରାଇଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ହାରିବା ପରେ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଥିଲେ।

ଶାସ୍ତ୍ରୀ କହିଛନ୍ତି, ବିରାଟ କୋହଲି ଆହୁରି ଦୁଇ ବର୍ଷ ଦଳର ନେତୃତ୍ଵ ନେଇ ପାରିଥାନ୍ତେ। କାରଣ ଆଗାମୀ ଦୁଇ ବର୍ଷ ଭାରତ ଘରୋଇ ମାଟିରେ ଅନେକ ସିରିଜ୍ ଖେଳିବ। ଏମିତିରେ କୋହଲିଙ୍କ ନେତୃତ୍ଵରେ ଭାରତ ୫୦-୬୦ ଟେଷ୍ଟ ମ୍ୟାଚ୍ ଜିତି ନେଇଥାନ୍ତା। ଆଉ ଏହାକୁ ଅନେକ ହଜମ କରି ପାରିନଥାନ୍ତେ। ବିରାଟ କୋହଲିଙ୍କୁ ଅନେକ ଲୋକ ଜଳୁଥିଲେ ବୋଲି ଶାସ୍ତ୍ରୀ କହିଛନ୍ତି। କୋହଲିଙ୍କ ଟେଷ୍ଟ ଅଧିନାୟକ ପଦ ଛାଡିବା ନିଷ୍ପତ୍ତି ଏଥିପାଇଁ ଆଚମ୍ବିତ ଥିଲା କାରଣ ସେ ୨୦୨୧ ସେପ୍ଟେମ୍ବରରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଅଧିନାୟକ ଛାଡିବା ପରେ କହିଥିଲେ ଯେ, ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ପଦରେ ରହିବାକୁ ଚାହାନ୍ତି। ଏହା ପରେ ୨୦୨୧ ଡିସେମ୍ଵରରେ କୋହଲିଙ୍କଠୁ ଦିନିକିଆ ଦଳର ଅଧିନାୟକ କାଢି ନିଆଗଲା। ଏହା ପରେ ୨୦୨୨ ଜାନୁଆରୀରେ କୋହଲି ଟେଷ୍ଟ ଅଧିନାୟକ ପଦ ମଧ୍ୟ ଛାଡିଛନ୍ତି।

Get real time updates directly on you device, subscribe now.