fbpx

ପୁଣି ଲାଲ ବାହିନୀର ତାଣ୍ଡବ: ପୋଲିସ ଇନଫର୍ମର ସନ୍ଦେହରେ ଗୁଇନ୍ଦା କର୍ମଚାରୀଙ୍କୁ କଲେ ହତ୍ୟା

ନୂଆଦିଲ୍ଲୀ: ଛତିଶଗଡ଼ରେ ପୁଣି ଦେଖିବାକୁ ମିଳିଛି ମାଓବାଦୀଙ୍କ ତାଣ୍ଡବ । ଗତକାଲି ବିଳମ୍ବିତ ରାତ୍ରିରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ହତ୍ୟା କରିଛି ଲାଲ ବାହିନୀ । ତେବେ ଏହି ହତ୍ୟାକାଣ୍ଡ ପରେ ସମ୍ପୃକ୍ତ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ଡିଆରଜି ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି କମଳ ଲୋଚନ କାଶ୍ୟପ ।

ଜଣାପଡ଼ିଛି ଯେ, ଗତକାଲି ରାତିରେ ବିଜାପୁର ଜିଲ୍ଲା ଗାଙ୍ଗାଲୁର ଅଞ୍ଚଳରେ ଏହି ତାଣ୍ଡବ ଦେଖିବାକୁ ମିଳିଛି । ସଶସ୍ତ୍ର ମାଓବାଦୀମାନେ ଏକ ଠିକା କମ୍ପାନୀ ଦ୍ୱାରା କରାଯାଉଥିବା ପିଏମଜିଏସୱାଇ ରାସ୍ତା କାମକୁ ବିରୋଧ କରିବା ସହ ୧୦-୧୨ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଜେସିବି, ମିକ୍ସର ମେସିନ ଓ ଟ୍ରାକ୍ସର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ସରକାରଙ୍କ ପକ୍ଷରୁ ଯେତେ କୁମ୍ବିଂ ଅପରେସନ ଓ ଏନକାଉଣ୍ଟର ହେଲେ ବି ମାଓବାଦୀ ମାନେ ଥମିବାର ନାଁ ଧରୁନାହାନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଏସପି ସୁରକ୍ଷାକର୍ମୀଙ୍କ ଏକ ଟିମ୍ ଘଟଣାସ୍ଥଳକୁ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.