fbpx

ସେନାରେ ସମାପ୍ତ ହେବ ଗୁଲାମୀର ଚିହ୍ନ, ବଦଳିବ ପୋଷାକ, ରେଜିମେଣ୍ଟର ହେବ ନୂତନ ନାମକରଣ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ନୌସେନାର ନୂତନ ପତାକାର ବିମୋଚନ କରିଛନ୍ତି। ପତାକାରୁ ଇଂରେଜ ଅମଳର ଚିହ୍ନ ରେଡ୍ କ୍ରସକୁ ହଟାଇ ଦିଆଯାଇଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ, ଏବେ ସେନାର ସମସ୍ତ ପୋଷାକ ପରିପାଟିରେ ପରିବର୍ତ୍ତନ କରାଯିବ। କାରଣ ଏସବୁ ପୋଷାକ ଇଂରେଜ ଶାସନ ଅମଳରୁ ଚାଲି ଆସିଛି। ଆଗାମୀ ସମୟରେ ସୈନିକଙ୍କ ପୋଷାକ, ସମାରୋହ ସହିତ ରେଜିମେଣ୍ଟର ନାମ ଏବଂ କୋଠା ନାମରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗୁରୁବାର ହେବାକୁ ଥିବା ବୈଠକରେ ସେନାର ଆଡଜୁଟେନ୍ଟ ଜେନେରାଲ ପ୍ରଚଳିତ ରୀତି ନିୟମ, ପୁରୁଣା ପ୍ରଥା ଏବଂ ନୀତିର ସମୀକ୍ଷା କରାଯିବ।

ସଂପ୍ରତି ସାମାଜିକ ଗଣମାଧ୍ୟମରେ ଏକ ଏଜେଣ୍ଡା ନୋଟ୍ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି। ସେନା ସୂତ୍ର ଅନୁଯାୟୀ, ଏହାର ଅର୍ଥ ନୁହେଁ ଯେ, ଉକ୍ତ ନୋଟରେ ଯାହା ଲେଖା ହୋଇଛି ସେସବୁ ପ୍ରସ୍ତାବ ଲାଗୁ କରାଯିବ। କୌଣସି ବି ପରିବର୍ତ୍ତନର କ୍ରିୟାନ୍ଵୟନ ପାଇଁ ସର୍ବ ପ୍ରଥମେ ଏହା ଉପରେ ବିସ୍ତୃତ ବିଚାର ବିମର୍ଶ କରାଯାଏ।

ଏଜେଣ୍ଡାର ନୋଟ୍ ଅନୁଯାୟୀ, ସେନାର ପୁରୁଣା ଏବଂ ପ୍ରଭାବହୀନ ପ୍ରଥାକୁ ହଟାଇବାର ସମୟ ଆସି ଯାଇଛି। ଏହାର ଅନୁରୂପ ସେନାର ପୋଷାକ ଏବଂ ସାମାନରେ ପରିବର୍ତ୍ତନ ନେଇ ବିଚାର କରାଯାଉଛି। ଏହା ସ୍ପଷ୍ଟ ହୋଇ ନାହିଁ ଯେ, କାନ୍ଧର ଚାରି ପଟେ ରଶି ରହିବ କି ନାହିଁ। ରେଜିମେଣ୍ଟର ନାମ ପରିବର୍ତ୍ତନ ଉପରେ ମଧ୍ୟ ବିଚାର କରାଯାଉଛି। ଉଲ୍ଲେଖନୀୟ ଶିଖ, ଗୋରଖା, ଜାଟ୍, ପଞ୍ଜାବ, ଡୋଗ୍ରା, ରାଜପୁତ ଏବଂ ଆସାମ ପରି ଇନଫ୍ରାଣ୍ଟି ରେଜିମେଣ୍ଟର ନାମ ଇଂରେଜଙ୍କ ଦ୍ଵାରା ରଖାଯାଇଥିଲା।
ଗତ ବର୍ଷ ଯୁଗ୍ମ କମାଣ୍ଡରଙ୍କ ଏକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବଳରେ ସିଦ୍ଧାନ୍ତ, ପ୍ରକ୍ରିୟା ଏବଂ ରୀତିନୀତିର ସ୍ଵଦେଶୀକରଣ ଉପରେ ଗୁରୁତ୍ଵ ଦେଇଥିଲେ। ସେ ତିନି ସେନାକୁ ଉକ୍ତ ପ୍ରଣାଳୀ ଏବଂ ପ୍ରଥାରୁ ମୁକୁଳିବାର ପରାମର୍ଶ ଦେଇଥିଲେ। ସେହି ପ୍ରଥାଗୁଡିକୁ ବନ୍ଦ କରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ, ଯାହାର ଉପଯୋଗିତା ଏବଂ ପ୍ରାସଙ୍ଗକିତା ସମାପ୍ତ ହୋଇ ସାରିଛି।

ସୂଚନାଯୋଗ୍ୟ, ଦେଶରେ ଆଜି ବି ଅନେକ କୋଠା, ସଡକ ଏବଂ ପାର୍କର ନାମ ବ୍ରିଟିଶ କମାଣ୍ଡରଙ୍କ ନାମରେ ରହିଛି। ଯେମିତି କି ସାର କ୍ଲାଉଡ ଓଚିନଲେକ ଏବଂ ହାର୍ବର୍ଟ କିଚନରଙ୍କ ନାମ। ଆଗାମୀ ସମୟରେ ଏହି ନାମଗୁଡିକ ପରିବର୍ତ୍ତନ କରାଯାଇପାରେ ବୋଲି କେନ୍ଦ୍ର ସରକାର ସଙ୍କେତ ଦେଇ ସାରିଛନ୍ତି।

Get real time updates directly on you device, subscribe now.