ପ୍ରେମ ନେଲା ଉଗ୍ରଋପ; ପରିବାରର ୮ ଜଣଙ୍କୁ ଛୁରି ଭୁସିଲା ସଫ୍ଟୱେୟାର ଇଞ୍ଜିନିୟର
ଜଣେ ପାଗଳପ୍ରାୟ ସଫ୍ଟୱେୟାର ଇଞ୍ଜିନିୟର ବିବାହର ଠିକ୍ ପୂର୍ବରୁ ନିଜ ପରିବାରର ଆଠ ଜଣ ସଦସ୍ୟଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି। ଏହି ରକ୍ତାକ୍ତ ସଂଘର୍ଷରେ ଅଭିଯୁକ୍ତର ପିଇସିଙ୍କର ମୃତ୍ୟୁ ହୋଇଥିବା ବେଳେ, ବାପା ଏବଂ ଭାଇ-ଭଉଣୀଙ୍କ ସମେତ ସାତ ଜଣ ଗୁରୁତର ଅଛନ୍ତି।
ବିହାର : ବିହାରର ସିୱାନରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି । କାରଣ ଯେଉଁ ଘରେ ଶେହନାଇ ବାଜିଥାନ୍ତି ଆଜି ସେଠାରେ ଶୋକର ଛାୟା ଖେଳିଯାଇଛି । ବାଙ୍ଗାଲୋରରେ କାମ କରୁଥିବା ଜଣେ ହାଇପ୍ରୋଫାଇଲ ସଫ୍ଟୱେୟାର ଇଞ୍ଜିନିୟର ନିଜ ବାହା ଘରର ଠିକ ପୂର୍ବରୁ ପରିବାରର ୮ ଜଣ ସଦସ୍ୟଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଦୀପକ କୁମାର ବାଙ୍ଗାଲୋରର ଏକ ପ୍ରତିଷ୍ଠିତ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ବାର୍ଷିକ ୪୦ ଲକ୍ଷ ଟଙ୍କାର ପ୍ୟାକେଜରେ କାମ କରୁଥିଲେ । ଦୀପକ ନିଜର ଜଣେ ସହକର୍ମୀଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ପରିବାର ଲୋକେ ତାଙ୍କ ଇଚ୍ଛା ବିରୋଧରେ ଅନ୍ୟତ୍ର କେଉଁଠାରେ ବିବାହ ସ୍ଥିର କରିଦେଇଥିଲେ । ସେ ୧୭ ଏପ୍ରିଲରେ ବିବାହ ପାଇଁ ନିଜ ଗାଁ କୁ ଆସିଥିଲେ । ଗତ ସୋମବାର ଦୀପକଙ୍କ ବିବାହ ହୋଇଥାନ୍ତା କିନ୍ତୁ ଏହାର ଦୁଇ ଦିନ ପୂର୍ବରୁ ଗହଣା କିଣାକିଣିକୁ ନେଇ ଘରେ ବିବାହ ଆରମ୍ଭ ହୋଇଯାଇଥିଲା ।
ଝଗଡା ଏତେ ବଢିଯାଇଥିଲା ଯେ, ଦୀପକ ହଠାତ ନିଜ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ସେଠାରେ ଥିବା ଛୁରିରେ ନିଜ ଆତ୍ମିୟ ଏବଂ ପରିବାର ସଦସ୍ୟଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଘଟଣାରେ ଦୀପକଙ୍କ ପିଇସିଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଗମ୍ଭୀର ଭାବେ ଗୁରୁତର ଅଛନ୍ତି । ଘଟଣା ଘଟାଇ ସାରିବା ପରେ ଅଭିଯୁକ୍ତ ନିଜକୁ ନିଜେ ଛୁରୀରେ ଆଘାତ କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା ।
ଯେତେବେଳେ ଗ୍ରାମବାସୀ ତାକୁ କାବୁ କରିବାକୁ ଚେଷ୍ଟା ସେତେବେଳେ ସେ ଫେରାର ହେବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ନାକାବନ୍ଦୀ କରି ତାକୁ କାବୁ କରିଥିଲା । ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ଘରକୁ ସିଲ କରିଛନ୍ତି ।
