ଘରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା; ରହସ୍ୟ ଖୋଜୁଛି ପୋଲିସ
ସାହି ପଡ଼ିଶା ଏନେଇ ସାତଶଙ୍ଖ ଫାଣ୍ଡିକୁ ସୂଚନା ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ଘର ଭିତରେ ପ୍ରବେଶ କରିଥିଲେ। ଘର ଭିତରେ ଦମ୍ପତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲେ
ଭୁବନେଶ୍ୱର: ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା! ବର୍ତ୍ତମାନ ସୁଦ୍ଧା ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଘର ଭିତରୁ ମିଳିଛି ଏକ ସାଇସାଇଡ୍ ନୋଟ୍। ସେଥିରେ ଆତ୍ମହତ୍ୟାର ପ୍ରକୃତ ଉଦ୍ଦେଶ୍ୟ ଲେଖାଯାଇଥିବା ଅନୁମାନ କରାଯାଉଛି। ପୁରୀ ପୋଲିସ ସେହି ସାଇସାଇଡ୍ ନୋଟ୍କୁ ଧରି ତଦନ୍ତ କରୁଛି।
ସତ୍ୟବାଦୀ ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଅର୍ଜୁନସିଂହପୁର ଗାଁର ଭାସ୍କର ଚନ୍ଦ୍ର ଦାସ ଏକ ଗଦି ଫ୍ୟାକ୍ଟ୍ରିରେ ସୁରକ୍ଷା କର୍ମୀ ଭାବେ କାମ କରନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ତାଙ୍କ ପରିବାର। ଦୁଇ ଦିନ ତଳେ ସେ ଘରକୁ ଆସିଥିଲେ। ସବୁଦିନ ପରି ସୋମବାର ରାତିରେ ଶ୍ରୀ ଦାସ ଓ ତାଙ୍କ ପତ୍ନୀ ଖାଇ ଶୋଇଥିଲେ। ହେଲେ ମଙ୍ଗଳବାର ସକାଳେ ତାଙ୍କ ଘର କବାଟ ଖୋଲିନଥିଲା। ସାହି ପଡ଼ୋଶୀ ତାଙ୍କୁ ଡାକିଥିଲେ ମଧ୍ୟ ଘର ଭିତରୁ କୌଣସି ଶବ୍ଦ ଶୁଣିବାକୁ ମିଳିନଥିଲା।
ସାହି ପଡ଼ିଶା ଏନେଇ ସାତଶଙ୍ଖ ଫାଣ୍ଡିକୁ ସୂଚନା ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ଘର ଭିତରେ ପ୍ରବେଶ କରିଥିଲେ। ଘର ଭିତରେ ଦମ୍ପତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ଏକ ସୁଇସାଇଡ୍ ନୋଟ୍ ପାଇଥିଲା। ସେହି ନୋଟ୍ଟି କାହାର ସ୍ପଷ୍ଟ ହୋଇନାହିଁ। ଉକ୍ତ ସାଇସାଇଡ୍ ନୋଟ୍ ଭାସ୍କର ଚନ୍ଦ୍ର ଦାସ ଲେଖିଥିବା ଆଲୋଚନା ହେଉଛି। ତେବେ ହାତ ଲେଖା ମ୍ୟାଚ୍ ହେଲା ପରେ ସ୍ପଷ୍ଟ ହେବ। ପୋଲିସ ସେହି ସାଇସାଇଡ୍ ନୋଟ୍ ଜବତ କରି ଯାଞ୍ଚ କରୁଛି। ହେଲେ ସାଇସାଇଡ୍ ନୋଟ୍ରେ କଣ ଲେଖାଯାଇଛି, ସେ ସମ୍ପର୍କରେ ପୋଲିସ ମୁହଁ ଖୋଲୁନାହିଁ।
ଭାସ୍କର ଚନ୍ଦ୍ର ଦାସ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି? ଏହାର କାରଣ କଣ ହୋଇପାରେ? ପୋଲିସ ଏହାର ତଦନ୍ତ କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସୁରାକ ପାଇନାହିଁ। ତେବେ ପାରିବାରିକ ସମସ୍ୟାରୁ ଉଭୟ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।
ପୋଲିସ କହିଛନ୍ତି; ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି। ଯେଉଁଥିରେ ପରିବାର ସଦସ୍ୟ ଓ ଦମ୍ପତିଙ୍କୁ ଜାଣିଥିବା ଅନ୍ୟ ଲୋକଙ୍କ ବୟାନ ରେକର୍ଡ କରାଯିବ।

