fbpx

ଶାଶୂଘର ନୁହେଁ ସେ ଯମପୁର… ମୁଁ ଭୁଲ୍ କରିଦେଲି ବାପା…

କାନ୍ଦି କାନ୍ଦି ଭିଡିଓ ସେଆର୍ କରିବା ପରେ ଜୀବନ ହାରିଦେଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝିଅ ଜନମ ପରଘରକୁ । ଏହି ଅବଧାରିତ ନିୟମକୁ ଝିଅଟେ ହେତୁ ପାଇବା ଦିନରୁ ଅଘୋଷିତ ଭାବେ ମାନି ନେଇଥାଏ । ଧୀରେଧୀରେ ସେ ସ୍ୱପ୍ନ ଦେଖେ ହସଖୁସିର ଆଉ ନିଜ ଜୀବନ ସାଥୀକୁ ନେଇ ସଂସାର କରିବା ସୁଯୋଗ ପାଇ ନିଜକୁ ସୌଭାଗ୍ୟବତୀ ମନେକରେ । କିନ୍ତୁ ତାହା ଶାଶୂଘର ନୁହେଁ, ସେ ଯମପୁର… ମୁଁ ଭୁଲ୍ କରିଦେଲି ବାପା… ଏବେ ମରିବାକୁ ଯାଉଛି… ଏଭଳି ବୁକୁଫଟା କୋହ କେଉଁ ଝିଅ କହିପାରେ!

ହଁ ଆଜ୍ଞା, ଏମିତି ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ବିବାହିତା ସୋସିଆଲ୍ ମିଡିଆରେ ଭିଡିଓ ସେୟାର୍ କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଉକ୍ତ ଭିଡିଓରେ ସେ ନିଜ ବାପାଙ୍କ ଉଦ୍ଦେଶ୍ୟରେ କାନ୍ଦି କାନ୍ଦି କହୁଛନ୍ତି ଯେ ଶାଶୂଘର ଆସିବା ତାଙ୍କର ଭୁଲ୍ ଥିଲା । ସେ ବିଶ୍ୱାସ କରିଥିଲେ ଯେ ହସଖୁସିରେ ରହିବେ କିନ୍ତୁ ଅସହ୍ୟ ହେଲାଣି ନିର୍ଯାତନା । ସ୍ୱାମୀଙ୍କଠାରୁ ଆରମ୍ଭ କରି ଶାଶୂଘର ଲୋକେ ନିଇତି ମାଡ଼ପିଟ୍ କରୁଛନ୍ତି । ସହିହେଉନି ଏ ଯନ୍ତ୍ରଣା । ଏଭଳି ଭିଡିଓ ସେଆର୍ କରିବା ପରେ ପରେ ସେ ରଶି ଲଗାଇ ଝୁଲି ପଡ଼ିଥିଲେ । ଆଉ ସବୁଦିନ ପାଇଁ ନିରବି ଯାଇଥିଲେ । ଏଥିସହ ବଧୂ ନିର୍ଯାତନାର ତାଲିକା ଭିତରେ ଯୋଡ଼ି ହୋଇଯାଇଛି ଆଉ ଗୋଟିଏ କଳଙ୍କିତ ଫର୍ଦ୍ଦ । ଏହାପୁଣି କୌଣସି ସାଧାରଣ ଘରର ଅଘଟଣା ନୁହେଁ । ଜଣେ  ରେଳବାଇ କର୍ମଚାରୀଙ୍କ ପରିବାରରେ ଘଟିଛି ବଧୂ ନିର୍ଯାତନାର ଲୋମଟାଙ୍କୁରା ନିଷ୍ଠୁରତା ଏବଂ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ।

ଝାଡ଼ଖଣ୍ଡ-ଧନବାଦ ଅନ୍ତର୍ଗତ ଧନସାର ଥାନା ଅଞ୍ଚଳ ମହାବୀର ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସେଠାରେ ରହୁଥିବା ଜଣେ ରେଳବାଇ କର୍ମଚାରୀଙ୍କ ପତ୍ନୀ କୋମଲ୍ ପଟେଲ୍ (୨୧) । ଗତ ବୁଧବାର କୋମଲ ଏକ ଭିଡିଓ ସେଆର୍ କରିଥିଲେ । ସେଥିରେ ସେ କାନ୍ଦି କାନ୍ଦି ସ୍ୱାମୀ ଓ ଶାଶୂଘର ଲୋକ ତାଙ୍କୁ ନିର୍ଯାତନା ଦେଉଥିବା କହୁଥିଲେ । ଏଥିସହ ସେ ନିଜ ବାପାଙ୍କ ଉଦ୍ଦେଶ୍ୟରେ କହୁଥିଲେ ଯେ ସରି ପାପା… ମୋର ଭୁଲ୍ ହୋଇଯାଇଛି । ତୁମ କଥା ନଶୁଣି ମୁଁ ଆଜି ମରଣ ମୁହଁକୁ ଯିବାକୁ ବାଧ୍ୟ ହେଉଛି । ମୋତ ଲାଗୁଥିଲା ସ୍ୱାମୀ ମୋର ସୁଧୁରିଗଲେ…  କିନ୍ତୁ ସେ ଜମାରୁ ବଦଳି ନାହାନ୍ତି । ମୋତେ ପୁଣି ମାଡ଼ପିଟ୍ କରୁଛନ୍ତି । ସହିହେଉନି ଯନ୍ତ୍ରଣା… ତେଣୁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, ବଡ଼ ଭୁଲ୍ କଲି ଏଇ ଯମପୂରକୁ ଆସି… ସରି ପାପା, ମୋ ପୁଅର ଧ୍ୟାନ ରଖିବାକୁ ଅନୁରୋଧ କରୁଛି। ଏଭଳି ମର୍ମରେ କୋମଲଙ୍କ କାନ୍ଦକାନ୍ଦ ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲିବା ପରେ ସେହିଦିନ ହିଁ ସେ ଶାଶୂଘରେ ରଶି ଲଗାଇ ଝୁଲି ପଡ଼ିଥିଲେ ।

ଝୁଲନ୍ତା ଅବସ୍ଥାରେ କୋମଲଙ୍କ ମୃତଦେହ ମିଳିବା ପରେ ପୁଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ କୋମଲଙ୍କ ମରଶରୀର ତାଙ୍କ ବାପାଘରେ ପହଞ୍ôଚବା ପରେ ସମସ୍ତେ ହତବାକ୍ ହୋଇପଡ଼ିଛନ୍ତି । ଅଧିକ ଯୌତୁକ ପାଇଁ କୋମଲଙ୍କ ଶାଶୂଘର ଲୋକେ ନିର୍ଯାତନା ଦେଉଥିବା ଓ ପରେ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । କୋମଲଙ୍କ ସ୍ୱାମୀ ଆଲୋକ ପ୍ରସାଦଙ୍କ ସମେତ ମା’ ଓ ଭଉଣୀଙ୍କ ବିରୋଧ ଏତଲା ଦିଯାଇଥିବାବେଳେ ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ସମ୍ପୃକ୍ତ ପରିବାର ଲୋକେ ଦାବି କରିଛନ୍ତି ।

Get real time updates directly on you device, subscribe now.