fbpx

ଦେବାଶିଷଙ୍କୁ ଝୁରୁଛି କିଶୋରନଗର, ମାଟି ପାଇଁ ଦେଲେ ବଳିଦାନ

ଓଡ଼ିଶା ଭାସ୍କର ବ୍ୟୁରୋ: ଜଙ୍ଗଲରେ ପାଦେ ପାଦେ ଥିଲା ଶତ୍ରୁ ଆକ୍ରମଣ ଭୟ । ସର୍ବଦା ସଜାଗ ରହୁଥିଲେ ବୀର ଯବାନ । ଶତ୍ରୁର ପ୍ରତିଟି ଆକ୍ରମଣକୁ ପ୍ରତିହତ କରିବାକୁ ସତର୍କ ରହୁଥିଲେ । ନକ୍ସଲମାନଙ୍କ ମୃତ୍ୟୁଯନ୍ତାକୁ ମାତ୍ ଦେବାକୁ ଲଢୁଥିଲେ । ତେବେ ଲାଇନ୍ ଅଫ ଡ୍ୟୁଟିରେ ଜୀବନକୁ ସବୁବେଳେ ବାଜି ଲଗାଇ ସୂତାଖିଅରେ ଚାଲୁଥିଲେ ସୁରକ୍ଷା ବାହିନୀ । କଳାହାଣ୍ଡି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ଭାର ସମ୍ଭାଳୁଥିଲେ ଏହି ଏସଓଜି ଯବାନମାନେ । ଆଉ ଏଥିରେ ସାମିଲ୍ ହୋଇଥିଲେ କମାଣ୍ଡୋ ଦେବାଶିଷ । ୯ ସେପ୍ଟେମ୍ବର ୨୦୨୦ ରୁଟିନ ପାଟ୍ରୋଲିଂରେ ଅସ୍ତ୍ରଶସ୍ତ୍ର ଧରି ବାହାରିଥିଲେ କମାଣ୍ଡୋ ଦେବାଶିଷ ସେଠୀ । ହଠାତ୍ ଜଙ୍ଗଲ ରାସ୍ତାରେ ଅତର୍କିତ ଆକ୍ରମଣ କରିଥିଲେ ଲୁଚିଥିବା ମାଓବାଦୀ ଦଳ । ଏହାପରେ ଉଭୟ ପକ୍ଷରୁ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଅଦମ୍ୟ ସାହସ ଏବଂ ବୀରତା ସହ ମାଓବାଦୀଙ୍କୁ ସାମ୍ନା କରିଥିଲେ ଏସଓଜି ଯବାନ । ଆଉ ମାଓବାଦୀ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଯାଇଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା ଥିଲା ଜଟିଳ । ମାଓବାଦୀଙ୍କୁ ସାମ୍ନା କରୁଥିବା ସମୟରେ ସହିଦ ହୋଇଯାଇଥିଲେ ଦେବାଶିଷ ସେଠୀ । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ଲଢ଼େଇ କରି ବୀରତାର ପରିଚୟ ଦେଇ ରଚିଲେ ବୀରତ୍ୱର ଗାଥା ।

ଶେଷ ସମୟରେ ସହିଦ କମାଣ୍ଡୋ ଦେବାଶିଷ ସେଠୀଙ୍କ ଆଖି ଆଗରେ ନାଚି ଉଠିଲା ତାଙ୍କ ପରିବାର ଲୋକଙ୍କ ଚେହେରା । ପରିବାରର ସମସ୍ତଙ୍କୁ ଦେଖିବାକୁ ବିକଳ ହୋଇଉଠିଲା ମନ । ସେପଟେ ମା’ ଜାବୁଡ଼ି ଧରିଛି ପୁଅର ସେନା ପୋଷାକକୁ, ଭଉଣୀ ଅନେଇ ବସିଛି ଭାଇକୁ ରାଖୀ ବାନ୍ଧିବ, ମନଲାଖି ଉପହାର ନେବ । ଆଉ ସେ ଗାଁକୁ ଫେରିଲେ ବାପାଙ୍କ କେତେ ଖୁସି, ପୁଅ ସେନା ପୋଷାକରେ ଫେରିଛି । ହେଲେ ଆଜି କାହା ଆଖିରୁ ବି ଶୁଖୁନି ଲୁହ । ସମସ୍ତେ ଝୁରୁଛନ୍ତି ସହିଦ୍ ଦେବାଶିଷଙ୍କୁ…

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ଗ୍ରାମରେ ୧୯୯୩ ସେପ୍ଟେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଦେବାଶିଷ ସେଠୀ । ଅଙ୍ଗପଡ଼ା ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ କରିବା ପରେ ସେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଙ୍ଗପଡ଼ାରେ ପାଠ ପଢ଼଼ିଥିଲେ । ପରେ ସେ ମାଟି ମା’ ଏବଂ ଦେଶର ସେବା କରିବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ୨୦୧୪ ମସିହାରେ ସେ ଆଇଆରବି ୭ ବାଟାଲିୟନ ସେନାବାହିନୀରେ ଯୋଗ ଦେଇଥିଲେ ଏବଂ ପରେ ଏସଓଜି ଯବାନ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶାନ୍ତ ଏବଂ ସରଳ ବ୍ୟକ୍ତି ଥିଲେ ଦେବାଶିଷ ସେଠୀ । ଏହାସହ ସେ ପରୋପକାରୀ ଭାବେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ସାଥୀ ଆଜି ବି ମନେପକାନ୍ତି ତାଙ୍କ ସହ ହସ ଖୁସିରେ ବିତାଇଥିବା ସମୟ ।

ବୀରତାର ପ୍ରକୃତ ପରିଚୟ ବଳିଦାନ । ଏହି ମହାନ ବଳିଦାନ ଦେଇ ଏହି ମାଟିର ଋଣ ପରିଶୋଧ କରିଛନ୍ତି ସହିଦ କମାଣ୍ଡୋ ଦେବାଶିଷ ସେଠୀ । ଆସନ୍ତା ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ‘ଓଡ଼ିଶା ଭାସ୍କର’ ସମ୍ମାନିତ କରିବ ଏହି ବରପୁତ୍ରଙ୍କ ପରିବାରକୁ ‘ମା ତୁଝେ ସଲାମ’ କାର୍ଯ୍ୟକ୍ରମରେ । ସହିଦ୍ କମାଣ୍ଡୋ ଦେବାଶିଷ ସେଠୀ ସର୍ବଦା ଅମର ରହିବେ ଆମ ସ୍ମୃତିରେ ।

ଜୟ ହିନ୍ଦ୍ । ବନ୍ଦେ ମାତରଂ । ବନ୍ଦେ ଉତ୍କଳ ଜନନୀ ।

Get real time updates directly on you device, subscribe now.