fbpx

ତିନି ପୁରୁଷ ଧରି ଦେଶସେବାରେ, ଶଶାଙ୍କ ଶେଖରଙ୍କ ଆଶା ଅଧାରେ ଅଟକିଗଲା

ଓଡ଼ିଶା ଭାସ୍କର ବ୍ୟୁରୋ: ମୁଁ ଯେବେ ନଥିବି, ମୋ ପରିବାର କଥା ତୁମେ ବୁଝିବ । ମୁଁ ଜାଣିଛି ପୁଅ ତୁମକୁ ଅଝଟ କରିବ, ହେଲେ ତାକୁ ବୁଝେଇଦେବ । ମୋ ମା’ କଥା ବୁଝିବ, ମୋ ବାଟ ଚାହିଁ ସେ ସବୁବେଳେ ଘର ଆଗରେ ଠିଆ ହେଇ ରହିଥାଏ, ମୋ ପରିବାର କଥା ବୁଝିବ । କେବେ ଅଭିମାନ କରିବନି, ମୁଁ ଜାଣେ ତୁମେ ପାରିବ । ତୁମ ଦାୟିତ୍ୱ ମୋ ସେନା ଦାୟିତ୍ୱରୁ କଣ କିଛି କମ୍ କି? ମୁଁ ଜାଣିଛି ତୁମକୁ ଅନେକ କଷ୍ଟ ହବ, ହେଲେ ତୁମେ ସବୁ ପାରିବ । ପିଢ଼ି ପରେ ପିଢ଼ି, ନିଜ ରକ୍ତରେ ଏଇ ଦେଶର ସୀମାକୁ ସୁରକ୍ଷା ଦେଇ ଆସିଥିବା ଶଶାଙ୍କ ଶେଖରଙ୍କ ଥିଲା ଏହି ହୃଦୟର କଥା । କହିଥିଲେ ଜୀବନସାଥୀ ପତ୍ନୀଙ୍କୁ । ହେଲେ ଶେଷ ଆଶା, ଆଶାରେ ରହିଗଲା । ଫେରିବେ କହିଥିଲେ ହେଲେ ଫେରିଲେନି । ପୁଅକୁ ଟିକେ ଦେଖିଥାନ୍ତେ… ହେଲେ…

ତିନି ପୁରୁଷ ଧରି ଦେଶ ସେବାରେ ନିଜକୁ ନିୟୋଜିତ ରଖିଛନ୍ତି ସହିଦ ଶଶାଙ୍କ ଶେଖର ସାମଲଙ୍କ ପରିବାର । ହେଲେ ତାଙ୍କର ଶେଷ ଆଶା ଅଧାରେ ଅଟକିଗଲା । ପୁଅକୁ ଟିକେ ଦେଖିଥାନ୍ତେ, ଟିକେ ଗେଲ କରିଥାନ୍ତେ । ପୁଅର ଅନେକ ଅଳି- ବାପା ଏଇଟା ଆଣିବ ବାପା ସେଇଟା ଆଣିବ । ସବୁ କିଛି ବାକି ରହିଗଲା ଆଉ ସେ ଫେରିଲେନି ।

Sahid Shashanka Samal

ବାପା ସ୍ୱର୍ଗତ ଅବସରପ୍ରାପ୍ତ ଲାନ୍ସ ନାୟକ ଯାଦୁନାଥ ସାମଲଙ୍କ ସାନ ପୁଅ ଶଶାଙ୍କ । ତାଙ୍କ ବୁଢ଼ା ବାପା ମନ୍ଦଧର ସାମଲ, ବାପା ଯଦୁନାଥ, ଦୁଇ ସାନ ବାପା, ବଡ଼ ଭାଇ ଓ ସାନ ବାପାଙ୍କ ପୁଅ ମଧ୍ୟ ଦେଶସେବାରେ ନିୟୋଜିତ ରହିଥିଲେ । ଯାଜପୁର ବରୀ ବ୍ଲକ ରତଳାଙ୍ଗ ଗ୍ରାମରେ ଶଶାଙ୍କ ଶେଖର ସାମଲଙ୍କ ଜନ୍ମ । ଦେଶ ପ୍ରେମର ଭାବନା ଆଉ ସେ ମନୋବୃତ୍ତି ନେଇ ସ୍ଥଳସେନାରେ ଯୋଗ ଦେଇଥିଲେ ଶଶାଙ୍କ ଶେଖର । ଭାରତୀୟ ସେନବାହିନୀର EME ରେଜିମେଣ୍ଟ ଅପରେସନ ସେକ୍ସନରେ କାର୍ଯ୍ୟ କରୁଥିଲେ, ସୁଉଚ୍ଚ ଲଦାଖରେ ତାଙ୍କ ଉପରେ ନ୍ୟସ୍ତ ଥିଲା ଭାରତୀୟ ସେନାର ଗୁରୁ ଦାୟିତ୍ୱ । ସେନାର ଗୁରୁ ଦାୟିତ୍ୱ ଭିତରେ ସେ ସମୟ ବାହାର କରି ପରିବାର ସହ କଥା ହେଉଥିଲେ । ମାର୍ଚ୍ଚ ୩ ତାରିଖରେ ସେ ଘରକୁ ଫେରିବାର ଥିଲା । ପତ୍ନୀଙ୍କ ସହ ସେହିଦିନ ମଧ୍ୟ କଥା ହୋଇଛନ୍ତି ଓ ପୁଅକୁ ଭିଡିଓ କଲରେ ଦେଖିବାକୁ ଚାହଛନ୍ତି । କିନ୍ତୁ ଟାୱାର ପାଉନଥିବାରୁ ଦେଖିପାରି ନଥିଲେ ବୋଲି କୋହଭରା କଣ୍ଠରେ କହିଛନ୍ତି ସହିଦ ଶଶାଙ୍କ ଶେଖର ସାମଲଙ୍କ ପତ୍ନୀ ।

ଘଟିଥିଲା ଅଘଟଣ ଲଦାଖରେ ଲାଇନ୍ ଅଫ ଡ୍ୟୁଟିରେ । ୧୮ ଫେବ୍ରୁଆରି ୨୦୨୧ରେ ଶଶାଙ୍କ ଶେଖର ସାମଲ ସହିଦ ହେବା ଖବର ଆସି ପହଞ୍ଚିଥିଲା ଘରେ । କିଏ ଜାଣିଥିଲା ନିଷ୍ଠୁର ନିୟତି, ବଇରୀ ସାଜିବ, ଶୋକାକୁଳ ହୋଇଗଲା ଗାଁ । ସହିଦ ଶଶାଙ୍କ ଶେଖର ସାମଲଙ୍କ ପାର୍ôଥବ ଶରୀର ଆସି ପହଞ୍ଚିଲା ଗାଁରେ । ଛାତିକୁ ଟାଣ କରି ସମସ୍ତେ ପଞ୍ଚଭୂତରେ ବିଦାୟ ଦେଲେ ଏହି ବୀର ଯବାନଙ୍କୁ ।
ଦେଶ ପାଇଁ ମହାନ ବଳିଦାନ ଆଉ ତ୍ୟାଗ ଦେଇଥିବା ଏହି ପରିବାରର ପ୍ରତିଟି ସଦସ୍ୟ ଆମର ଚିର ନମସ୍ୟ । ଆସନ୍ତା ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶା ଭାସ୍କର ସମ୍ମାନିତ କରିବ ଏହି ବରପୁତ୍ର ପରିବାରକୁ ‘ମା ତୁଝେ ସଲାମ’ କାର୍ଯ୍ୟକ୍ରମରେ । ସହିଦ ଶଶାଙ୍କ ଶେଖର ସାମଲ ସର୍ବଦା ଅମର ରହିବେ ଆମ ସ୍ମୃତିରେ । ଜୟ ହିନ୍ଦ୍ । ବନ୍ଦେ ମାତରଂ ।

Get real time updates directly on you device, subscribe now.