ସେପ୍ଟେମ୍ବରରୁ ମହଙ୍ଗା ହେବ ମାରୁତି କାର୍‌! ବଢ଼ିବ ଦାମ

ମାରୁତି ସୁଜୁକି କମ୍ପାନୀ ଆସନ୍ତା ସେପ୍ଟେମ୍ବର ୨୦୨୬ରୁ ନିଜର କିଛି ବଛାବଛା କାର୍‌ ମଡେଲ୍‌ର ଦାମରେରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯାଉଛି।

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଗାଡ଼ି ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ପକ୍ଷରୁ ଏହାର କିଛି ବଛାବଛା କାର୍‌ ମଡେଲ୍‌ର ମୂଲ୍ୟ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୨୦୨୬ରୁ କିଛି ମଡେଲ୍‌ର ଦାମରେ ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ। ଏକ୍ସଚେଞ୍ଜ ଫାଇଲିଂ ମାଧ୍ୟମରେ କମ୍ପାନୀ ଏହି ସୂଚନା ଦେଇଛି। ମେ’ ମାସ ପରଠାରୁ ଏହା ମାରୁତି ସୁଜୁକିର ତୃତୀୟ ଦରବୃଦ୍ଧି।

କମ୍ପାନୀ କହିଛି ଯେ, ଗାଡ଼ି ତିଆରି ପାଇଁ ଲାଗୁଥିବା କଞ୍ଚାମାଲ ଓ ଅନ୍ୟାନ୍ୟ ସାମଗ୍ରୀର ଦାମ କ୍ରମାଗତ ଭାବେ ବଢ଼ୁଥିବାରୁ, ମହଙ୍ଗା ଚାପ ବଢ଼ିବା ଏବଂ ତିଆରି ଖର୍ଚ୍ଚ ଅଧିକ ହେଉଥିବାରୁ ଏହି ଦରବୃଦ୍ଧି କରାଯାଉଛି।

କମ୍ପାନୀ କହିଛି ଯେ , କଞ୍ଚାମାଲ ଓ ଅନ୍ୟ ଇନ୍‌ପୁଟ୍‌ ଖର୍ଚ୍ଚ କ୍ରମାଗତ ବଢ଼ୁଥିବାରୁ ବଛାବଛା କାର୍‌ ମଡେଲ୍‌ର ଦାମରେ ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନୂଆ ଦାମ ସେପ୍ଟେମ୍ବର ୨୦୨୬ରୁ ଲାଗୁ ହେବ।

ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚର ପ୍ରଭାବ କମାଇବା ପାଇଁ କମ୍ପାନୀ ଲଗାତାର ଖର୍ଚ୍ଚ କମାଇବା ଉପରେ କାମ କରୁଥିବା କହିଛି। ତେବେ ମହଙ୍ଗା ଚାପ ଅଧିକ ରହିବା ଏବଂ ଉତ୍ପାଦନ ଖର୍ଚ୍ଚ ବଢ଼ି ରହିଥିବାରୁ ବଢ଼ିଥିବା ଖର୍ଚ୍ଚର କିଛି ଅଂଶ ଗ୍ରାହକଙ୍କ ଉପରେ ଦେବାକୁ କମ୍ପାନୀ ବାଧ୍ୟ ହୋଇଛି। ତେବେ ଗ୍ରାହକଙ୍କ ଉପରେ ଯେପରି ସମ୍ଭବ କମ୍‌ ଆର୍ଥିକ ଚାପ ପଡ଼ିବ, ସେଥିପାଇଁ ଧ୍ୟାନ ଦିଆଯାଉଛି।

ତେବେ କେଉଁ କେଉଁ କାର୍‌ ମଡେଲ୍‌ର ଦାମ ବଢ଼ିବ, ସେନେଇ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇନାହିଁ।

ଅନ୍ୟପକ୍ଷରେ, ମାରୁତି ସୁଜୁକି ଇଣ୍ଡିଆ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ୫ ମାସ ମଧ୍ୟରେ ୧୦ ଲକ୍ଷ ୟୁନିଟ୍‌ ବିକ୍ରିର ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କରିଛି। ଏହି ସମୟରେ ହୁଣ୍ଡାଇ ମୋଟର ଇଣ୍ଡିଆ ଅଗଷ୍ଟ ମାସରେ ଦେଶରେ ସର୍ବାଧିକ ଘରୋଇ ବିକ୍ରି ରେକର୍ଡ କରିଥିବା ବେଳେ ଟାଟା ମୋଟର୍ସର କମର୍ସିଆଲ୍‌ ଗାଡି ବିକ୍ରିରେ ବର୍ଷକୁ ବର୍ଷ ୪୯ ପ୍ରତିଶତ ବୃଦ୍ଧି ହୋଇଛି।

ଅଗଷ୍ଟ ୨୦୨୬ରେ ମାରୁତି ସୁଜୁକି ମୋଟ ୨,୧୯,୨୨୦ଟି ଗାଡ଼ି ବିକ୍ରି କରିଛି। ଏଥିରୁ ୧,୮୦,୦୭୮ଟି ଗାଡ଼ି ଦେଶର ଘରୋଇ ବଜାରରେ ବିକ୍ରି ହୋଇଛି। ଅନ୍ୟ ଗାଡ଼ି ନିର୍ମାତା କମ୍ପାନୀଗୁଡ଼ିକୁ ୫,୨୯୮ଟି ଗାଡ଼ି ବିକ୍ରି କରାଯାଇଥିବା ବେଳେ ୩୩,୮୪୪ଟି ଗାଡ଼ି ବିଦେଶକୁ ରପ୍ତାନି ହୋଇଛି।

ଏପ୍ରିଲ୍‌ରୁ ଅଗଷ୍ଟ ୨୦୨୬ ମଧ୍ୟରେ କମ୍ପାନୀର ମୋଟ ବିକ୍ରି ୧୧,୪୩,୩୬୫ ୟୁନିଟ୍‌ରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ କମ୍ପାନୀ ୮,୮୯,୦୭୦ ୟୁନିଟ୍‌ ବିକ୍ରି କରିଥିଲା।

ଅଗଷ୍ଟରେ ମାରୁତିର ଘରୋଇ ପାସେଞ୍ଜର ଯାନ ବିକ୍ରି ମଧ୍ୟ ବଢ଼ିଛି। ଗତବର୍ଷ ଅଗଷ୍ଟରେ ୧,୩୧,୨୭୮ଟି ପାସେଞ୍ଜର ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଏହା ବଢ଼ି ୧,୭୬,୯୭୧ ୟୁନିଟ୍‌ ହୋଇଛି। ୟୁଟିଲିଟି ଯାନ ବିକ୍ରି ମଧ୍ୟ ୫୪,୦୪୩ରୁ ବଢ଼ି ୭୯,୦୪୫ ୟୁନିଟ୍‌ରେ ପହଞ୍ଚିଛି। ସେହିପରି କମ୍ପାକ୍ଟ ଓ ମିଡ୍‌-ସାଇଜ୍‌ କାର୍‌ ବିକ୍ରି ୫୯,୫୯୭ରୁ ବଢ଼ି ୭୭,୧୬୬ ୟୁନିଟ୍‌ ହୋଇଛି।

ମାରୁତି ସୁଜୁକିର ଗୋଟିଏ ସେୟାରର ଦାମ ପ୍ରାୟ ୧୨,୮୦୩ ଟଙ୍କା ଥିଲା। ଏହା ପୂର୍ବ ଦାମ ୧୨,୭୦୦ ଟଙ୍କା ତୁଳନାରେ ୧୦୩ ଟଙ୍କା ବା ୦.୮୧ ପ୍ରତିଶତ ବଢ଼ିଥିଲା। ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ବିଏସ୍‌ଇର ତଥ୍ୟ ଅନୁସାରେ, କମ୍ପାନୀର ମୋଟ ବଜାର ମୂଲ୍ୟ ପ୍ରାୟ ୪,୦୨,୫୩୫.୯୦ କୋଟି ଟଙ୍କା ରହିଛି।