‘ଅପରେସନ୍ ସିନ୍ଦୂରର ପ୍ରତିଶୋଧ’…ଗଣତନ୍ତ୍ର ଦିବସ ପୂର୍ବରୁ ଭାରତ ଉପରେ ବଡ଼ ଆକ୍ରମଣ କରିବ ପାକିସ୍ତାନ! ଅଡ଼ିଓରେ ଦେଲା ଧମକ…

‘ଅପରେସନ୍ ସିନ୍ଦୂରର ପ୍ରତିଶୋଧ’…ଗଣତନ୍ତ୍ର ଦିବସ ପୂର୍ବରୁ ଭାରତ ଉପରେ ବଡ଼ ଆକ୍ରମଣ କରିବ ପାକିସ୍ତାନ!

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ (JeM) ସହ ସଂପୃକ୍ତ ଏକ ଧମକମୟ ଅଡିଓ ସନ୍ଦେଶ ସାମ୍ନାକୁ ଆସିଛି, ଯେଉଁଥିରେ ଭାରତ ବିରୋଧରେ ବଡ଼ ଆକ୍ରମଣର ଖୋଲା ଧମକ ଦିଆଯାଇଛି। ଏହି ଅଡିଓରେ ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନରେ ଜୈଶ୍-ଏ-ମହମ୍ମଦର ଆତଙ୍କୀ ଠିକାଣା ଧ୍ୱଂସ ହେବାର ପ୍ରତିଶୋଧ ନିଆଯିବ ବୋଲି କୁହାଯାଇଛି।

ତେବେ ପାକିସ୍ତାନରେ ଆଶ୍ରୟ ନେଇଥିବା ମାସୁଦ ଆଝାର ଏବେ ବି ଅପରେସନ ସିନ୍ଦୁର ସମୟରେ ପାଇଥିବା କ୍ଷତରୁ କଷ୍ଟ ପାଉଛି। ଅପରେସନ ସିନ୍ଦୁର ସମୟରେ ତାଙ୍କ ଆତଙ୍କବାଦୀ ଆଡ୍ଡା ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ସମ୍ପୂର୍ଣ୍ଣ ପରିବାର ନିଶ୍ଚିହ୍ନ ହୋଇଯାଇଥିଲା। ଆଝାର ଏବେ ସେମାନଙ୍କ ପ୍ରତିଶୋଧ ନେବାକୁ ରକ୍ତ ଚାଉଳ ଚୋବାଉଛି।

ଏହି ସମୟରେ, ଆଝାରର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଡିଓ ଲିଙ୍କ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଖୋଲାଖୋଲି ଭାବରେ ଭାରତ ବିରୁଦ୍ଧରେ ବଡ଼ ଆକ୍ରମଣ ଧମକ ଦେଇଛି। ଅଡିଓ ସନ୍ଦେଶରେ ବିଶେଷ କରି ପାକିସ୍ତାନର ବହାୱଲପୁର ସ୍ଥିତ ଜୈଶ୍-ଏ-ମହମ୍ମଦର ଏକ ମୁଖ୍ୟ କେନ୍ଦ୍ରକୁ ନେଇ ଉଲ୍ଲେଖ ରହିଛି, ଯାହାକୁ ‘ଅପରେସନ୍ ସିନ୍ଦୂର’ ସମୟରେ ଧ୍ୱଂସ କରାଯାଇଥିବା ଦାବି କରାଯାଉଛି। ବହାୱଲପୁରକୁ ଦୀର୍ଘଦିନ ଧରି ଜୈଶ୍-ଏ-ମହମ୍ମଦର ଗଡ଼ ଭାବେ ଗଣ୍ୟ କରାଯାଉଛି।

ଏହାସହ, ଭାରତ ପାକିସ୍ତାନରେ ଅନେକ ଜୈଶ ଘାଟି ନଷ୍ଟ କରିଦେବା ସହ ସଂଗଠନର ପ୍ରାୟ 10 ଜଣ ସଦସ୍ୟଙ୍କୁ ହତ୍ୟା କରିଛି, ଯେଉଁଥିରେ ମସୁଦ ଆଝାରଙ୍କ ପରିବାର ସହିତ ଜଡିତ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି। ଏହି କାର୍ଯ୍ୟକୁ ଅପରେସନ ସିନ୍ଦୁର ସହିତ ଯୋଡାଯାଉଛି।

ସୂତ୍ରମାନଙ୍କ ଅନୁସାରେ, ଏହି ଧମକ ଏମିତି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଦେଶ ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସହ ଅନେକ ସଂବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି।

ସୁରକ୍ଷା ଏଜେନ୍ସୀମାନେ ଏହି ଅଡିଓ ସନ୍ଦେଶର ତାରିଖ, ଉତ୍ସ ଓ ପ୍ରମାଣିକତାକୁ ନେଇ ଗଭୀର ତଦନ୍ତ ଆରମ୍ଭ କରିଛନ୍ତି। ଡିଜିଟାଲ୍ ଫୁଟପ୍ରିଣ୍ଟ, ମନି ଟ୍ରେଲ୍ ଏବଂ ସମ୍ଭାବ୍ୟ ଆତଙ୍କୀ ନେଟୱର୍କ୍‌ଗୁଡ଼ିକୁ ନେଇ ଛାନବିନ୍ ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଜୈଶ୍-ଏ-ମହମ୍ମଦ ମୁଖ୍ୟ ମୌଲାନା ମସୁଦ୍ ଆଝାରଙ୍କ ସହ ସଂପୃକ୍ତ ଏପରି ଧମକମୟ ଅଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥିଲା। ସୁରକ୍ଷା ବିଶେଷଜ୍ଞମାନଙ୍କ ମତରେ, ଏପରି ବକ୍ତବ୍ୟ ଆତଙ୍କୀ ସଂଗଠନର ହତାଶା ଓ ଚାପକୁ ପ୍ରତିବିମ୍ବିତ କରେ।

ସୁରକ୍ଷା ଏଜେନ୍ସୀମାନେ ସ୍ପଷ୍ଟ କରିଛନ୍ତି ଯେ, ଦେଶର ସୁରକ୍ଷା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଏବଂ ଯେକୌଣସି ଆତଙ୍କୀ ଯୋଜନାକୁ ଯଥାସମୟରେ ପଣ୍ଡ କରାଯିବା ଉଚିତ୍।

୨୦୧୯ ମସିହାରୁ ମାସୁଦ ଆଝାର ନିଖୋଜ

ଉଲ୍ଲେଖନୀୟ ଯେ ୨୦୧୯ ମସିହାରୁ ମୌଲାନା ମାସୁଦ ଆଝାରଙ୍କୁ ସାଧାରଣରେ ଦେଖାଯାଇନାହିଁ। ୨୦୧୯ ମସିହାରେ ଅଜ୍ଞାତ ଆକ୍ରମଣକାରୀମାନେ ବାହାୱାଲପୁରରେ ତାଙ୍କ ଆଡ୍ଡାରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟାଇ ଅଳ୍ପକେ ଖସି ପଳାଇ ଯାଇଥିଲେ। ସେବେଠାରୁ ସେ ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଛନ୍ତି। ସେ ପାକିସ୍ତାନର ଏକ ନିରାପଦ ଆଶ୍ରୟସ୍ଥଳ କିମ୍ବା ବଙ୍କରରେ ଲୁଚି ରହିଥିବା ବିଶ୍ୱାସ କରାଯାଉଛି ଏବଂ ଅଡିଓ ବାର୍ତ୍ତା ମାଧ୍ୟମରେ ତାଙ୍କ ଆତଙ୍କବାଦୀମାନଙ୍କୁ ଉସୁକାଇ ଚାଲିଛନ୍ତି।