fbpx

(Video) ସାବଧାନ, ମନ୍ତ୍ରୀ ଆସୁଛନ୍ତି: ଗଣଶିକ୍ଷା ମନ୍ତ୍ରୀଙ୍କ ବାଣରେ ଥରହର ହେଲେଣି ରାଜ୍ୟର ଅଳସୁଆ ଶିକ୍ଷକ, ଶିକ୍ଷୟିତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଆଉ ତ୍ରାହି ନାହିଁ । ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଚାନକ ସ୍କୁଲ ପରିଦର୍ଶନ କରୁଛନ୍ତି । ରାସ୍ତାଘାଟରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଖିଲେ ତାଗିଦ୍ କରୁଛନ୍ତି । କାର୍ଯ୍ୟରେ ଅବହେଳା ପ୍ରମାଣ ମିଳିଲେ ନେଉଛନ୍ତି ତ୍ୱରିତ୍ ଆକ୍ସନ ।

ତେବେ ଗଣଶିକ୍ଷା ମନ୍ତ୍ରୀଙ୍କ ଏହି ଦବଙ୍ଗ ଆକ୍ସନକୁ ନେଇ ଏବେ ରାଜ୍ୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମହଲରେ ଚଡ଼କ ପଡ଼ିଯାଇଛି । ସମୀରଙ୍କ ଏହି ଆକ୍ସନ ଅବତାରର ପ୍ରଭାବ ନିଶ୍ଚିତ ରାଜ୍ୟର ଶିକ୍ଷା କ୍ଷେତ୍ରରେ ପଡ଼ିବ । ବୋଧହୁଏ ଆଗକୁ ଖୁବ୍ କମ୍ ଦିନରେ ମଧ୍ୟରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଲାଇନକୁ ଆସିଯିବେ । ସମସ୍ତେ ଠିକ୍ ସମୟରେ ସ୍କୁଲ ଯିବେ, ପିଲାଙ୍କୁ ଠିକରେ ପାଠ ପଢ଼ାଇବେ ।

ସୂଚନାଯୋଗ୍ୟ ଯେ, ଆଜି ମନ୍ତ୍ରୀ ନିମାପଡ଼ା ଗସ୍ତରେ ଯାଇଥିବା ସମୟରେ ପିପିଲି ଟୋଲ ଗେଟ ନିକଟରେ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ସ୍କୁଟିରେ ଯାଉଥିବାର ଦେଖିଥିଲେ । ଏହାପରେ ମନ୍ତ୍ରୀ ସେମାନଙ୍କୁ ଅଟକାଇ କାହିଁକି ସ୍କୁଲକୁ ବିଳମ୍ବରେ ଆସୁଛ ବୋଲି ପଚାରିଥିଲେ । ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦୁଇ ଶିକ୍ଷୟିତ୍ରୀ ଦେଇ ପାରିନଥିଲେ ।

ଏହାପରେ ମନ୍ତ୍ରୀ ପିପିଲି-ନିମାପଡ଼ା ମୁଖ୍ୟରାସ୍ତାରେ ଜଗନ୍ନାଥପୁର ୟୁପି ସ୍କୁଲକୁ ଯାଇଥିଲେ । ସେଠାରେ ପିଲାମାନେ ଏଣେତେଣେ ବୁଲୁଥିବା ବେଳେ ସ୍କୁଲର କାଗଜପତ୍ରରେ ଅନିୟମିତତା ଥିବା ଦେଖିବାକୁ ପାଇଥିଲେ । ଏହାପରେ ମନ୍ତ୍ରୀ ଡିଇଓ ଓ ବିଇଓଙ୍କୁ ଫୋନ୍ କରିବା ସହ ସ୍କୁଲର ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ୨୫ ତାରିଖରେ ମନ୍ତ୍ରୀ ବାଲେଶ୍ୱରର ମହାବୀର ନୋଡାଲ ୟୁପି ସ୍କୁଲକୁ ଗସ୍ତ କରିଥିଲେ । ସେତେବେଳେ ସ୍କୁଲର ପିଲାମାନେ ପଣିକିଆ କହି ନପାରିବାରୁ ମନ୍ତ୍ରୀ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ କେନ୍ଦୁଝର ଗସ୍ତ ସମୟରେ ଏକ ଘରୋଇ ବସକୁ ଫାଇନ୍ କରିବା ସହ ପୋଲିସ ଜିମାରେ ଦେଇଥିଲେ । ତେବେ ମନ୍ତ୍ରୀଙ୍କ ଏହି ଭୟଙ୍କର କାର୍ଯ୍ୟାନୁଷ୍ଠାନ ରୂପ ଦେଖି ଏବେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମହଲରେ ଭୟର ବାତାବରଣ ଖେଳିଯାଇଛି । ଚାକିରି, ଦରମା, ତ୍ୱରିତ ଦଣ୍ଡବିଧାନ ଭୟରେ ସମସ୍ତେ ଏବେ ଠିକ୍ ବାଟକୁ ଆସିଯିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.