ହସ୍ପିଟାଲ ICUରେ ଲାଗିଲା ନିଆଁ, ୩ ରୋଗୀଙ୍କ ମୃତ୍ୟୁ; ଅନେକ ଗୁରୁତର

ରାତି ପ୍ରାୟ ୩ଟା ହେବ । ପ୍ରସାଦ ହସ୍ପିଟାଲରେ ବେଶୀ ଗହଳିଚହଳି ନଥିଲା । ୱାର୍ଡ଼ ଓ ଲନ୍‌ରେ କେବଳ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଥିଲେ

ମୁଜଫରପୁର: ଦିଲ୍ଲୀ ଘଟଣା ମନରୁ ଲିଭିନି । ବିହାର ମୁଜଫରପୁରରେ ଘଟିଛି ବୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଏକ ପ୍ରାଇଭେଟ୍ ମେଡିକାଲରେ ନିଆଁ ଲାଗି ୩ ଜଣଙ୍କ ଜୀବନ ଯାଇଛି । ଅନେକ ଗୁରୁତର ଆହତ ହୋଇଛନ୍ତି । ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ରାତି ପ୍ରାୟ ୩ଟା ହେବ । ପ୍ରସାଦ ହସ୍ପିଟାଲରେ ବେଶୀ ଗହଳିଚହଳି ନଥିଲା । ୱାର୍ଡ଼ ଓ ଲନ୍‌ରେ କେବଳ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଥିଲେ । ଏହାଛଡ଼ା କେତେକ ମେଡ଼ିକାଲ୍ ଷ୍ଟାଫ ମଧ୍ୟ ରୋଗୀ ସେବାରେ ନିୟୋଜିତ ଥିଲେ । ଠିକ୍ ସେତିକି ବେଳେ ହସ୍ପିଟାଲର ୫ମ ମହଲାରେ ଥିବା ଆଇସିୟୁ ୱାର୍ଡ଼ରେ ହୋଇଥିଲା ବିଦ୍ୟୁତ ସର୍ଟ ସର୍କିଟ । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ୱାର୍ଡ଼ର ଚାରିଆଡ଼େ ବ୍ୟାପି ଯାଇଥିଲା । ପୂରା ପରିବେଶ ଧୂଆଁ ମୟ ହୋଇଯାଇଥିଲା ।

ନିଆଁ ଲାଗିଥିବା ଖବର ପ୍ରକାଶ ପାଇବା ପରେ ମେଡିକାଲ୍‌ରେ ଧାଁଦୌଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୁରୁତର ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ଉଦ୍ଧାର କରିବାରେ ଲାଗିଥିଲେ । ହେଲେ ନିଆଁ ଓ ଧୂଆଁ ଯୋଗୁଁ ଉଦ୍ଧାର କରିବା ସମ୍ଭବପର ହେଉନଥିଲା । ଖବର ପାଇ ଅଗ୍ନିଶମ ଓ ପୋଲିସ ବିଭାଗ କର୍ମଚାରୀ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରିବା ସହିତ ରୋଗୀଙ୍କୁ ଉଦ୍ଧାର କରିଥିଲେ । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି ।

ମେଡ଼ିକାଲରୁ ଉଦ୍ଧାର ହୋଇଥିବା ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ରୋଗୀଙ୍କ ପରିବାର ଲୋକଙ୍କ କହିବା କଥା, ହସ୍ପିଟାଲରେ ଫାୟାର କଣ୍ଟ୍ରୋଲ ସିଷ୍ଟମ କାମ କରୁନଥିଲା। ଯେଉଁଥିପାଇଁ ନିଆଁ ଲିଭାଇବା ସମ୍ଭବ ପର ହୋଇନଥିଲା । ପ୍ରବଳ ଧୂଆଁ ଯୋଗୁ ଶ୍ୱାସରୁଦ୍ଧ ହୋଇ କେତେକ ରୋଗୀଙ୍କ ମୃତ୍ୟୁ ହୋଇଛି।

ଅଗ୍ନିଶମ ବିଭାଗର ଅଧିକାରୀ ରାମ ନିବାସ ପାଣ୍ଡେୟ କହିଛନ୍ତି, ପୂରା ସ୍ଥିତିର ଆକଳନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩ ଜଣ ମୃତ୍ୟୁ ଘଟିଛି । ନିଆଁ ଯୋଗୁଁ ଆଇସିୟୁରେ ନିଶ୍ୱାସରୁଦ୍ଧ ହୋଇ ଅନେକ ରୋଗୀଙ୍କ ଜୀବନ ଯାଇପାରେ।