MATCH FIXINGକୁ ନେଇ କାଠଗଡାରେ ଇମାମ-ରିଜୱାନ
ଇଂଲଣ୍ଡ ଗସ୍ତରୁ ବାଦ ପଡ଼ିବା ପରେ ମହମ୍ମଦ ରିଜୱାନ ଏବଂ ଇମାମ୍-ଉଲ୍-ହକଙ୍କ ଭଳି ଖେଳାଳିଙ୍କୁ ନେଇ ଏକ ତଦନ୍ତ ଆରମ୍ଭ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)।
ଇସ୍ଲାମାବାଦ : ପାକିସ୍ତାନୀ କ୍ରିକେଟର ଇମାମ୍ ଓ ରିଜୱାନଙ୍କ ବିରୋଧରେ ଚାଲିଥିବା ଶୃଙ୍ଖଳାଗତ ତଦନ୍ତକୁ ଆହୁରି ଜୋରଦାର କରିଛି PCB। ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପାକିସ୍ତାନ ବଡ଼ ବ୍ୟବଧାନରେ ହାରିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିବା ରିପୋର୍ଟରେ କୁହାଯାଇଛି।
ଜିଓ ନ୍ୟୁଜ୍ର ରିପୋର୍ଟ ଅନୁସାରେ, ଲଣ୍ଡନରେ ରହିବା ସମୟରେ ଇମାମ୍ ଏବଂ ରିଜୱାନଙ୍କ କାର୍ଯ୍ୟକଳାପ ଓ ଯୋଗାଯୋଗକୁ ନେଇ ତଦନ୍ତ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ଖେଳାଳି ମ୍ୟାଚ୍ ଫିକ୍ସିଂ କିମ୍ବା ଅନ୍ୟ କୌଣସି ଭୁଲ୍ କାମରେ ସମ୍ପୃକ୍ତ ଥିବାର କୌଣସି ପ୍ରମାଣ ମିଳିନାହିଁ।
ଲର୍ଡ୍ସ ଟେଷ୍ଟ ପରେ ପାକିସ୍ତାନ ଟିମ୍ ୧୯୪ ରନ୍ରେ ଇଂଲଣ୍ଡଠାରୁ ପରାଜିତ ହୋଇଥିଲା। ହୋଟେଲକୁ ଫେରିବା ବେଳେ ଉଭୟ ଖେଳାଳିଙ୍କ ମୋବାଇଲ୍ ଫୋନ୍ କିଛି ସମୟ ପାଇଁ ଜବତ କରିଥିଲେ ସୁରକ୍ଷା ଅଧିକାରୀ।
ସୂତ୍ର ଅନୁସାରେ, ଉଭୟ ଫୋନ୍ରୁ ଡାଟା ଅନ୍ୟ କୌଣସି ସ୍ଥାନକୁ ଟ୍ରାନ୍ସଫର୍ କରାଯାଇଥିଲା ଏବଂ ପରେ ମୋବାଇଲ୍ ଫୋନ୍ ଦୁଇ ଖେଳାଳିଙ୍କୁ ଫେରାଇ ଦିଆଯାଇଥିଲା। ତେବେ ଏହି ଦାବି ସମ୍ପର୍କରେ PCB ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ।
ରିପୋର୍ଟ ଅନୁସାରେ, PCB କେବଳ ଦୁଇ ଖେଳାଳିଙ୍କ କାର୍ଯ୍ୟକଳାପ ନୁହେଁ, ଅନ୍ୟ ଦିଗ ମଧ୍ୟ ଯାଞ୍ଚ କରୁଛି। ଲଣ୍ଡନରେ ରହିବା ସମୟରେ ଇମାମ୍ ଏବଂ ରିଜୱାନ୍ କେଉଁମାନଙ୍କ ସହ ଯୋଗାଯୋଗରେ ଥିଲେ, ସେନେଇ ମଧ୍ୟ ତଦନ୍ତକାରୀମାନେ ଖୋଳତାଡ଼ କରୁଥିବା ଜଣାପଡ଼ିଛି।
ଏହାକୁ ନେଇ PCB କହିଛି ଯେ, ଖେଳାଳିଙ୍କ ଶୃଙ୍ଖଳା ଓ ଆଚରଣକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ପରେ ବୋର୍ଡ ଏକ ଆଭ୍ୟନ୍ତରୀଣ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ କରିଛି। PCBର ନିୟମ ଓ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁସାରେ ଏହି ମାମଲାର ସମୀକ୍ଷା କରାଯାଉଛି।
ବୋର୍ଡ ଆହୁରି କହିଛି ଯେ, ଏହି ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ପକ୍ଷକୁ ଉଚିତ ଭାବେ ବିଚାର କରାଯିବ। ତେଣୁ ବର୍ତ୍ତମାନ ସମୟରେ ଇମାମ୍-ଉଲ୍-ହକ୍ କିମ୍ବା ମହମ୍ମଦ ରିଜୱାନ୍ ମ୍ୟାଚ୍ ଫିକ୍ସିଂରେ ସମ୍ପୃକ୍ତ ବୋଲି କହିବା ଠିକ୍ ହେବ ନାହିଁ, କାରଣ ଏନେଇ କୌଣସି ନିଶ୍ଚିତ ପ୍ରମାଣ ସାମ୍ନାକୁ ଆସିନାହିଁ।

