ସାବଧାନ!! ମାର୍କେଟରେ ବୁୁଲୁଛନ୍ତି ଫେକ୍ କନିଆଁ; ବାହା ହୋଇ କରିଦେଉଛନ୍ତି ଖୋଳ!
ମନ୍ଦିରରେ ବିବାହ ସରିଲା। ବିବାହର ସମସ୍ତ ରୀତିନୀତି ସରିବା ପରେ ବହୁ ଆନନ୍ଦରେ ଚନ୍ଦ୍ରଭାନ ପତ୍ନୀଙ୍କୁ ଧରି ନିଜ ଗାଁକୁ ଫେରିଥିଲେ
ଲକ୍ଷ୍ନୌ: ସାବଧାନ!!! ମାର୍କେଟରେ ବୁଲୁଛନ୍ତି ଫେକ୍ କନିଆଁ। ଖାଲି ଫେକ୍ କନିଆଁ ନୁହେଁ, ଫେକ୍ ସମ୍ପର୍କୀୟ ମଧ୍ୟ ମିଳୁଛନ୍ତି। ମନ୍ଦିରରେ ବାହା ହେଉଛନ୍ତି। ଆଉ ବଧୂ ବେଶରେ ଶାଶୁ ଘର ଦୁଆର ମୁହଁରୁ ଫେରାର ହୋଇଯାଉଛନ୍ତି। ଗଲା ବେଳେ ଭାବି ପତିଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଏହିପରି ଏକ ଗ୍ୟାଙ୍ଗକୁ ଉତ୍ତରପ୍ରଦେଶ ପୋଲିସ ଧରିଛି। ଏହି ମାମଲାରେ ପୋଲିସ ଜଣେ ମହିଳା ଓ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ପୂରା ଗ୍ୟାଙ୍ଗକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।
ମଥୁରା ସୁରୀର କୋତୱାଲି ଥାନା ଅଞ୍ଚଳର ଚନ୍ଦ୍ରଭାନଙ୍କର ବିବାହ ବୟସ ହୋଇଯାଇଥିଲା। ହେଲେ କନିଆଁ ମିଳୁନଥିଲେ। ତେଣୁ ସେ ନିଜ ସମ୍ପର୍କୀୟ ସୁନ୍ଦରଙ୍କ ସହଯୋଗ ଲୋଡ଼ିଥିଲେ। ଅଭିଯୋଗ ଅନୁସାରେ କନିଆଁ ଯୋଗାଡ଼ କରିବା ପାଇଁ ଚନ୍ଦ୍ରଭାନଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ନେଇଥିଲେ ସୁନ୍ଦର। ପରେ ଚନ୍ଦ୍ରଭାନଙ୍କୁ ଅଲିଗଡ଼ର ଏକ ମନ୍ଦିରକୁ ନେଇ ଯାଇଥିଲେ। ସେଠାରେ ଏକ ମନ୍ଦିରେ ଜଣେ ଯୁବତୀଙ୍କ ବିବାହ ମଧ୍ୟ କରାଇଥିଲେ। ବିବାହ ସମୟରେ ଉପସ୍ଥିତ ଥିଲେ ରବୀନ୍ଦ୍ର ଭାଟି ନାମକ ଜଣେ ଯୁବକ। ସେ ନିଜକୁ ଯୁବତୀଙ୍କ ଦାଦା ବୋଲି ପରିଚୟ ଦେଇଥିଲେ। ଠିକ୍ ସେହି ଦିନେଶ ଭାଟି ନିଜକୁ ଯୁବକତୀଙ୍କ ଭାଇ ବୋଲି ପରିଚୟ ଦେଇଥିଲେ।
ମନ୍ଦିରରେ ବିବାହ ସରିଲା। ବିବାହର ସମସ୍ତ ରୀତିନୀତି ସରିବା ପରେ ବହୁ ଆନନ୍ଦରେ ଚନ୍ଦ୍ରଭାନ ପତ୍ନୀଙ୍କୁ ଧରି ନିଜ ଗାଁକୁ ଫେରିଥିଲେ। ହେଲେ ଭାଗ୍ୟର ବିଡ଼ମ୍ବା ଗାଁରେ ପହଞ୍ଚିବା ପରେ ବାହାନା କରି ନବବଧୂ ତାଙ୍କ ସାଥୀ ଇରଫାନ ଓ ସୁନ୍ଦରଙ୍କ ସହ ସେଠାରୁ ଚାଲି ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଚନ୍ଦ୍ରଭାନ ପୁଲିସ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାର କରି ପୁଲିସ ଠକେଇ ଅଭିଯୋଗ ରୁଜୁ କରିଥିଲା। ମାମଲାର ତଦନ୍ତ ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ପୁଲିସର ଅଭିଯୋଗ ଅନୁସାରେ, ଚନ୍ଦ୍ରଭାନଙ୍କଠାରୁ ବିବାହ ନାଁରେ ଅନ୍ଲାଇନ୍(ୟୁପିଆଇ)ରେ ୯୯ ହଜାର ଟଙ୍କା ଓ ୧୬ ହଜାର ଟଙ୍କା ନଗଦ ନେଇ ଯାଇଥିଲେ। ମୋଟ ପ୍ରାୟ ୧ ଲକ୍ଷ ୧୫ ହଜାର ଟଙ୍କା ନିଆଯାଇଥିବା କୁହାଯାଉଛି।
ପୋଲିସ ମାମଲାରେ ତଦନ୍ତ ଚନ୍ଦ୍ରଭାନଙ୍କ ବିବାହ କରିଥିବା ମହିଳା, ସୁନ୍ଦର ଓ ଇରଫାନଙ୍କୁ ଗିରଫ କରିଛି। ପୁଲିସ କହିଛି; ଏହି ଗ୍ୟାଙ୍ଗର ଆଉ କେତେକ ଲୋକ ସାମିଲ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି।


