ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ମେ’ ପ୍ରକାଶ ପାଇବ ରେଜଲ୍ଟ, ବୋର୍ଡ ଦେଲା ବଡ଼ ସୂଚନା
ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ମେ’ ପ୍ରକାଶ ପାଇବ ରେଜଲ୍ଟ
ଭୁବନେଶ୍ଵର: ସରିଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ଏହାରି ଭିତରେ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଫଳାଫଳକୁ ନେଇ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ସୂଚନା। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଜଣାପଡ଼ିଛି ଯେ, ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ ମେ’ ମାସର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇପାରେ।
ଏନେଇ ସୂଚନା ଦେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ମୂଲ୍ୟାଙ୍କନ ପ୍ରକ୍ରିୟା ଜୋରଦାର ଭାବେ ଚାଲିଛି। OMR ଖାତା ଦେଖା କାମ ଆରମ୍ଭ ହୋଇ ସାରିଥିବା ବେଳେ, ଆସନ୍ତା ୧୯ ତାରିଖରୁ ସବଜେକ୍ଟିଭ୍ ଖାତା ମୂଲ୍ୟାଙ୍କନ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ପାଇଁ ସମଗ୍ର ରାଜ୍ୟରେ ମୋଟ ୫୫ଟି କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୫ ହଜାର ନୀରୀକ୍ଷକଙ୍କୁ ଏହି କାମରେ ନିଯୁକ୍ତ କରାଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଫଳାଫଳ ପ୍ରକାଶ ପୂର୍ବରୁ ସମସ୍ତ ପ୍ରକ୍ରିୟା ସଠିକ୍ ଭାବେ ଯାଞ୍ଚ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ନ୍ୟାୟସଂଗତ ମୂଲ୍ୟାଙ୍କନ ପାଇପାରିବେ।
ରେଜଲ୍ଟ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଧିକୃତ ୱେବସାଇଟ୍ ମାଧ୍ୟମରେ ନିଜ ଫଳାଫଳ ଦେଖିପାରିବେ।
