ବଡ଼ ଖବର: ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ଵର: ଓଡ଼ିଶାରେ ଶିକ୍ଷାର୍ଥୀମାନଙ୍କ ପାଇଁ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା +୨ ପରୀକ୍ଷାର ମୂଲ୍ୟାୟନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନା ଅନୁଯାୟୀ, ଆସନ୍ତା ମେ’ ମାସର ତୃତୀୟ ସପ୍ତାହ ସୁଦ୍ଧା +୨ ଫଳ ପ୍ରକାଶ ପାଇବ।

ବର୍ତ୍ତମାନ ପର୍ଯ୍ୟନ୍ତ ୯୬%ରୁ ଅଧିକ ଖାତା ଦେଖା ସରିଥିବା ବେଳେ ଅବଶିଷ୍ଟ ଖାତା ଶୀଘ୍ର ଶେଷ କରାଯିବ। ରାଜ୍ୟର ୧୫୧ଟି ମୂଲ୍ୟାୟନ କେନ୍ଦ୍ରରେ ୮୩୪୩ ଜଣ ଅଧ୍ୟାପକ ଏହି କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି। ମୂଲ୍ୟାୟନ ଅବଧି ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ାଯାଇଥିଲା ଏବଂ ମେ’ ୧ରୁ ଫଳ ପ୍ରକାଶ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।

ଅନ୍ୟପଟେ, ମାଟ୍ରିକ୍ (୧୦ମ) ପରୀକ୍ଷାର ଫଳ ଆସନ୍ତା ମେ’ ୨ ତାରିଖ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ। ଏହା ସହ ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ପରୀକ୍ଷାର ଫଳ ମଧ୍ୟ ଏହି ଦିନେ ଘୋଷଣା ହେବ।

ପରୀକ୍ଷାର୍ଥୀମାନେ ତାଙ୍କର ଫଳାଫଳ www.bseodisha.ac.inwww.bseodisha.nic.in ୱେବସାଇଟ୍‌ରେ ସନ୍ଧ୍ୟା ୬ଟା ପରେ ଦେଖିପାରିବେ। ଇଣ୍ଟରନେଟ୍ ସୁବିଧା ନଥିବା ଅଞ୍ଚଳରେ SMS ମାଧ୍ୟମରେ ମଧ୍ୟ ଫଳ ଜାଣିବା ସୁବିଧା ରହିଛି। ପରୀକ୍ଷାର୍ଥୀମାନେ OR10<RollNo> ଲେଖି ୫୬୭୬୭୫୦ ନମ୍ବରକୁ ପଠାଇଲେ ରେଜଲ୍ଟ ପାଇପାରିବେ।

ଏହା ସହିତ, ମେ’ ୨ ସନ୍ଧ୍ୟା ୭ଟା ପରଠାରୁ ସ୍କୁଲ ମୁଖ୍ୟମାନେ ଟାବୁଲେସନ୍‌ ରେଜିଷ୍ଟର ୱେବସାଇଟ୍‌ରୁ ଡାଉନଲୋଡ୍ କରିପାରିବେ, ଯାହା ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଉପକାରୀ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହିବର୍ଷ ପ୍ରଥମଥର ପାଇଁ ମାଟ୍ରିକ୍ ସାର୍ଟିଫିକେଟ୍‌ ଓଡ଼ିଆ ସହିତ ଇଂରାଜୀରେ ମଧ୍ୟ ଉପଲବ୍ଧ ହେବ।