fbpx

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ; ମୋଟ ୫୩୩୭୧୨ଛାତ୍ରଛାତ୍ରୀ ଦେବେ ବୋଡ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହେବ । ଏଥିନେଇ ପରିଷଦ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ମାଟ୍ରିକ୍ ପରୀକ୍ଷା ସହ ଏକ ସଂଗରେ ମଧ୍ୟମା ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ତେବେ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ । ଭୋକେସ୍ନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ମାର୍କର ପରୀକ୍ଷା କରାଯିବ । ୫୦ନମ୍ବର ସଂକ୍ଷିପ୍ତ ପ୍ରଶ୍ନ ରହିଥିବା ବେଳେ ଅବଶିଷ୍ଠ ୩୦ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ । ଏହାର ଉତ୍ତର ପିଲାମାନେ ବୁକ୍ଲେଟରେ ଲେଖିବେ । ଗଣିତ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ୧୫ମିନିଟ୍ ସମୟ ଦିଆଯିବ ।

ସୂଚନା ଅନୁଯାୟୀଚଳିତ ବର୍ଷ ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୩୩ ହଜାର ୭୧୨ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ । ସେହିପରି ୨୯୧୪ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ ବୋଲି ଜଣାପଡିଛି । ଖାସ କରି ଏଥିପାଇଁ ୧୦୮ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ସେହିଭଳି ମୁକ୍ତ ବିଦ୍ୟାଳୟରେ ୭୧୮୧ ପରୀକ୍ଷାର୍ଥୀଙ୍କ ପାଇଁ ୧୪୬ଟପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ପ୍ରଥମ ଦିନ ପ୍ରଥମ ଭାଷା ସାହିତ୍ୟ ପରୀକ୍ଷା ହେବାକୁ ଥିବାବେଳେ ମାର୍ଚ୍ଚ ୧୩ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ଏବଂ ୧୪ ତାରିଖରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତର ପରୀକ୍ଷା କରାଯିବ । ସେହିପରି ୧୬ତାରିଖରେ ସାଧାରଣ ବିଜ୍ଞାନ, ୧୮ ତାରିଖରେ ସାମାଜିକ ବିଜ୍ଞାନ ଓ ୨୦ ତାରିଖରେ ଗଣିତ ପରୀକ୍ଷା କରାଯିବ । ଭୋକେସ୍ନାଲ ଟ୍ରେଡ୍ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବୃଆରୀ ୧୫ ତାରିଖରୁ ୧୮ତାରିଖ ମଧ୍ୟରେକରାଯିବା ନେଇ ସ୍ଥିର ହୋଇଛି ।

ଏତତ୍ ବ୍ୟତୀତ ମଧ୍ୟମାରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଇଂରାଜୀ ପରୀକ୍ଷାରେ ୩୦ନମ୍ବର ସବ୍ଜେକ୍ଟିଭ ଓ ୩୦ନମ୍ବର ଅବ୍ଜେକ୍ଟିଭ ପରୀକ୍ଷା କରାଯିବ । ଅନ୍ୟ ବିଷୟରେ ୩୦ମାର୍କ ସବ୍ଜେକ୍ଟିଭ ଓ ୫୦ମାର୍କ ଅବ୍ଜେକ୍ଟିଭ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ସୂଚୀରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.