ଆଜିଠୁ ମାଟ୍ରିକ ପରୀକ୍ଷା; ପରୀକ୍ଷା ଦେବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, AI ନଜରରେ ରହିବ ସମସ୍ତ ପରୀକ୍ଷାକେନ୍ଦ୍ର

ଆଜିଠୁ ମାଟ୍ରିକ ପରୀକ୍ଷା । AI ନଜରରେ ରହିବ ସମସ୍ତ ପରୀକ୍ଷାକେନ୍ଦ୍ର

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ବୋର୍ଡ ପରୀକ୍ଷା । ଛାତ୍ରଛାତ୍ରୀଙ୍କ ଜୀବନର ଏ ହେଉଛି ପ୍ରଥମ ବଡ଼ ପରୀକ୍ଷା । ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ। ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ହେବ । ସମସ୍ତ ପରୀକ୍ଷା ସକାଳ ୯ ଟାରୁ ସାଢେ ୧୧ ଯାଏଁ ଗୋଟିଏ ସିଟିଂରେ ହେବ । ସକାଳ ୮ଟା ୩୦ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଓଡ଼ିଶା ବୋର୍ଡ ଅଧିନରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ  ସ୍ବଚ୍ଛତା ଓ ତ୍ରୁଟିଶୂନ୍ୟ ଭାବେ ସାରିବା ବୋର୍ଡ କର୍ତ୍ତୁପକ୍ଷ ଓ ଗଣଶିକ୍ଷା ବିଭାଗ ପାଇଁ ବଡ ଆହ୍ବାନ । ୩୨୨ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷା ବଳୟରେ ରଖାଯାଇଛି । ସମସ୍ତ ନୋଡାଲ ସେଣ୍ଟରକୁ ଭାଇରାଲ ରେଜିଷ୍ଟାନସ କରାଯାଇଛି । ପ୍ରତି ପ୍ରଶ୍ନପତ୍ରରେ QR କୋଡ୍ ଓ ୱାଟରମାର୍କ ରହିଛି । ଯାହାକି ପ୍ରଶ୍ନପତ୍ର ଲିକ୍ କିମ୍ବା ଅନିୟମିତତା ରୋକିବାରେ ସାହାଯ୍ୟ କରିବ ।

ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି  ସର୍ଭେଲାନ୍ସରେ ରଖାଯାଇଛି । କଣ୍ଟ୍ରୋଲ୍  ରୁମ୍‌ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯିବ । ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ହବ୍ ଗୁଡିକ ଏଆଇ ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଛି । ସବୁ କେନ୍ଦ୍ରକୁ ଜଗିଛି ପୁଲିସ୍ । ସେହିପରି ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

​କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ ଟି ସ୍କ୍ୱାଡ ଓ ଜିଲ୍ଲା ସ୍ତରରେ ୭୨ଟି ସ୍କ୍ୱାଡ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଆସିବା ବେଳେ ଛାତ୍ରଛାତ୍ରୀଙ୍କୁ ନିଜର ଆଡମିଟ୍ କାର୍ଡ ସାଙ୍ଗରେ ଆଣିବାକୁ ଓ ବୋର୍ଡର ନିୟମ ମାନିବାକୁ ସୂଚନା ଦିଆଯାଇଛି। ତେବେ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମାଟ୍ରିକ ପରୀକ୍ଷା।