fbpx

MCD ନିର୍ବାଚନ ୫ବର୍ଷରେ ଥରେ ହୁଏ, କିନ୍ତୁ ପ୍ରତିବର୍ଷ ଏହାର ଜଣେ ନୂଆ ମେୟର ନିର୍ବାଚିତ ହୁଅନ୍ତି..

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଭୋଟ ଗଣିବା ପାଇଁ ନିର୍ବାଚନ ଆୟୋଗ ୪୨ଟି ଗଣନା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଏଥର ଦିଲ୍ଲୀ ୨୫୦ ୱାର୍ଡରେ ମୋଟ ୧୩୪୯ ପ୍ରାର୍ଥୀ ମଇଦାନରେ ଥିଲେ ଏବଂ ଏଥିପାଇଁ ସିଧାସଳଖ ନିର୍ବାଚନ ହୋଇଥିଲା । ହେଲେ ଆପଣ ଜାଣିଛନ୍ତି କି ଦିଲ୍ଲୀ ନଗର ନିଗମର ମେୟରଙ୍କ ନିର୍ବାଚନ କିପରି ହୁଏ? ମେୟରଙ୍କ କାର୍ଯ୍ୟକାଳ କେତେ?

ଦିଲ୍ଲୀ ନଗର ନିଗମ ନିର୍ବାଚନ ୫ବର୍ଷକୁ ଥରେ ହୋଇଥାଏ ଏବଂ ୫ବର୍ଷରେ କାଉନସିଲର ମାନେ ନିର୍ବାଚିତ ହୁଅନ୍ତି । ହେଲେ ମେୟର ମାନେ ସିଧା ସଳଖ ନିର୍ବାଚିତ ହୋଇନଥାନ୍ତି । ମେୟର ମାନଙ୍କୁ କାଉନସିଲର ମାନେ ନିର୍ବାଚିତ କରିଥାନ୍ତି ଏବଂ ପ୍ରତିବର୍ଷ ମେୟର ନିର୍ବାଚନ ହୁଏ । ଏମସିଡି ନିର୍ବାଚନରେ ଯେଉଁ ଦଳକୁ ଅଧିକ ଭୋଟ ମିଳିଥିବ, ସେମାନଙ୍କ କାର୍ଯ୍ୟକାଳ ୫ବର୍ଷ ଅଟେ । ଅନ୍ୟପଟେ ମେୟରଙ୍କ କାର୍ଯ୍ୟକାଳ ଏକ ବର୍ଷ ହୋଇଥାଏ ।

ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ଯେଉଁ ରାଜନୈତିକ ଦଳକୁ ବିପୁଳ ସଂଖ୍ୟାରେ ଭୋଟ ମିଳିଥିବ, ମେୟର ସେହି ଦଳରେ ନିର୍ବାଚିତ ହୋଇଥାନ୍ତି । ଯେତେବେଳେ ନିର୍ବାଚନ ଫଳାଫଳ ଆସେ ସେତେବେଳେ ଗୃହର ପ୍ରଥମ ବୈଠକରେ ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୁଏ । ନିର୍ବାଚିତ କାଉନସିଲରଙ୍କ ମଧ୍ୟରୁ କେତେକ କାଉନସିଲର ମେୟର ପଦ ପାଇଁ ମନୋନୀତ ହୁଅନ୍ତି ଏବଂ ଅନ୍ୟ କାଉନସିଲର ମାନେ ମେୟରଙ୍କୁ ଚୟନ କରିଥାନ୍ତି । ତେବେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ଆକ୍ଟ ଅନୁଯାୟୀ, ପ୍ରତିବର୍ଷ ଏପ୍ରିଲ ମାସର ପ୍ରଥମ ବୈଠକରେ ଜଣେ ନୂଆ ମେୟର ଏବଂ ଡେପୁଟି ମେୟର ନିର୍ବାଚିତ ହୋଇଥାନ୍ତି ।

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମେୟର ପଦ ପ୍ରଥମ ବର୍ଷରେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । କିନ୍ତୁ ଦ୍ୱିତୀୟ ବର୍ଷରେ ମେୟର ପଦ ସଂରକ୍ଷିତ ହୋଇ ନଥାଏ । ଏହାପରେ ତୃତୀୟ ବର୍ଷରେ ମେୟର ପଦ ଅନୁସୂଚୀତ ଜାତି ପରିଷଦ ପାଇଁ ସଂରକ୍ଷିତ ରହିଛି । ଚତୁର୍ଥ ଏବଂ ପଞ୍ଚମ ବର୍ଷ ମେୟର ପଦ ସଂରକ୍ଷିତ ହୋଇ ନାଥାଏ ।

Get real time updates directly on you device, subscribe now.