ଡାକ୍ତର ହେବାର ସ୍ୱପ୍ନ ନେଇ ଯାଇଥିଲେ; ହେଲେ କେଉଁଆଡ଼େ ଚାଲିଗଲେ?
ଯାଜପୁର ଜିଲ୍ଲାର ସାଗର ସାହୁ ଡାକ୍ତର ହେବାର ସପନ ନେଇ ବ୍ରହ୍ମପୁର ଯାଇଥିଲେ। ସେଠାରେ ଏମ୍କେସିଜି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ନାଁ ଲେଖାଇଥିଲେ
ଭୁବନେଶ୍ୱର: ଡାକ୍ତର ହେବାର ସ୍ୱପ୍ନ ନେଇ ଯାଇଥିଲେ। ହେଲେ ଅଧା ପରୀକ୍ଷା ଦେଇ କୁଆଡ଼େ ଚାଲିଗଲେ? ଏପରି ଘଟଣା ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଘଟିଛି। ଛାତ୍ର ଜଣକ ଗତ ୩୧ ତାରିଖରୁ ନିଖୋଜି ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।
ଯାଜପୁର ଜିଲ୍ଲାର ସାଗର ସାହୁ ଡାକ୍ତର ହେବାର ସପନ ନେଇ ବ୍ରହ୍ମପୁର ଯାଇଥିଲେ। ସେଠାରେ ଏମ୍କେସିଜି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ନାଁ ଲେଖାଇଥିଲେ। ସେ ପ୍ରଥମ ବର୍ଷର ଛାତ୍ର ଥିଲେ। ଅଗଷ୍ଟ ୩୧ ତାରିଖରେ ପ୍ରଥମ ସେମିଷ୍ଟାର ଫାଷ୍ଟ ସିଟିଂ ପରୀକ୍ଷା ଦେବା ପାଇଁ ଯାଇଥିଲେ। ହେଲେ ଦ୍ୱିତୀୟ ସିଟିଂ ପରୀକ୍ଷା ଦେବାକୁ ଯାଇନଥିବାରୁ ସାଙ୍ଗମାନେ ଚାରିଆଡ଼େ ଖୋଜିଥିଲେ। ତାଙ୍କର ପତ୍ତା ପାଇନଥିଲେ। ଛାତ୍ରମାନେ ଏନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।
ମେଡିକାଲ କଲେଜ ପକ୍ଷରୁ ସାଗରଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା। ଏଥିସହ ପୋଲିସରେ ଅଭିଯୋଗ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରିଥିବା ବେଳେ ରେଳ ଷ୍ଟେସନ୍ ପାଖରୁ ସାଗରଙ୍କ ମୋବାଇଲ ମିଳିଛି। ଏହା ପରେ ପୋଲିସ ରେଳ ଷ୍ଟେସନ୍ ଆଖପାଖ ଅଞ୍ଚଳରେ ଲିଗିଥିବା ସିସିଟିଭି ଯାଞ୍ଚ କରୁଛି। ୩୧ ତାରିଖରୁ ସାଗର ନିଖୋଜ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁନି।


