ବଡ଼ ଧରଣର ଦୁର୍ଘଟଣା, କ୍ରାସ୍ ହେଲା ବିମାନ, ସମସ୍ତେ ମୃତ, ଉଦ୍ଧାର କାର୍ଯ୍ୟ ଜାରୀ, ତଦନ୍ତ କରୁଛି ତଦନ୍ତକାରୀ ଟିମ୍
ବଡ଼ ଧରଣର ଦୁର୍ଘଟଣା, କ୍ରାସ୍ ହେଲା ବିମାନ, ସମସ୍ତେ ମୃତ, ଉଦ୍ଧାର କାର୍ଯ୍ୟ ଜାରୀ
Plane Crash: ସକାଳୁ ସକାଳୁ ବଡ଼ ଧରଣର ବିମାନ ଦୁର୍ଘଟଣା । ଉଡ଼ାଣ ଭରୁ ଭରୁ କ୍ରାସ୍ ହେଲା ବିମାନ । ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟରେ ଗୁରୁବାର ସକାଳେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଏକ ମେଡିକାଲ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ସମସ୍ତ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ନ୍ୟୁ ମେକ୍ସିକୋର ରୁଇଡୋସୋ ଅଞ୍ଚଳ ବାହାରେ ଏହି ଦୁର୍ଘଟଣା ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଉଡ଼ାଣ ପରେ ଘଟିଲା ଦୁର୍ଘଟଣା
ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଅନୁଯାୟୀ, ବିମାନଟି ରୋସୱେଲ ଏୟାର ସେଣ୍ଟରରୁ ଉଡ଼ାଣ ଭରି ସିଏରା ବ୍ଲାଙ୍କା ଆଞ୍ଚଳିକ ବିମାନବନ୍ଦର ଅଭିମୁଖେ ଯାଉଥିଲା। ତେବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲିଙ୍କନ କାଉଣ୍ଟି ମ୍ୟାନେଜର ଜେସନ ବର୍ନ୍ସ କହିଛନ୍ତି ଯେ, ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଏବଂ ଏହାର ତଦନ୍ତ ଜାରି ରହିଛି।
ଜଙ୍ଗଲରେ ବ୍ୟାପିଲା ନିଆଁ
ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଉକ୍ତ ଅଞ୍ଚଳରେ ଭୟଙ୍କର ନିଆଁ ଲାଗିଯାଇଛି। ପ୍ରାୟ ପାଞ୍ଚ ଏକର ପରିମିତ ଜଙ୍ଗଲ ଅଞ୍ଚଳକୁ ଏହି ନିଆଁ ବ୍ୟାପିଯାଇଥିଲା। ଆମେରିକୀୟ ଫରେଷ୍ଟ ସର୍ଭିସ୍ ଏବଂ ସ୍ଥାନୀୟ ଏଜେନ୍ସିଗୁଡ଼ିକ ମିଳିତ ଭାବେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଦୁର୍ଘଟଣା ସମୟରେ ପାଗ ଶୁଷ୍କ ଥିବା ବେଳେ ପ୍ରବଳ ପବନ ଯୋଗୁଁ ନିଆଁ ବ୍ୟାପିବାର ଆଶଙ୍କା ଆହୁରି ବଢ଼ିଯାଇଥିଲା।
ତଦନ୍ତ ନିର୍ଦ୍ଦେଶ
FAA ଏବଂ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ଏହି ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ତଦନ୍ତ ପରେ ହିଁ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା କି ନାହିଁ କିମ୍ବା ଖରାପ ପାଗ ଯୋଗୁଁ ଏଭଳି ଘଟିଲା, ତାହା ସ୍ପଷ୍ଟ ହେବ।
ବଢ଼ୁଛି ମେଡିକାଲ ବିମାନ ଦୁର୍ଘଟଣା
ଗତ ୧୮ ମାସ ମଧ୍ୟରେ ଆମେରିକାରେ ମେଡିକାଲ ବିମାନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି। ୨୦୨୫ ଜାନୁଆରୀରେ ଫିଲାଡେଲଫିଆରେ ଏକ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗତବର୍ଷ ଟେକ୍ସାସ ଉପକୂଳରେ ମଧ୍ୟ ଏକ ବିମାନ ଦୁର୍ଘଟଣା ଘଟିଥିଲା।


