ଚର୍ଚ୍ଚିତ ଅମିତ କଶ୍ୟପ ହତ୍ୟାକାଣ୍ଡ: କୋର୍ଟ ଦେଲେ ବଡ଼ ବୟାନ, ସ୍ଵାମୀ ଦେବତା ସମାନ, ତାଙ୍କୁ ହତ୍ୟା କରିବା ମାନେ..

ମେରଠର ଚର୍ଚ୍ଚିତ ଅମିତ କଶ୍ୟପ ହତ୍ୟାକାଣ୍ଡ: କୋର୍ଟ ପତ୍ନୀ ଏବଂ ପ୍ରେମୀଙ୍କୁ ଶୁଣାଇଲେ ଫାଶୀ ଦଣ୍ଡ

ଉତ୍ତରପ୍ରଦେଶ: ମେରଠର ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ କୋର୍ଟ ପତ୍ନୀ ରବିତା ଏବଂ ତାଙ୍କ ପ୍ରେମୀ ଅମରଦୀପଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। ଉଭୟଙ୍କୁ ଅମିତ କଶ୍ୟପଙ୍କୁ ଗଳାଚିପି ହତ୍ୟା କରିବା ଏବଂ ପରେ ଏହାକୁ ସାପ କାମୁଡ଼ାରେ ମୃତ୍ୟୁ ବୋଲି ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଡିଜେ-୧୨ ଅଦାଲତ ମାମଲାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଉଭୟଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଛନ୍ତି। ରାୟ ଶୁଣାଇବା ସମୟରେ ବିଚାରପତି ମତ ଦେଇଥିଲେ ଯେ ସ୍ୱାମୀଙ୍କୁ ହତ୍ୟା କରିବା ଅର୍ଥ ଧର୍ମର ହତ୍ୟା ସମାନ ଅଟେ।

ହତ୍ୟାକୁ ସାପ କାମୁଡ଼ାର ରୂପ ଦେବାର ଷଡ଼ଯନ୍ତ୍ର: ପୋଲିସ ତଦନ୍ତ ଏବଂ ଅଭିଯୋଗ ଅନୁଯାୟୀ, ରବିତା ତାଙ୍କ ପ୍ରେମୀ ଅମରଦୀପଙ୍କ ସହ ମିଶି ସ୍ୱାମୀ ଅମିତ କଶ୍ୟପଙ୍କୁ ହତ୍ୟା ଯୋଜନା କରିଥିଲେ। ଅମିତ ଶୋଇଥିବା ଅବସ୍ଥାରେ ଅମରଦୀପ ସେଠାରେ ପହଞ୍ଚିଥିଲେ। ଅଭିଯୋଗ ଅନୁଯାୟୀ, ରବିତା ଅମିତଙ୍କ ହାତକୁ ଧରି ରଖିଥିଲେ ଏବଂ ଅମରଦୀପ ତାଙ୍କ ଗଳା ଚିପି ହତ୍ୟା କରିଥିଲେ।

ହତ୍ୟାକୁ ଲୁଚାଇବା ପାଇଁ ଅମରଦୀପ ଜଣେ ସାପୁଆଠାରୁ ୧,୦୦୦ ଟଙ୍କା ଦେଇ ଏକ ସାପ କିଣି ଆଣିଥିଲେ ଏବଂ ଶବ ନିକଟରେ ଛାଡି ଦେଇଥିଲେ, ଯେପରି ଲୋକେ ଭାବିବେ ଯେ ଅମିତଙ୍କୁ ସାପ କାମୁଡ଼ିଛି। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଡାକ୍ତରୀ ଯାଞ୍ଚରୁ ସ୍ପଷ୍ଟ ହୋଇଥିଲା ଯେ ଅମିତଙ୍କ ମୃତ୍ୟୁ ଗଳାଚିପି ହେବା କାରଣରୁ ହୋଇଥିଲା ଏବଂ ସାପର ଦାନ୍ତ ନଥିବା କାରଣରୁ ସତ୍ୟ ସାମ୍ନାକୁ ଆସିଥିଲା।

ସଜ୍ଜା ପୂର୍ବରୁ କୋର୍ଟରେ ଭାବୁକ ହେଲେ ଦୋଷୀ: ଫାଶୀ ଦଣ୍ଡ ଶୁଣାଇବା ପୂର୍ବରୁ ଅଦାଲତ ଭିଡିଓ କନଫରେନ୍ସିଂ ଜରିଆରେ ଉଭୟଙ୍କ ପକ୍ଷ ଶୁଣିଥିଲେ। ବିଚାରପତି ପଚାରିଥିଲେ ଯେ ସେମାନେ କି ପ୍ରକାର ସଜ୍ଜା ଚାହାଁନ୍ତି? ଏହି ସମୟରେ ରବିତା ତାଙ୍କର ତିନୋଟି ଛୋଟ ପିଲାଙ୍କ ଦାୟିତ୍ୱ ନେବାକୁ ନିବେଦନ କରିଥିବାବେଳେ, ଅମରଦୀପ ତାଙ୍କ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା କଥା କହି କୋର୍ଟରେ କାନ୍ଦି ପକାଇଥିଲେ। ତଥାପି, ଅପରାଧର ଗାମ୍ଭୀର୍ଯ୍ୟକୁ ବିଚାର କରି କୋର୍ଟ ଉଭୟଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।