fbpx

ଆଶ୍ଚର୍ଯ୍ୟ ! ‘ଗାଈ ଥେରାପି’ରେ ସୁସ୍ଥ ହେଉଛନ୍ତି ମାନସିକ ରୋଗୀ

ଅଷ୍ଟ୍ରେଲିଆରେ ଭାରତୀୟ ଗାଈଙ୍କ ଜରିଆରେ ମାନସିକ ଭାବେ ଅସୁସ୍ଥ ଥିବା ଲୋକମାନଙ୍କର ଚିକିତ୍ସା କରାଯାଉଛି । ତାକୁ ‘କାଓ ଥେରାପି’ ବୋଲି କୁହାଯାଉଛି । ସେଠାକାର ନର୍ଥ କ୍ୱିନ୍ସଲାଣ୍ଡରେ ଏଥିଲାଗି ଆନୁଷ୍ଠାନିକ ଭାବେ ‘କାଓ କାଉନ୍ସିଲିଂ’ ଫାର୍ମ ବି ଖୋଲାଯାଇଛି । ସେଠାକୁ ଲୋକମାନେ ଆସି ମାନସିକ ଶାନ୍ତି ଲାଗି ଗାଈ ସହ ସମୟ ବିତାଉଛନ୍ତି । ସେମାନଙ୍କର ସେବା କରୁଛନ୍ତି । ସେମାନଙ୍କୁ କୁଣ୍ଢାଇ ନିଜର ସୁଖଦୁଃଖ ସେୟାର କରୁଛନ୍ତି । ‘କାଓ ଥେରାପି’ ଲାଗି ସେମାନଙ୍କଠାରୁ ଦେୟ ଆକାରରେ କିଛି ଅର୍ଥ ଆଦାୟ କରାଯାଉଛି । ଏହି ଥେରାପି ପାଇଁ ଭାରତୀୟ ଗାଈମାନଙ୍କୁ ବାଛିବାର କାରଣ ହେଲା ଏମାନେ ଅନ୍ୟ ପ୍ରଜାତିର ଗାଈଙ୍କ ଅପେକ୍ଷା ଶାନ୍ତ । ପ୍ରଥମରୁ ଲୋକଙ୍କୁ ଆକ୍ରମଣ କରିବାକୁ ପ୍ରସ୍ତୁତ ରୁହନ୍ତି ନାହିଁ ।

ଏ ସମ୍ପର୍କରେ ଜଣେ ରୋଗୀ ଡୋନା ଏଷ୍ଟିଲ୍ କହିଛନ୍ତି, ମୁଁ ପର୍ସନାଲିଟି ଡିଜଅର୍ଡର, ଉତ୍କଣ୍ଠା ଓ ମାନସିକ ଅବସାଦରେ ପୀଡ଼ିତ । କାଉନ୍ସିଲିଂ କେନ୍ଦ୍ରରେ ଗାଈଗୁଡ଼ିକଙ୍କର ସେବା କରିବା ଦ୍ୱାରା ଧୀରେ ଧୀରେ ଠିକ୍ ହେଉଛି । ଏହି ଭାରତୀୟ ଗାଈଗୁଡ଼ିକ ମୋ’ ଜୀବନ ବଞ୍ଚାଇଛନ୍ତି । ବର୍ଷକ ପୂର୍ବରୁ ଯଦି କେହି ମୋତେ ‘କାଓ ଥେରାପି’ କଥା କହିଥାନ୍ତେ ତା’ ହେଲେ ମୋତେ ହାସ୍ୟାସ୍ପଦ ଲାଗିଥାନ୍ତା । କିନ୍ତୁ ଏବେ ଏହା ମୋତେ ଏକ ନୂଆ ଜୀବନ ଦେଇଛି । ବର୍ଷକ ମଧ୍ୟରେ ମୁଁ ବହୁ ପରିମାଣରେ ଠିକ୍ ହୋଇଯାଇଛି । ମାନସିକ ଅବସାଦ ସହିତ ଅଟିଜିମ୍ ସମସ୍ୟା ଭୋଗୁଥିବା ରୋଗୀଙ୍କୁ ବି ଏଠାରେ ଚିକିତ୍ସା କରାଯାଉଛି ।

ଅଟିଜିମ୍ ସମ୍ପର୍କରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଟେମ୍ପଲ ଗ୍ରାଡିନ୍ କହିଛନ୍ତି, ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଅନ୍ୟ ଲୋକଙ୍କ ସହିତ ସହଜ ହୋଇପାରନ୍ତି ନାହିଁ । କିନ୍ତୁ ପଶୁପକ୍ଷୀଙ୍କ ସହ ଖୁବ୍ଆ ରାମରେ ମିଶିଯାଆନ୍ତି । ତା’ ପରେ ମଣିଷଙ୍କ ସହ ମିଶିବା ସହଜ ହୋଇଯାଏ । ଆଗରୁ ଏହି ରୋଗୀମାନଙ୍କୁ ଘୋଡ଼ାଶାଳକୁ ନିଆଯାଉଥିଲା । ତାକୁ ‘ଇକ୍ୱାଇନ୍ ଥେରାପି’ କୁହାଯାଇଥାଏ । ବର୍ତ୍ତମାନ ‘ଇକ୍ୱାଇନ୍ ଥେରାପି’ର ବିକଳ୍ପ ଭାବେ ଅଷ୍ଟ୍ରେଲିଆରେ ‘କାଓ ଥେରାପି’ ଲୋକପ୍ରିୟ ହେଉଛି ।

ଫାର୍ମ ଆରମ୍ଭ କରିଥିବା ୩୪ ବର୍ଷୀୟ ଲରେନ୍ସ ଫକ୍ସ କହନ୍ତି, ମୁଁ ସେଣ୍ଟ୍ରାଲ କ୍ୱିନସଲାଣ୍ଡ ବିଶ୍ୱବିଦ୍ୟାଳୟରେ ଏମ୍ବିଏ କରୁଥିବାବେଳେ ‘କାଓ ଥେରାପି’ କରାଇବାର ଆଇଡିଆ ମନକୁ ଆସିଥିଲା । ମୁଁ ଏଠାରେ ଲୋକଙ୍କୁ ଠିକ୍ ହେଉଥିବାର ଦେଖୁଛି । ବିଭିନ୍ନ ପ୍ରକାର ମାନସିକ ରୋଗରେ ପୀଡ଼ିତ ଲୋକେ ଏଠାକୁ ଆସୁଛନ୍ତି । ପୂର୍ବରୁ ମୁଁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଉଥିବା ଘୋଡ଼ାଙ୍କ ସହ ଦୀର୍ଘ ଦିନ ବିତାଇଛି । ସେମାନେ ସ୍ୱଭାବତଃ ଆକ୍ରାମକ ହୋଇଥାନ୍ତି । କିନ୍ତୁ ଗାଈଙ୍କ ସହ ସମୟ ବିତାଇଲେ ଶାନ୍ତି ଓ ଖୁସି ମିଳିଥାଏ । ସେଥିଲାଗି ମାନସିକ ଅବସାଦଗ୍ରସ୍ତ ଲୋକମାନେ ସ୍ୱାଭାବିକ ହେଉଛନ୍ତି ।

Get real time updates directly on you device, subscribe now.