fbpx

ହାତୀ ଆସିବା ପୂର୍ବରୁ ମୋବାଇଲକୁ ଆସୁଛି ମେସେଜ୍, ବନ ବିଭାଗର ନିଆରା ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ବନ୍ୟପ୍ରାଣୀମାନେ ବିଭିନ୍ନ କାରଣରୁ ଜନବସତି ମୁହାଁ ହୋଇଥାନ୍ତି । ବିଶେଷ କରି ହାତୀମାନେ ଗାଁ ମଧ୍ୟକୁ ପଶିଆସିଲେ ଗ୍ରାମବାସୀଙ୍କ ଅବସ୍ଥା କଥା ନ କହିବା ଭଲ । ହାତୀମାନେ ଚାଷୀଙ୍କର ଏକର ଏକର ଚାଷ ଜମିର ଫସଲ ନଷ୍ଟ କରିବା ସହ ଘରଦ୍ୱାର ମଧ୍ୟ ଭାଙ୍ଗି ଦେଇଥାନ୍ତି । ଅନେକ ସମୟରେ କିଛି ଲୋକ ହାତୀ ଆକ୍ରମଣରେ ପ୍ରାଣ ମଧ୍ୟ ହରାଇଥାନ୍ତି ।

ତେବେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ଯେଉଁ ଅଞ୍ଚଳରେ ହାତୀ ଚଳପ୍ରଚଳ ହେଉଥିବେ ସେନେଇ ବନ ବିଭାଗ ପକ୍ଷରୁ ଅଞ୍ଚଳବାସୀଙ୍କୁ ଆଗୁଆ ସୂଚନା ଦିଆଯାଉଛି । ଲୋକଙ୍କ ମୋବାଇଲକୁ ଆଗକୁ ଭଏସ ଓ ଟେକ୍ସଟ ମେସେଜ ପଠାଯାଉଛି । ମୋବାଇଲ ନେଟୱାର୍କ ସମସ୍ୟା ବା ଇଲେକ୍ଟ୍ରି କଟ୍ ସମସ୍ୟା ଥିଲେ ମାଇକ୍ ଯୋଗେ ମଧ୍ୟ ସୂଚନା ପ୍ରଦାନ ପାଇଁ ସ୍ପେଶାଲ ଟିମ୍ ପ୍ରସ୍ତୁତ କରି ରଖାଯାଇଛି ।

କେନ୍ଦୁଝର ବନ ଡିଭିଜନରେ ହାତୀଙ୍କ ପାଇଁ ଜନସାଧାରଣ ନାନା ହରକତର ସାମ୍ନା କରୁଛନ୍ତି । ତେଣୁ ବିଭାଗ ପକ୍ଷରୁ ଲୋକଙ୍କ ଫୋନ ନମ୍ବରକୁ ନେଇ ଏକ ଡାଟା ବେସ୍ ପ୍ରସ୍ତୁତ କରାଯାଇଛି । ହାତୀମାନେ ଯେଉଁ ଅଞ୍ଚଳ ଆଡ଼କୁ ମୁହାଁଇଥାନ୍ତି, ଉକ୍ତ ଅଞ୍ଚଳର ଲୋକଙ୍କୁ ମୋବାଇଲରେ ଏନେଇ ସୂଚନା ଦିଆଯାଉଛି । ଏହାଦ୍ୱାରା ଲୋକମାନେ ସଚେତନ ହୋଇ ଜଙ୍ଗଲକୁ ଆଉ ଯାଇ ନଥାନ୍ତି । ଏହି ମେସେଜ ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ବିଡିଓ, ବିଧାୟକ, ତହସିଦଲଦାରଙ୍କୁ ମଧ୍ୟ ପ୍ରଦାନ କରାଯାଉଛି ।

Get real time updates directly on you device, subscribe now.