ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ବନ୍ଦ ହୋଇଯିବ ହର୍ମୁଜ୍ ପ୍ରଣାଳୀ, ଭାରତରେ LPG-LNG ଓ ପେଟ୍ରୋଲ-ଡିଜେଲର ବଢ଼ିବ ସଙ୍କଟ

ହର୍ମୁଜ୍ ପ୍ରଣାଳୀ ବନ୍ଦ ହେଲେ ଭାରତରେ LPG-LNG ସଙ୍କଟ, ପେଟ୍ରୋଲ-ଡିଜେଲ ଦାମ ବଢ଼ିପାରେ

Iran-US War: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି ଏବଂ ଆମେରିକା ଓ ଇରାନ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଆମେରିକା ଇରାନ ସହିତ ହୋଇଥିବା ଶାନ୍ତି ଚୁକ୍ତି ଏବଂ ଅସ୍ତ୍ରବିରତିକୁ ପ୍ରତ୍ୟାଖ୍ୟାନ କରିଛି । ଏହି ସାମ୍ପ୍ରତିକ ବିବାଦ ‘ହର୍ମୁଜ୍ ପ୍ରଣାଳୀ’ ଦେଇ ଜାହାଜ ଚଳାଚଳକୁ ନେଇ ସୃଷ୍ଟି ହୋଇଛି ।

ଯଦି ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ବନ୍ଦ ବା ବ୍ଲକ୍ ହୋଇଯାଏ, ତେବେ ଭାରତରେ ଏଲ୍‌ପିଜି ଏବଂ ଏଲ୍‌ଏନ୍‌ଜି ସଙ୍କଟ ଗଭୀର ହେବ । ଏହାସହ ଗ୍ୟାସ୍ ଏବଂ ପେଟ୍ରୋଲ-ଡିଜେଲ ମଧ୍ୟ ବେଶ୍ ମହଙ୍ଗା ହୋଇପାରେ । ଯୁଦ୍ଧ ସ୍ଥିତିରେ ଭାରତ ଅଶୋଧିତ ତେଲ ଆମେରିକା ଏବଂ ରୁଷରୁ କିଣିନେବ, କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଭାରତ LPG ଓ LNG କେଉଁଠାରୁ ଆଣିବ?

ତେଲ ଦର ବଢ଼ିଲେ ମହଙ୍ଗା ହେବ ୪ଟି ସାମଗ୍ରୀ

ଦେଶର ସରକାରୀ ତେଲ କମ୍ପାନୀଗୁଡ଼ିକ (IOCL, HPCL, BPCL) ପେଟ୍ରୋଲ, ଡିଜେଲ ଏବଂ LPG-LNG ର ମୂଲ୍ୟ ସ୍ଥିର କରନ୍ତି । ଏହି ଚାରୋଟି ଯାକ ସାମଗ୍ରୀ ଅଶୋଧିତ ତେଲରୁ ହିଁ ପ୍ରସ୍ତୁତ ହେଉଥିବାରୁ, ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ର ମୂଲ୍ୟ ବୃଦ୍ଧି ପାଇଲେ ଭାରତରେ ମଧ୍ୟ ଏସବୁର ଯୋଗାଣ ଓ ଦର ପ୍ରଭାବିତ ହେବ ।

ଯଦି ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୧୨୦ ରୁ ୧୩୦ ଡଲାରକୁ ଛୁଏଁ, ତେବେ ଭାରତ ସରକାର ବାଧ୍ୟ ହୋଇ ଦେଶରେ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ୍ ଦର ବଢ଼ାଇବେ, ଯାହାର ସିଧାସଳଖ ବୋଝ ଦେଶବାସୀଙ୍କ ଉପରେ ପଡ଼ିବ ।

ହୋର୍ମୁଜ୍ ଷ୍ଟ୍ରେଟ୍ ଉପରେ ଭାରତର ନିର୍ଭରଶୀଳତା

ଯୁଦ୍ଧ ପୂର୍ବରୁ ଭାରତ ହୋର୍ମୁଜ୍ ଷ୍ଟ୍ରେଟ୍ ଦେଇ ଆରବ ଦେଶଗୁଡ଼ିକରୁ ୪୦ ପ୍ରତିଶତ ଅଶୋଧିତ ତେଲ, ୬୦ ପ୍ରତିଶତ LNG, ୯୦ ପ୍ରତିଶତ LPG ଆମଦାନୀ କରୁଥିଲା । ମାତ୍ର ଉତ୍ତେଜନା ପରେ ଏହି ସପ୍ଲାଇ କମିବାରେ ଲାଗିଛି ।

ଗତ ଫେବୃଆରୀ ୨୮ ରୁ ଜୁଲାଇ ୮ ମଧ୍ୟରେ ଏହି ପଥ ଦେଇ ମାତ୍ର ୫୦ଟି ଜାହାଜ ଭାରତ ଆସିଛି, ଯାହା ପୂର୍ବରୁ ସେଠାରେ ଫସି ରହିଥିଲା । ବର୍ତ୍ତମାନର ସ୍ଥିତିରେ ହୋର୍ମୁଜ୍ ଷ୍ଟ୍ରେଟ୍‌କୁ ଜାହାଜ ପଠାଇବା ବିପଦଜନକ ପାଲଟିଛି ।

ଆମେରିକାରୁ LPG ଓ LNG ମଗାଇଲା ଭାରତ

ସଙ୍କଟରୁ ରକ୍ଷା ପାଇବା ପାଇଁ ଭାରତ ଆମେରିକାରୁ ୯ ଲକ୍ଷ ଟନ୍ LNG ଏବଂ ୬.୩ ଲକ୍ଷ ଟନ୍ LPG ମଗାଇ ସାରିଛି । ଆମେରିକାରୁ ବାର୍ଷିକ LPG ଆମଦାନୀକୁ ୨୨ ଲକ୍ଷ ଟନ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଭାରତ ରଣନୀତି ପ୍ରସ୍ତୁତ କରିଛି ।

ରୁଷ ଉପରେ ବଢ଼ିଲା ଭରସା

ଅସ୍ତ୍ରବିରତି ସମୟରେ ମଧ୍ୟ ଭାରତ ଅନିଶ୍ଚିତତା ଏବଂ ସୁରକ୍ଷା ଦୃଷ୍ଟିରୁ ଇରାନଠାରୁ ଅଶୋଧିତ ତେଲ କିମ୍ବା LNG ମଗାଇ ନାହିଁ । ଏହା ବଦଳରେ ଭାରତ ରୁଷ ଉପରେ ନିର୍ଭରଶୀଳତା ବଢ଼ାଇଛି ଏବଂ ଫେବୃଆରୀ ୨୮ ପରଠାରୁ ରୁଷରୁ ଦୈନିକ ରେକର୍ଡ ୨୭ ଲକ୍ଷ ବ୍ୟାରେଲ୍ ଅଶୋଧିତ ତେଲ ଆମଦାନୀ କରିଛି । ଇରାନରୁ LNG ଆମଦାନୀ ପାଇଁ ଭାରତ ପାଖରେ ଆବଶ୍ୟକୀୟ ଟର୍ମିନାଲ୍ ଏବଂ ଇନଫ୍ରାଷ୍ଟ୍ରକ୍ଚର ନାହିଁ ଏବଂ ଗ୍ୟାସ୍ ପାଇପଲାଇନ୍ ପ୍ରସ୍ତାବ ମଧ୍ୟ ବହୁ ବର୍ଷ ହେବ ମାନ୍ଦା ପଡ଼ିଛି ।

ଇରାନରୁ ଆସିଲା LPG

ଆମେରିକା ପକ୍ଷରୁ ଗ୍ୟାସ୍ କିଣିବା ପାଇଁ ମିଳିଥିବା ସାମୟିକ ରିହାତି ଯୋଗୁଁ ଭାରତ ଇରାନଠାରୁ ୧.୪୫ ଲକ୍ଷ ଟନ୍ LPG ଆମଦାନୀ କରିଛି, ଯାହାଫଳରେ ଭାରତ ବହୁ ବର୍ଷ ପରେ ଇରାନର ଦ୍ୱିତୀୟ ବୃହତ୍ତମ LPG କ୍ରେତା ପାଲଟିଛି । ହୋର୍ମୁଜ୍ ଷ୍ଟ୍ରେଟ୍ ଖୋଲିବା ଯୋଗୁଁ ସେହି ଜାହାଜଗୁଡ଼ିକ ସୁରକ୍ଷିତ ଭାବେ ଭାରତ ପହଞ୍ଚିଥିଲା ।