ଅଜବ ସହର, ଏଠାରେ ମାସ ମାସ ଧରି ଅସ୍ତ ହୁଏନି ସୂର୍ଯ୍ୟ, ଅଧରାତିରେ ବି ଦିଶେ ସୂର୍ଯ୍ୟାଲୋକ

ଅଜବ ସହର, ଏଠାରେ ମାସ ମାସ ଧରି ଅସ୍ତ ହୁଏନି ସୂର୍ଯ୍ୟ

Midnight Sun in Utqiagvik: ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ପ୍ରକୃତିର ନିୟମ । ସୂର୍ଯ୍ୟୋଦୟ ହେଲେ ଗୋଟିଏ ନୂଆ ଦିନର ଆରମ୍ଭ ହୋଇଥାଏ ଆଉ ଅସ୍ତ ହେଲେ ନୂଆ ରାତିର ଆରମ୍ଭ ହୁଏ । ଆଉ ପୂରା ଦୁନିଆଁ ପ୍ରକୃତିର ଏହି ନିୟମ ଅନୁସାରେ ଚାଲେ । କିନ୍ତୁ ଏମିତି ଏକ ସହର ଅଛି ଯେଉଁଠି ସୂର୍ଯ୍ୟାସ୍ତ ହୁଏ ନାହିଁ । ଏବେ ଆସନ୍ତୁ ଜାଣିବା ସେହି ସହର ବିଷୟରେ ଯେଉଁଠାରେ ରାତି ମଧ୍ୟ ଦିନ ପରି ଅଲୋକମୟ ରହିଥାଏ ।

ପ୍ରକୃତିର ଅନେକ ରହସ୍ୟ ମଧ୍ୟରୁ ଆମେରିକାର ଆଲାସ୍କା ରାଜ୍ୟର ଏକ କ୍ଷୁଦ୍ର ସହର ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସହରରେ ଏବେ ଏମିତି ଏକ ସମୟ ଆରମ୍ଭ ହୋଇଛି, ଯେଉଁଠାରେ ସୂର୍ଯ୍ୟ ଅନେକ ସପ୍ତାହ ଧରି ଅସ୍ତ ହେବେ ନାହିଁ। ଅର୍ଥାତ୍ ଅଧରାତିରେ ମଧ୍ୟ ଏଠାରେ ଦିନ ଭଳି ଉଜ୍ଜ୍ୱଳ ଆଲୋକ ରହିଥାଏ, ଯାହାକୁ ଦେଖିଲେ ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

‘ଉତ୍କିଆଗଭିକ’ ସହରର କାହାଣୀ

ଆଲାସ୍କାର ଉତ୍ତର ଭାଗରେ ଅବସ୍ଥିତ ‘ଉତ୍କିଆଗଭିକ’ (Utqiagvik) ସହରରେ ଏହି ଅଭୁଲା ଦୃଶ୍ୟ ଦେଖିବାକୁ ମିଳେ। ଏହି ସ୍ଥାନଟି ଆର୍କଟିକ ସର୍କଲର ବହୁତ ନିକଟରେ ଥିବାରୁ ବର୍ଷର କିଛି ମାସ ପାଇଁ ସୂର୍ଯ୍ୟ କ୍ରମାଗତ ଭାବେ ଆକାଶରେ ଦେଖାଯାଆନ୍ତି। ଏହି ପ୍ରାକୃତିକ ଘଟଣାକୁ ‘ମିଡନାଇଟ୍ ସନ୍’ (Midnight Sun) ବୋଲି କୁହାଯାଏ। ଏହି ସମୟରେ ରାତି ବୋଲି କିଛି ନଥାଏ। ରାତି ୧୨ଟା ବେଳେ ମଧ୍ୟ ଆକାଶରେ ସନ୍ଧ୍ୟା ସମୟ ଭଳି ଆଲୋକ ରହିଥାଏ।

ଏହା ପଛର ବୈଜ୍ଞାନିକ କାରଣ

ଏହି ଅଦ୍ଭୁତ ଘଟଣା ପଛର କାରଣ ହେଉଛି ପୃଥିବୀ ଅକ୍ଷ ଉପରେ ସାମାନ୍ୟ ଢଳି ରହିବା। ପୃଥିବୀ ନିଜ ଅକ୍ଷରେ ସାମାନ୍ୟ ବଙ୍କା ହୋଇ ରହିଥିବାରୁ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଆର୍କଟିକ ଅଞ୍ଚଳ ସୂର୍ଯ୍ୟଙ୍କ ଆଡ଼କୁ ଅଧିକ ଢଳି ରହିଥାଏ। ଫଳରେ ସେଠାରେ ଦୀର୍ଘ ସମୟ ଧରି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏହାର ଠିକ୍ ଓଲଟା ଦୃଶ୍ୟ ଶୀତଦିନେ ଦେଖିବାକୁ ମିଳେ, ଯେତେବେଳେ ଅନେକ ସପ୍ତାହ ଧରି ଏଠାରେ ସୂର୍ଯ୍ୟଙ୍କ ଦର୍ଶନ ମିଳେନାହିଁ ଏବଂ ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧକାରରେ ବୁଡ଼ି ରହିଥାଏ।

ଜୀବନଶୈଳୀ ଉପରେ ଏହାର ପ୍ରଭାବ

କ୍ରମାଗତ ଭାବେ ଦିନ ହୋଇ ରହିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ଯେପରିକି ଅନ୍ଧାର ନଥିବାରୁ ପ୍ରଥମେ ପ୍ରଥମେ ଲୋକଙ୍କୁ ଶୋଇବାରେ ବହୁତ ଅସୁବିଧା ହୁଏ । ଆରାମରେ ଶୋଇବା ପାଇଁ ଲୋକମାନେ ନିଜ ଘରେ ମୋଟା କଳା ପରଦା କିମ୍ବା ସ୍ଲିପ୍ ମାସ୍କ ବ୍ୟବହାର କରିଥାନ୍ତି  । ଏହି ନିଆରା ଅନୁଭୂତି ପାଇଁ ବିଶ୍ୱର ବିଭିନ୍ନ କୋଣରୁ ପର୍ଯ୍ୟଟକମାନେ ଏଠାକୁ ଧାଇଁ ଆସନ୍ତି ଏବଂ ଅଧରାତିରେ ଟ୍ରେକିଂ କିମ୍ବା ଫଟୋଗ୍ରାଫିର ମଜା ନିଅନ୍ତି।