fbpx

ଆଜି ପଞ୍ଚଭୂତରେ ଲୀନ ହେବେ ବରିଷ୍ଠ ଅଭିନେତା ମିହିର ଦାସ, ରାଜ୍ୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ

କଟକ,(ଭାସ୍କର ନ୍ୟୁଜ୍‌) : ଆଜି ପଞ୍ଚଭୂତରେ ଲୀନ ହେବେ ଓଡିଆ ସିନେ ଜଗତର ବର୍ଷିଆନ୍‌ ଅଭିନେତା ମିହିର ଦାସ। କଟକ ମର୍କତନଗର ସ୍ଥିତ ବାସଭବନରୁ ସକାଳ ୮ଟାରେ ମିହିର ଦାସଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସତୀ ଚଉରା ଶ୍ମଶାନକୁ ନିଆଯିବ । ସେଠାରେ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ଦିଆଯାଇଛି । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେ ଗତ ୨୦୨୧ ଡିସେମ୍ବର ୭ ତାରିଖରୁ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ଆସୁଥିବାବେଳେ ମଙ୍ଗଳବାର ଅପରାହ୍ନ ସାଢେ ୩ଟା ସମୟରେ ବର୍ଷିଆନ୍‌ ଅଭିନେତା ମିହିର ଦାସ ୬୩ ବର୍ଷରେ ପରଲୋକ ହୋଇଥିଲା । ତାଙ୍କ ପରଲୋକରେ ଓଡିଆ ସିନେ ଜଗତ ସ୍ତବ୍ଧ ହୋଇଯାଇଛି । ସଂଧ୍ୟାରେ ମିହିର ଦାସଙ୍କ ମର ଶରୀରକୁ ହସ୍ପିଟାଲ୍‌ରୁ ତାଙ୍କର ମର୍କତନଗର ସ୍ଥିତ ବାସଭବନକୁ ନିଆଯାଇ ଶେଷ ଦର୍ଶନ ପାଇଁ ରଖାଯାଇଛି। ଆଜି କଟକର ସତୀଚୌରା ଶ୍ମଶାନରେ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ଦିଆଯାଇଛି ।

ମିହିର ଦାସ ୧୯୫୯ ମସିହା ଫେବୃୟାରୀ ୧୭ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାରି ଦା ସହରରେ ଜନ୍ମ ଗ୍ରହଣ କରିଥିଲେ । ଏକ କଳାତ୍ମକ ସିନେମା ମଥୁରା ବିଜୟରେ ଶିଶୁ କଳାକାର ଭାବେ ୧୯୬୯ ମସିହାରେ ଅଭିନୟ ଜଗତରେ ପାଦ ଥାପିଥିଲେ ମିହିର ଦାସ । ୧୯୮୦ ମସିହାରେ “ରାମାୟଣ’ ଚଳଚିତ୍ରରେ ଶତୃଘ୍ନ ଭୂମିକାରେ ଅଭିନୟ କରି ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ଓଡିଆ ସିନେ ଜଗତର ଲୋକପ୍ରିୟ ଗୀତିକାର ଚିତ୍ତ ଜେନାଙ୍କ ଝିଅ ତଥା ସିନେ କଳାକାର ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ । ତେବେ ସଙ୍ଗୀତାଙ୍କ ୨୦୧୦ ମସିହାରେ ପରଲୋକ ହୋଇସାରିଛି । ମିହିରଙ୍କ ପୁଅ ଅମ୍ଳାନ ଓଡିଆ ସିନେମାରେ ଇତିମଧ୍ୟରେ ତାଙ୍କ ସ୍ଥାନ ଜାହିର୍‌ କରି ସାରିଛନ୍ତି । ସେ ୧୯୯୮ ମସିହାରେ “ଲକ୍ଷ୍ମୀ ପ୍ରତିମା’ ସିନେମା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରୁ ପୁରସ୍କୃତ ହୋଇଥିବାବେଳେ ୨୦୦୫ ମସିହାରେ ‘ଫେରିଆ ମୋ ସୁନା ଭଉଣୀ’ ଚଳଚିତ୍ର ପାଇଁ ମଧ୍ୟ ପୁରସ୍କୃତ ହୋଇଥିଲେ । ସେ ୨୦୦୨ ମସିହାରେ “ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’’ ଓ ୨୦୧୦ରେ ‘ପ୍ରେମ ଅଢେଇ ଅକ୍ଷର’ ଚଳଚିତ୍ର ପାଇଁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୧୯୯୯ ମସିହରେ ‘ବିଧାତା’ ଚଳଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ମିଳିଥିଲା ।

ସେହିପରି ୨୦୦୭ ମସିହାରେ “ମୁଁ ତତେ ଲଭ୍‌ କରୁଛି’ ଚଳଚିତ୍ର ନିମନ୍ତେ ତାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲାବେଳେ ୨୦୧୮ ମସିହାରେ ‘ଓନଲୀ ପ୍ୟାର୍‌’ ଥିଲା ତାଙ୍କର ଶେଷ ଚଳଚିତ୍ର । ସିନେମାରେ ଖାଲି ନାୟକ ନୁହେଁ ବରଂ ଖଳନାୟକ, ଚରିତ୍ର ଅଭିନୟ ଓ ହାସ୍ୟ ଚରିତ୍ରରେ ମଧ୍ୟ ଅତି ନିଖୁଣ ଭାବରେ ସେ ଅଭିନୟ କରି ।ରୁଥିଲେ । ସେ ତିନିଥର ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ ହେବା ସହିତ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ଓ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ । ସେ ଓଡିଆ ସିନେମାରେ ତାଙ୍କର ସ୍ୱତନ୍ତ୍ର ଭୂମିକା ପାଇଁ ପରିଚିତ ଥିଲେ । ଦୀର୍ଘ ୪ ଦଶନ୍ଧି ଧରି ସେ ଓଡିଆ ସିନେ ଜଗତରେ ଜଣେ ସକ୍ରିୟ ଅଭିନେତା ଭାବେ ଅନେକ ସିନେମାରେ ଅଭିନୟ କରି ତାଙ୍କର ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ମର୍କତ ନଗରସ୍ଥିତ ବାସଭବନରେ ପହଁଚି ଶେଷ ଦର୍ଶନ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ମିହିର ଦାସଙ୍କ ଶେଷକୃତ୍ୟ ରାଜ୍ୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି ।

 

Get real time updates directly on you device, subscribe now.