fbpx

ଓଡ଼ିଶାରେ ମିଲେଟ୍‍ ମିଶନ୍‍କୁ ସମ୍ପ୍ରସାରିତ କରିବାର ଭିନ୍ନ ପ୍ରୟାସ :ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’

ଭୁବନେଶ୍ୱର: ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’। ମାଣ୍ଡିଆଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଆଉ ଏକ ଭିନ୍ନ ପଦକ୍ଷପ ହାତକୁ ନେଇଛନ୍ତି। ଏହା ସହିତ ଜନସାଧାରଣଙ୍କ ମଧ୍ୟରେ କିପରି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଅଧିକ ରୁ ଅଧିକ ଗ୍ରହଣ କରିହେବ ତାହା ଉପରେ ଯୋଜନା କରାଯାଇଛି।

ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ବର୍ଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ବର୍ଷ ପାଇଁ ହେକ୍ଟର ପିଛା ୨୬ହଜାର ୫ଶହ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅତିରିକ୍ତ ୧୧ଟି ଜିଲ୍ଲାର ୩୪ଟି ବ୍ଲକକୁ ଓଡ଼ିଶା ମିଲେଟ୍‍ ମିଶନ୍‍କୁ ସମ୍ପ୍ରସାରିତ କରାଯାଇଛି। ଫଳରେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ଓଡ଼ିଶା ମିଲେଟ୍‍ ମିଶନ କାର୍ଯ୍ୟ କରୁଛି। ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ। ଏହାସହିତ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆ ଷ୍ଟଲର ବ୍ୟବସ୍ଥା କରାଯିବ। ଆସନ୍ତାକାଲି ମାଣବସା ପ୍ରଥମ ଗୁରୁବାର ହୋଇଥିବାରୁ ମାଆ ଲକ୍ଷ୍ମୀଙ୍କ ପାଖରେ ଅନ୍ୟ ଭୋଗ ସହିତ ମାଣ୍ଡିଆକୁ ମଧ୍ୟ ଭୋଗ ଭାବରେ ବ୍ୟବହାର କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ ମା’ଙ୍କୁ ଅନୁରୋଧ କରିଛନ୍ତି।

ଆଜି ଲୋକସେବା ଭବନର କନ୍‍ଭେ୍‍ସନ୍‍ ହଲ୍‍ରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ କରାଯାଇ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ ପାଳନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ବାର୍ତ୍ତା ଦେବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗବେଷକମାନେ ଯୋଗଦେବେ। ଚଳିତବର୍ଷ ବାଲିଯାତ୍ରା ସହ ଅନ୍ୟ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ମହୋତ୍ସବମାନଙ୍କରେ ମାଣ୍ଡିଆର ବହୁଳ ବ୍ୟବହାର ଓ ପ୍ରଚାରପ୍ରସାର ନିମନ୍ତେ ବ୍ୟବସ୍ଥା କରାଯାଇଛି।ତେବେ ମାଣ୍ଡିଆରୁ ନିର୍ମିତ ତଥା ମାଣ୍ଡିଆ ଲଡୁ , ମାଣ୍ଡିଆ ଚା ମଧ୍ୟ ବର୍ତ୍ତମାନ ଲୋକ ମାନଙ୍କ ଦ୍ୱାରା ଆଦୃତ ହୋଇ ପାରୁଛି । ତେବେ ଏହାକୁ କିପରି ବିଶ୍ୱ ଦରବାରରେ ପରିଚିତ ତଥା ଅଧିକ ଲୋକପ୍ରିୟ କରି ହେବ ତାହାଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.