ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାରେ ସଂଶୋଧନ: କୃଷି ଉଦ୍ୟୋଗରେ ପୁଞ୍ଜିିନିବେଶ ନିମନ୍ତେ ମିଳିବ ନୂତନ ସୁଯୋଗ

News across the Earth, news close to your heart, Read Odisha Bhaskar English

ଭୁବନେଶ୍ୱର: ରାଜ୍ୟରେ କୃଷି-ଉଦ୍ୟୋଗକୁ ପ୍ରୋତ୍ସାହିତ କରି ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନୂତନ ଉଦ୍ୟୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାର୍ଗଦର୍ଶିକାରେ ସରଳୀକରଣ କରାଯାଇଛି।

କୃଷିକ୍ଷେତ୍ରରେ ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ଏହି ଯୋଜନାରେ ଦିଆଯାଉଥିବା ରିହାତି ରାଶିକୁ ବୃଦ୍ଧି କରାଯାଇଛି ଏବଂ ଉଦ୍ୟେଗୀମାନେ ଯେପରି ରିହାତି ସହଜରେ ଓ ସୁବଧାରେ ପାଇପାରିବେ; ସେଥି ନିମନ୍ତେ ମାର୍ଗଦର୍ଶିକାରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି । ଏହା ଦ୍ୱାରା ରାଜ୍ୟରେ ନୂତନ ଉଦ୍ୟୋଗୀ ସୃଷ୍ଟି ହେବା ସହିତ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ସଂଶୋଧିତ ନିୟମାବଳୀ ଅନୁଯାୟୀ ସର୍ବାଧିକ ସ୍ଥାୟୀ ପୁଞ୍ଜିନିବେଶ ରିହାତିର ୧୦ ବର୍ଷର ଅବଧି ପରେ କୃଷି-ଉଦ୍ୟୋଗୀମାନେ ନୂତନ ପ୍ରକଳ୍ପ ପ୍ରତିଷ୍ଠା କିମ୍ବା ବର୍ତ୍ତମାନର ପ୍ରକଳ୍ପର ସଂପ୍ରସାରଣ କିମ୍ବା ନବୀକରଣ ନିମନ୍ତେ କରିଥିବା ପୁଞ୍ଜିନିବେଶ ଉପରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମିଳୁଥିବା ରିହାତି ପାଇଁ ଆବେଦନ କରିପାରିବେ । ଏହି ପରିବର୍ତ୍ତନ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ପ୍ରକଳ୍ପର ଅଭିବୃଦ୍ଧି ନିମନ୍ତେ ପ୍ରୋତ୍ସାହିତ କରିବ। ଆତ୍ମନିର୍ଭରଶୀଳତାକୁ ଉତ୍ସାହିତ କରିବା ଓ ଉଦ୍ୟୋଗୀମାନଙ୍କର ଆର୍ଥିକ ସ୍ୱାଧୀନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପରିବର୍ତ୍ତିତ ନିୟମାବଳୀ ଅନୁଯାୟୀ ନିଜସ୍ୱ ପାଣ୍ଠିରେ ପ୍ରତିଷ୍ଠା କରାଯାଇଥିବା ୧୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରାଯାଇଛି। ରାଜସ୍ୱ ବିଭାଗ ଦ୍ୱାରା ସର୍ଭେ ହୋଇ ନଥିବା କାରଣରୁ ଭୂଲେଖରେ ଉପଲବ୍ଧ ହେଉ ନଥିବା ଜମିରେ ପ୍ରତିଷ୍ଠା ହୋଇଥିବା ଉଦ୍ୟୋଗଗୁଡ଼ିକୁ ମଧ୍ୟ ଯୋଜନା ଅଧୀନରେ ମିଳୁଥିବା ରିହାତି ଓ ସହାୟତା ଯୋଗାଇ ଦିଆଯିବ । ଏଥି ସହିତ ସେରିକଲଚର ଉଦ୍ୟୋଗଗୁଡ଼ିକୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି।

ଏହା ପୂର୍ବରୁ ଯୋଜନାର ମାର୍ଗଦର୍ଶିକାରେ ସଂଶୋଧନ ଅଣାଯାଇ କୃଷି ଉଦ୍ୟୋଗରେ ସ୍ଥାୟୀ ପୁଞ୍ଜିନିବେଶ ରିହାତି ରାଶି ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ସୁଯୋଗକୁ ଦୃଷ୍ଟିରେ ରଖି ପ୍ରକଳ୍ପ ମୂଲ୍ୟର ସର୍ବୋଚ୍ଚ ସୀମା ୨୦ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଯୋଜନାରେ ସମସ୍ତ ବର୍ଗଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଟ୍ରାନ୍ସଜେଣ୍ଡରମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେମାନଙ୍କୁ ମଧ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ସ୍ଥାୟୀ ପୁଞ୍ଜିନିବେଶ ରିହାତିର ସୁବିଧା ଯୋଗାଇ ଦିଆଯିବ ।

ଆପିକଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସଫଳ ରୂପାୟନ ଫଳରେ ରାଜ୍ୟରେ ଅଦ୍ୟାବଧି ୧୭୦୧ ଗୋଟି କୃଷି ଉଦ୍ୟୋଗୀ ସୃଷ୍ଟି ହୋଇପାରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପୁଞ୍ଜିନିବେଶ ରିହାତି ବାବଦକୁ ୯୪୩ ଜଣ ଉଦ୍ୟୋଗୀଙ୍କୁ ମୋଟ ୮୧.୨୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ୨୦୨୧-୨୨ ବର୍ଷରେ ୩୭୪ ଜଣ ଉଦ୍ୟୋଗୀଙ୍କୁ ୩୧.୦୬ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ପ୍ରାୟ ୧୦୦ଟି ପ୍ରକଳ୍ପକୁ ତାଲିକାଭୁକ୍ତ କରାଯାଇଛି । ଏଥି ମଧ୍ୟରୁ କୃଷିକ୍ଷେତ୍ରର ୨୫ଟି, ଉଦ୍ୟାନକୃଷିର ୨୭ଟି, ମତ୍ସ୍ୟ କ୍ଷେତ୍ରରେ ୧୪ଟି, ପ୍ରାଣିପାଳନର ୧୫ଟି ଏବଂ ଆନ୍ତର୍ବିଭାଗର ପ୍ରାୟ ୧୯ଟି ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି ।

Get real time updates directly on you device, subscribe now.